ଘୁ.ଉଦୟଗିରି ନିର୍ବାଚନମଣ୍ଡଳୀ : ଜନ୍ମ ହେବାଠୁ ଥରେ ମାତ୍ର ବିଜୟର ସ୍ବାଦ ଚାଖିଛି ବିଜେଡି, ବିଜେପିରୁ ଆଶାୟୀ ମାଳମାଳ ଓ କଂଗ୍ରେସରୁ କିଏ?

ଫୁଲବାଣୀ (ବଟକୃଷ୍ଣ ବିହାରୀ): କନ୍ଧମାଳ ଜିଲ୍ଲାରେ ୩ଟି ନିର୍ବାଚନମଣ୍ଡଳୀ ରହିଛି। ସେଗୁଡିକ ହେଲା ଫୁଲବାଣୀ,ବାଲିଗୁଡା ଓ ଘୁ.ଉଦୟଗିରି। ଏଥି ମଧ୍ୟରୁ ଘୁ.ଉଦୟଗିରି ନିର୍ବାଚନମଣ୍ଡଳୀ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ । ବିଜେଡି ଗଠନ ହେବାଠୁ ଏହି ନିର୍ବାଚନ ମଣ୍ଡଳୀରେ ମାତ୍ର ଥରୁଟିଏ ଜିତିଛି। ୨୦୦୦ ନିର୍ବାଚନରେ ବିଜେପି ସମର୍ଥନରେ ବିଜେଡିର ସାଲୁଗା ପ୍ରଧାନ ବିଜୟୀ ହୋଇଥିଲେ। ତାପରଠୁ ହୋଇଥିବା ୩ଟି ନିର୍ବାଚନରେ ବିଜେଡି ପରାଜୟ ବରଣ କରିଛି।

ସମଗ୍ର ରାଜ୍ୟରେ ବିଜେଡିର ଭଲ ଦବଦବା ଥିବା ଏବଂ ନବୀନ ବାବୁଙ୍କ ଭାବମୂର୍ତ୍ତି କାମ କରି ଆସୁଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉପରେ ସେମିତି କିଛି ପ୍ରଭାବ ନ ପଡିବା ଦଳୀୟ ନେତୃବୃନ୍ଦଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ୨୦୦୪ରେ ବି ବିଜେଡି ପରାଜିତ ହୋଇଥିଲା। କଂଗ୍ରେସର ଅଜୟନ୍ତୀ ପ୍ରଧାନ ବିଜୟୀ ହୋଇଥିଲେ। ୨୦୦୯ରେ ମେଣ୍ଟ ଭାଙ୍ଗିଲା। ତାସତ୍ତ୍ବେ ବିଜେପିରୁ ମନୋଜ ପ୍ରଧାନ ଏହି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ବି ବିଜେଡିକୁ ପୁଣି ପରାଜୟ ବରଣ କରିବାକୁ ପଡିଲା। ବ୍ୟାଙ୍କ ଚାକିରି ଛାଡି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଯାଜବ ପ୍ରଧାନ ବିଜୟୀ ହୋଇଥିଲେ। ସେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ପ୍ରଧାନଙ୍କୁ ହରାଇଥିଲେ। ବିଜେପି ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ତୃତୀୟ ସ୍ଥାନରେ ରହିଥିଲେ। ଅଭିଯୋଗ ହୋଇଥିଲା ଯେ ଶ୍ରୀ ପ୍ରଧାନ କିଛି ମୁଷ୍ଟିମେୟ ଲୋକଙ୍କ କଥାରେ ପରିଚାଳିତ ହେଲେ। ଛାମୁଆ କଂଗ୍ରେସ ନେତା ଓ କର୍ମୀଙ୍କୁ ଶ୍ରୀ ପ୍ରଧାନ ପଚାରିଲେ ନାହିଁ କି କୌଣସି କାମରେ ସେମାନଙ୍କ ସହଯୋଗ ଲୋଡିଲେ ନାହିଁ। ତାସତ୍ତ୍ବେ ନେତୃବୃନ୍ଦ ଶ୍ରୀ ପ୍ରଧାନଙ୍କ ଉପରେ ଭରସା ରଖି ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦେଇଥିଲେ। ୩-୪ ଦିନ ପୂର୍ବେ ରାଜ୍ୟ କଂଗ୍ରେସ ଭବନଠାରେ ସ୍କ୍ରିନିଂ କମିଟି ଆଗରେ ଘ.ଉଦୟଗିରି ନିର୍ବାଚନ ମଣ୍ଡଳୀରୁ ବହୁ ଦଳୀୟ ନେତା ଓ କର୍ମୀ ପହଞ୍ଚି ଖୋଲାଖୋଲି ଭାବେ ବିଧାୟକ ଶ୍ରୀ ଯାକବଙ୍କ ବିରୋଧରେ ନାରାବାଜି କରିଥିଲେ। ଶ୍ରୀ ପ୍ରଧାନଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ଟିକେଟ ନ ଦେବାକୁ ଅଡି ବସିଥିଲେ। ଏଭଳି ଅଭିଯୋଗକୁ ଶ୍ରୀ ପ୍ରଧାନ ଅସ୍ବୀକାର କରିବା ଏହା ବିରୋଧୀ ଦଳର କାମ ବୋଲି ସଫେଇ ଦେଇଥିଲେ ବି ଦଳର ନେତୃବୃନ୍ଦ ଓ ସ୍କ୍ରିନିଂ କମିଟି ସଦସ୍ୟଙ୍କୁ କାଳେ ସନ୍ତୁଷ୍ଟ କରି ପାରି ନାହିଁ। ଯଦି କଂଗ୍ରେସରୁ ଶ୍ରୀ ପ୍ରଧାନଙ୍କୁ ଟିକେଟ ନ ମିଳେ ତାଙ୍କର ଅନ୍ୟ ବିକଳ୍ପ ବିଜେଡି ରହିଛି ବୋଲି ଶୁଣିବାକୁ ମିଳୁଛି।

