ମହୁମାଛି ଆକ୍ରମଣରେ ଜଣେ ମୃତ:୫ ଗୁରୁତର

କୁଚିଣ୍ଡା: ୪୯ ନମ୍ବର ଜାତୀୟ ରାଜପଥର କୁଚିଣ୍ଡା ସହର ଉପକଣ୍ଠ ସଇଡ଼ା ନିକଟରେ ଥିବା ଭେଡେନ ନଦୀ ପୋଲ ଉପରେ ରବିବାର ମହୁମାଛିଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାଁ ଶିଶିର କଣ୍ଟା ଓ ସେ ବାଉରିଗୋଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଥିଲେ। ପ୍ରାପ୍ତ ସୂଚନାନୁସାରେ ଉପରୋକ୍ତ ପୋଲ ତଳେ ବହୁ ଦିନ ହେଲା ଏକ ବଡ଼ ମହୁ ବସା ରହିଛି। ସମୟ ସମୟରେ ସେଠାରେ ମହୁମାଛିଙ୍କ ଉପଦ୍ରବ ଦେଖିବାକୁ ମିଳିଥାଏ। ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ଆଜି ଦିନ ପ୍ରାୟ ୧୧ଟା ବେଳେ ଏକ ବାଜ ପଡ଼ୀ ଉକ୍ତ ମହୁ ବସାକୁ ଆକ୍ରମଣ କରି ଖଣ୍ଡିଆ କରି ଦେଇଥିଲା। ଫଳରେ ଉତ୍ତ୍ୟକ୍ତ ମହୁମାଛିମାନେ ପୋଲ ଉପରେ ଉଡ଼ିବା ସହ ଯାତାୟାତ କରୁଥିବା ଲୋକଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ବାଇକ୍‌ରେ ପୁଅ ଉମେଶ କଣ୍ଟାଙ୍କ ସହ ଯାଉଥିବା ଶିଶିର କଣ୍ଟା ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଶିଶିରଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଉମେଶ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ବ୍ୟତୀତ ପଞ୍ଚପଡ଼ାର ଲେଖରାଜ ଗୋୟଲ (୨୫), ବେଲପାହାଡ଼ର ଗୌରୀ ଶଙ୍କର ବିଶି (୪୫), ନାଚେନର ଭୋଗଦେବ ଖମାରୀ (୪୫) ଓ ହୀରାଲାଲ ବେହେରା (୪୨) ମଧ୍ୟ ମହୁମାଛିଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ କୁଚିଣ୍ଡା ରେଞ୍ଜର ଡାକ୍ତରଖାନାକୁ ଆସି ଆହତଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ନାୟକଙ୍କ ସହ ଆଲୋଚନା କରିଥିଲେ। ତେବେ ମହୁମାଛି ଆକ୍ରମଣ ସଂପର୍କରେ କିଛି ସ୍ୱେଚ୍ଛାସେବୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ହେଁ ସେମାନେ ଘଟଣା ସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ପରେ ଦୁଇ ଜଣ ବ୍ୟକ୍ତି ନିଜସ୍ୱ ପ୍ରଚେଷ୍ଟାରେ ମୁମୂର୍ଷୁମାନଙ୍କୁ ଡାକ୍ତରଖାନାକୁ ଆଣିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର