ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ : ପରିବାରର ୫ ଜଣଙ୍କୁ ୫ ବର୍ଷ ଜେଲ୍‌

କେନ୍ଦୁଝର : କେନ୍ଦୁଝର ସଦର ଥାନା ବଉଳମାଳ ଗ୍ରାମରେ ୨୦୧୫ ମସିହାରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସସ୍ମିତା ପାଢୀ ଗୋଟିଏ ପରିବାରର ୫ ଜଣଙ୍କୁ ୫ ବର୍ଷ ଲେଖା ଜେଲ୍‌ ଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୫ ମସିହା ଡିସେମ୍ବର ୩୦ ତାରିଖରେ ବଉଳମାଳ ଗ୍ରାମର ତବଜି ମହାନ୍ତ ଏବଂ ତାଙ୍କ ପଡ଼ୋଶୀ ଆନନ୍ଦ ମହାନ୍ତଙ୍କ ପରିବାର ମଧ୍ୟରେ ଘରବାଡ଼ ବୁଜାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ତବଜିଙ୍କ ପୁଅ ବିଭୀଷଣ ମହାନ୍ତ ସେଦିନ ସନ୍ଧ୍ୟାରେ ଆନନ୍ଦଙ୍କୁ ଡାକି କଥାବାର୍ତ୍ତା ହେଉଥିବା ବେଳେ ତବଜି, ତାଙ୍କ ସ୍ତ୍ରୀ ଟିକିଲିି, ଦୁଇ ପୁଅ ଯୁଧିଷ୍ଠିର ଓ ମାଧ ଆନନ୍ଦଙ୍କୁ ତାଙ୍କ ଘରକୁ ଉଠାଇ ନେଇଥିଲେ। ଘରେ ଏକ ଖୁଣ୍ଟରେ ତାଙ୍କୁ ବାନ୍ଧି ଠେଙ୍ଗାରେ ନିସ୍ତୁକ ମାଡ ମାରିବା ସହିତ ମାରଣାସ୍ତ୍ରରେ ଶରୀରର ବିଭିନ୍ନ ସ୍ଥାନକୁ ହାଣି ଦେଇଥିଲେ। ଆନନ୍ଦଙ୍କ ଚିତ୍କାର ଶୁଣି ତାଙ୍କ ବାପା ଏବଂ ଭାଇ ଆନନ୍ଦଙ୍କୁ ଉଦ୍ଧାର କରିବା ପାଇଁ ତବଜିଙ୍କ ଘରକୁ ଯାଇଥିଲେ। ହେଲେ ତବଜିଙ୍କ ପରିବାର ଲୋକେ ତାଙ୍କୁ ଘର ଭିତରକୁ ଛାଡିନଥିଲେ।

ଆନନ୍ଦଙ୍କ ବାପା ଏବଂ ଭାଇ ଗାଁ ଲୋକଙ୍କୁ ଡାକିଥିଲେ ମଧ୍ୟ ତବଜିଙ୍କ ପରିବାରକୁ ଭୟ କରି କେହି ସେଠାକୁ ଆସିବାକୁ ସାହସ କରିନଥିଲେ। ପରେ ଆନନ୍ଦଙ୍କ ସ୍ତ୍ରୀ ଜବରଦସ୍ତ ଆନନ୍ଦଙ୍କୁ ରଖାଯାଇଥିବା ଘରେ ପଶିବାରୁ ତାଙ୍କୁ ମଧ୍ୟ ତବଜିଙ୍କ ପରିବାର ଲୋକେ ଠେଙ୍ଗାରେ ମାଡ ମାରି ମୁଣ୍ଡ ଫଟାଇ ଦେବା ସହ ହାତ ଭାଙ୍ଗି ଦେଇଥିଲେ। ଗୁରୁତର ଅବସ୍ଥାରେ ଆନନ୍ଦ ଏବଂ ତାଙ୍କ ସ୍ତ୍ରୀ’ଙ୍କୁ କିଛି ସମୟ ପରେ ଘର ଲୋକେ ଉଦ୍ଧାର କରି ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଏହି ଘଟଣାର ପରଦିନ ପୁଲିସ ଏକ କେସ୍‌ ରୁଜୁ କରି ୫ ଜଣ ଅଭିଯୁକ୍ତ ତବଜି, ତାଙ୍କ ସ୍ତ୍ରୀ ଟିକିଲି, ପୁଅ ଯୁଧିଷ୍ଠିର, ବିଭୀଷଣ ଓ ମାଧଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାର ଚୂଡାନ୍ତ ବିଚାର କରି ଆଜି ଅତିରିକ୍ତ ଦୌରାଜଜ୍‌ ସସ୍ମିତା ପାଢୀ ୫ ଜଣ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖା ସଶ୍ରମ କାରାଦଣ୍ଡ ସହିତ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ନିର୍ଦେଶ ରହିଛି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ଦାସ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର