ସମୟ ସହ ବଢ଼ିଛି ବ୍ୟୟବରାଦ : ଶେଷ ହେଉନି ତେଲିଙ୍ଗିର ପ୍ରକଳ୍ପ

ଜୟପୁର : ଘୁଞ୍ଚି ଘୁଞ୍ଚି ଯାଉଛି ବହୁ ପ୍ରତୀକ୍ଷିତ ତେଲିଙ୍ଗିର ଜଳସେଚନ ପ୍ରକଳ୍ପ। ନିର୍ମାଣ ଶେଷ କରିବାକୁ ନିର୍ଧାରିତ ହୋଇଥିବା ଅବଧି ପରେ ପୁଣି ୬ବର୍ଷ ଅତିକ୍ରମ କରି ସାରିଲାଣି। ତଥାପି ଏହି ପ୍ରକଳ୍ପର ବହୁ କାମ ବାକି ରହିଛି।

କୋରାପୁଟ ଜିଲ୍ଲାର ଜୟପୁର ଓ ବୋରିଗୁମ୍ମା ବ୍ଲକରେ ୬ ହଜାରରୁ ଊର୍ଧ୍ୱ ହେକ୍ଟର ଜମିରେ ଜଳସେଚନ ପାଇଁ ୧୯୯୯ ମସିହାରେ ଏହି ମେଗା ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଥିଲା। ୨୦୧୨ ମସିହା ସୁଦ୍ଧା ବିସ୍ଥାପନ, ଜମି ଅଧିଗ୍ରହଣ ସହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ୧୦୬ କୋଟି ଟଙ୍କା ବ୍ୟୟ ବରାଦ ହୋଇ କାମ ଆରମ୍ଭ ହୋଇଥିଲା। ତେବେ ସମୟ ଗଡ଼ିବା ସହ ପ୍ରକଳ୍ପର ଅଟକଳ ବି ପ୍ରାୟ ୯ଗୁଣ ବଢ଼ିଛି। ଦୁଇଟି ପର୍ଯ୍ୟାୟରେ ବ୍ୟୟ ଅଟକଳ ବୃଦ୍ଧି ପାଇ ୯୯୨କୋଟି ୮୫ଲକ୍ଷ ଟଙ୍କାରେ ପହଞ୍ଚିଛି। ବିସ୍ଥାପନ ଓ କାର୍ଯ୍ୟରେ ମନ୍ଥରତା ଯୋଗୁଁ ବିଳମ୍ବିତ ହେବାରେ ଲାଗିଛି ଏହି ପ୍ରକଳ୍ପ। କେବଳ ସାନ୍ତ୍ୱନାମୂଳକ ଭାବେ ଗତବର୍ଷ ଜୁନରେ ସ୍ପିଲେଓ୍ଵରୁ ପରୀକ୍ଷା ମୂଳକ ଜଳ ଛଡାଯାଇଥିଲା।

୮୦ ଦଶକରେ ଉପରକୋଲାବ ଜଳ ଭଣ୍ଡାର ପ୍ରତିଷ୍ଠା ହୋଇଥିଲା। ଏହାପରେ ବି କୋରାପୁଟ ଜିଲ୍ଲାର ଅର୍ଧାଧିକ ଅଞ୍ଚଳରେ କମି ନଥିଲା ଜଳକଷ୍ଟ। ଏହାକୁ ଦୃଷ୍ଟିରେ ରଖି ବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାର ଅନ୍ତର୍ଗତ ମୁରାନ ଡ୍ୟାମର ଉପନଦୀ ତେଲିଙ୍ଗିରରେ ମେଗା ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରିଥିଲେ। ମୁରାନ ଡ୍ୟାମକୁ ଜଳ ଯିବା ପୂର୍ବରୁ ତେଲିଙ୍ଗିର ନଦୀ ଜଳକୁ ଅଟକାଇ ଚାଷ ଓ ପାନୀୟ ଜଳ ବାବଦରେ ଯୋଗାଇ ଦେବାକୁ ଏହିି ଡ୍ୟାମର ପରିକଳ୍ପନା କରାଯାଇଥିଲା।  ୫ଶହ ହେକ୍ଟର ଅଞ୍ଚଳ ବୁଡ଼ିଯିବା ନେଇ ଆଶଙ୍କା ଥିଲେ ମଧ୍ୟ ୨୦ଗୁଣ ଅଧିକ ଜମିକୁ ଜଳସେଚତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ।  ଏହାପରେ  ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଏଯାବତ୍‌ ଶେଷ ହୋଇନାହିଁ।

ସୂଚନା ଅନୁସାରେ, ଡ୍ୟାମରେ ୬୩୩ମିଟର ଜଳ ଗଚ୍ଛିତ ରଖିବା ପାଇଁ ମାଟି ଓ କଂକ୍ରିଟ ସ୍ପିଲ େଓ୍ଵ ବର୍ତମାନ ନିର୍ମାଣଧୀନ ରହିଛି। ୧୨ମିଟର ଲମ୍ବା ଦୁଇଟି ମାଟିବନ୍ଧ ମଧ୍ୟରେ ଏହି ସ୍ପିଲେଓ୍ଵ ନିର୍ମାଣ ହେଉଛି। ଅଧିକାଂଶ କାମ ପ୍ରାୟ ଶେଷ ହୋଇ ଯାଇଛି। ଆସନ୍ତା ଜୁଲାଇ କିମ୍ବା ଅତିବେଶୀରେ ଅଗଷ୍ଟ ସୁଦ୍ଧା ପ୍ରକଳ୍ପଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ ବାଲି ପ୍ରକଳ୍ପର ମୁଖ୍ୟ ନିର୍ମାଣଯନ୍ତ୍ରୀ ଇଂ.ସୁରେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର