ଆରୁହା ପାହାଡ଼ ରଣକ୍ଷେତ୍ର : ୫ ଆହତ, ଜଣଙ୍କ ଅବସ୍ଥା ସଂକଟାପନ୍ନ

ଚଢ଼େଇଧରା (ଯାଜପୁର) : ରୟାଲଟି ଆଦାୟକୁ କେନ୍ଦ୍ରକରି ଲିଜ୍‌ଧାରୀ ଗୋଷ୍ଠୀ ଏବଂ ମାଫିଆଗୋଷ୍ଠୀ ମଧ୍ୟରେ ଆଜି ରକ୍ତାକ୍ତ ସଂଘର୍ଷ ଘଟିଛି। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଆରୁହା କଳାପଥର ପାହାଡ଼ରେ ଏହି ସଂଘର୍ଷ ଘଟି ଅତିକମ୍‌ରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ଼ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଘଟଣାକୁ ନେଇ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଆରୁହା ପାହାଡ଼ରେ କଳାପଥର ଖନନ ଚାଲିଥିଲା। ୧୬୦ ଏକର ପରିମିତ ଏହି ପାହାଡ଼ରୁ ତ୍ରିନାଥଙ୍କୁ ମିଳିଛି ମାତ୍ର ୩ ଏକରର ପରିବେଶ ମଞ୍ଜୁରି। ମାତ୍ର ବେଆଇନ ଭାବେ କଳାପଥର ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ଗୋଷ୍ଠୀ ଏହାକୁ ଖୋଲାଖୋଲି ବିରୋଧ କରି ଆସୁଥିଲେ।

ରୟାଲ୍‌ଟି ଆଦାୟକୁ ନେଇ ଆଜି ଲିଜ୍‌ଧାରୀ ତ୍ରିନାଥ ଜେନାଙ୍କ ମ୍ୟାନେଜର୍‌ ପ୍ରକାଶ ଦାସ ଏବଂ ସେହି ପାହାଡ଼ରେ ଖାଦାନ ଥିବା ଚିତ୍ତରଞ୍ଜନ ପାତ୍ର, ସୁଶିଲ୍‌ ନାୟକ ଓ ସଂଜୟ ଜେନା ମୁହାଁମୁହିଁ ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏହି ମାର୍‌ପିଟ୍‌ରେ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ତୁଷାର ସାମଲ୍‌ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ୩ ଜଣ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର