ନବରଙ୍ଗପୁର: ନବରଙ୍ଗପୁର ଡାବୁଗାଁର ଖରକି ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇ ଶିକ୍ଷକ ଭୂମିକାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନଜର ଆସିଛନ୍ତି। ସ୍କୁଲରେ ପାଠପଢ଼ା ଓ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିବା ସହ ମନୋହର ରନ୍ଧାରୀ ପିଲାଙ୍କୁ ଗଣିତ ପଢ଼ାଇଥିଲେ । ବିଧାୟକ ସ୍କୁଲରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିବାର ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବିଧାୟକଙ୍କ ସହ ରାଜ୍ୟ ଅନୁସୂଚିତଜାତି ଓ ଜନଜାତି ବିଭାଗରର ଉପଦେଷ୍ଟା ମୁନ୍ନା ଖାଁ ମଧ୍ୟ ବିଦ୍ୟାଳୟରେ ପରିଦର୍ଶନରେ ଯାଇଥିଲେ । ମନ ଦେଇ ପାଠପଢ଼ିବା ପାଇଁ ପିଲାମାନଙ୍କୁ ବିଧାୟକ ଉପଦେଶ ଦେଇଛନ୍ତି। ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ବିଧାୟକଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।
ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ମନୋହର ରନ୍ଧାରୀ ଗତ କିଛି ଦିନ ତଳେ ତାଙ୍କ ନିର୍ବାଚନ ମଣ୍ଡଳୀର ଜନୈକ ବ୍ୟକ୍ତିଙ୍କ ଶବ କାନ୍ଧେଇ ଚର୍ଚ୍ଚାର ପରିଧିକୁ ଆସିଥିଲେ । ସବୁବେଳେ ନିଜର ନିଆରା କାର୍ଯ୍ୟଶୈଳୀ ପାଇଁ ଗଣମାଧ୍ୟମରେ ଶରୋନାମା ପାଲଟିଥିବା ମନୋହର ରନ୍ଧାରୀ ଶିକ୍ଷକ ଭୂମିକାରେ ଆସି ପୁଣି ପ୍ରଶଂସା ସାଉଣ୍ଟିଛନ୍ତି ।