ଏଥର କଂଗ୍ରେସରୁ ଅନ୍ୟତମ ଦାବିଦାର ପ୍ରତାପ ପ୍ରଧାନ ଦୌଡରେ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଉ ୩-୪ ଜଣ ଆଶାୟୀ ମଧ୍ୟ ରହିଛନ୍ତି। ଏଥର ଏହି ଆସନକୁ କବଜା କରିବାକୁ ବିଜେଡି ଉଦ୍ୟମ ଚଳାଇଛି। ଏଥର ବିଜେଡିରୁ ପ୍ରଦୀପ କୁମାର ପ୍ରଧାନ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ,ଜାଲିନା ପ୍ରିୟଦର୍ଶିନୀ,ରଦନ ମଲ୍ଲିକ ଆଶାୟୀ ଥିବା ବେଳେ ଆଉ ୨/୩ ଜଣ ମଧ୍ୟରେ ଲବିରେ ଅଛନ୍ତି। ବିଜେପିରୁ ପ୍ରାୟତଃ ୧୫ ଜଣ ଆଶାୟୀ ଦୌଡରେ ଅଛନ୍ତି। ଗତ ନିର୍ବାଚନରେ ହାରିଥିବା ମାନଗୋବିନ୍ଦ ପ୍ରଧାନ,ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନ,ସଂଘମିତ୍ରା ପ୍ରଧାନ,ବସନ୍ତ କୁମାର ପ୍ରଧାନ,ଅବନେଶ୍ବର ପ୍ରଧାନ,ଜାଜୁ ପ୍ରଧାନ,ଶରତ ପ୍ରଧାନ ଆଶାୟୀ ଦୌଡରେ ଆଗରେ ଅଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

କଂଗ୍ରେସ   ଯାକବ ପ୍ରଧାନ            ୪୮,୯୫୯
ବିଜେଡି    ପ୍ରଦୀପ କୁମାର ପ୍ରଧାନ   ୩୮,୬୬୯
ବିଜେପି    ମାନଗୋବିନ୍ଦ ପ୍ରଧାନ     ୨୭,୨୯୫

ସମ୍ବନ୍ଧିତ ଖବର