ଏବେ ବି ମା’ ଫେରିବା ବାଟକୁ ଚାହିଁଛି ପୁଅ ଜିତ୍

ରାନୀ ମିଶ୍ର ହତ୍ୟାକାଣ୍ତ ଘଟଣା

ଗାରୋଇ,: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର-ଗୋପାଳପୁର ନଦୀବନ୍ଧ ନିକଟରୁ ଅଖା ଭିତରୁ ଉଦ୍ଧାର ହୋଇଥିବା ରାନୀ ମିଶ୍ରଙ୍କ ମୃତଦେହକୁ ନେଇ ଏବେ ବି ବେଶ୍ ଚର୍ଚ୍ଚା ଲାଗି ରହିଛି। ପୁଲିସ ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ହେଲେ, ଏହି ଘଟଣାକୁ ଏବେ ବି ବିଶ୍ବାସ କରିପାରୁ ନାହିଁ ରାନୀଙ୍କ ୧୦ ବର୍ଷର ପୁଅ ଜିତ୍। ଏବେ ବି ସେ ଲୁହଭରା ଆଖିରେ ନିଜ ମା’ର ଫେରିବା ବାଟକୁ ଚାହିଁ ବସିଛି। ‘ଜେଜେ କେବେ ମା’ ପାଖକୁ ଯିବା? ମା’ ଆସୁନି କି ତା ଫୋନ୍ ବି ଲାଗୁନି। ମା’ର କିଛି ଅସୁବିଧା ହୋଇଛି କି?’ ଭଳି ଜିତୁ କରୁଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବାରେ ଅସମର୍ଥ ମୃତ ରାନୀଙ୍କ ବାପା ମାଗୁ ପଲେଇ କେବଳ ଆଖିରୁ ଲୁହ ଝରଉଛନ୍ତି। ରାନୀଙ୍କ ପୁଅ ଜିତ୍ ନାଉଗାଁ ବ୍ଲକ୍ କୋରୁଅ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢ଼ୁଛି। ଗତ ୨୫ ତାରିଖରେ ଶେଷ ଥର ପାଇଁ ରାନୀ ଘରକୁ ଆସିଥିବା ବେଳେ ପୁଅକୁ ବୁଝାଇବା ସହ ନିଜ ମାଁ ମାଳତୀଙ୍କୁ ପୁଅ କଥା ବୁଝଇବାକୁ କହିକି ଯାଇଥିଲେ। ମାଙ୍କୁ କହିଥିଲେ ‘କେନ୍ଦ୍ରାପଡ଼ା ଯାଉଛି, ଶାଶୁଘର ଲୋକମାନଙ୍କ ସହ ଜମିବାଡ଼ି ବିବାଦର ସମାଧାନ କରିବି। ସେଠାରେ ଦୁଇଦିନ ରହିବା ପରେ ଭୁବନେଶ୍ବର ଫେରି ଆସିବି। ତୁ ଜିତ୍‌କୁ ନେଇ ସେଠାକୁ ପଳାଇ ଆସିବୁ।’ ଜିତ୍‌କୁ ଏଠାରୁ ନେଇ ଭୁବନେଶ୍ବରରେ ପାଠ ପଢ଼ାଇବା ପାଇଁ ମଧ୍ୟ ସେ ଯୋଜନା କରିଥିଲେ ବୋଲି ମାଳତୀ ଏବେ କାନ୍ଦି କାନ୍ଦି କହୁଛନ୍ତି। କୋରୁଅରୁ ଯିବା ପରଦିନ ଅର୍ଥାତ୍, ଜୁନ୍‌ ୨୬ ତାରିଖ ରାତି ସାଢ଼େ ୮ଟା ବେଳେ ରାନୀଙ୍କ ଫୋନ୍ ଆସିଥିଲା। ହେଲେ, ତା’ ପରେ ଆଉ ତାଙ୍କ ଫୋନ୍ ଲାଗି ନ ଥିଲା ବୋଲି ମାଳତୀ କହିଛନ୍ତି। ରାନୀ ଚାଲିଯିବା କଥା‌ ଜିତ୍‌ ବୁଝି ପାରୁ ନ ଥିଲେ ବି ମା’କୁ ନ ପାଇ ସେ ବ୍ୟସ୍ତ ହେଉଛି। ମା’ ସମ୍ପର୍କରେ ସମସ୍ତେ ଆଲୋଚନା କରି କନ୍ଦାକଟା କରୁଥିବାରୁ ତା’ ମାନସିକ ଅବସ୍ଥା ବି ଠିକ୍ ନାହିଁ। ଏତେ କମ୍ ବୟସରୁ ଏମିତି ଏକ ଘଟଣାକୁ ସେ ସହଜରେ ଗ୍ରହଣ କରିପାରୁ ନାହିଁ। ଠିକ୍‌ରେ କଥା ହେଉ ନାହିଁ। ବେଳେ ବେଳେ ଇଆଡ଼ୁ ସିଆଡ଼ୁ ଗପୁଛି ବୋଲି ଅଜା ମାଗୁ କହୁଛନ୍ତି। ମର୍ତ୍ତମାନ ଜିତ୍‌ର ପାଠପଢ଼ା ଓ ଭବିଷ୍ୟତକୁ ନେଇ ମାଗୁ ଚିନ୍ତାରେ ଅଛନ୍ତି। ନିଜର ଭଲ ରୋଜଗାର ନ ଥିବାରୁ ଜିତ୍‌ର ଲାଳନପାଳନ ଓ ଭରଣପୋଷଣ ଚିନ୍ତା ତାଙ୍କୁ ଘାରିଛି। ରାନୀ ଯଦି କିଛି ବୀମା କରିଥିଲେ ତେବେ ତାହା ହିଁ ଜିତ୍‌ ଭବିଷ୍ୟତ ପାଇଁ କାମରେ ଆସିବ ବୋଲି ମାଗୁ ଓ ମାଳତୀ ଆଶା ରଖିଛନ୍ତି। ରାନୀଙ୍କ ଭୁବନେଶ୍ବର ଘରର କାଗଜପତ୍ର ଖୋଜାଯିବା ପରେ ସେ ସମ୍ପର୍କରେ ଯାହା ଜଣା ପଡ଼ିବ ବୋଲି ମାଗୁ କହନ୍ତି।

ସମ୍ବନ୍ଧିତ ଖବର