ଆନେନସେଫାଲିରେ ପୀଡ଼ିତ ଶିଶୁ କଟକ ଶିଶୁ ଭବନ ସ୍ଥାନାନ୍ତର

ନବରଙ୍ଗପୁର: ଆନେନସେଫାଲି ରୋଗରେ ପୀଡିତ ଶିଶୁର ଚିକିତ୍ସା ପାଇଁ ହାତ ବଢ଼େଇଲା ପ୍ରଶାସନ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଶିଶୁକୁ କଟକ ସ୍ଥାନାନ୍ତର ପାଇଁ ରେଡକ୍ରସ ପାଣ୍ଠିରୁ ୨୨ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହାବ୍ୟତୀତ ଉକ୍ତ ଶିଶୁର ଚିକିତ୍ସା ଖର୍ଚ୍ଚ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କଟକକୁ ସ୍ଥାନାନ୍ତର ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଉପସ୍ଥିତ ରହି ଶିଶୁର ବାପା ନୀଳାମ୍ବର ନାୟକଙ୍କ ସହ ଆଲୋଚନା କରିଥିଲେ। ପ୍ରକାଶ ଥାଉକି, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୧୨ ତାରିଖ ଦିନ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଉମରି ଗ୍ରାମର ନୀଳାମ୍ବର ନାୟକଙ୍କ ପତ୍ନୀ ହେମ ଶିଶୁ ପୁତ୍ର ଜନ୍ମ ଦେଇଥିବା ବେଳେ ସେ ଆନେନସେଫାଲିରେ ପୀଡିତ ଜଣାପଡିଥିଲା।

ଜନ୍ମ ସମୟରେ ଉକ୍ତ ଶିଶୁର ଆଖି, ନାକ, କାନ ବଡ ହେବା ସହ ମୁଣ୍ଡର ଖପୁରି ଉପରେ ଏକ ମାଂସ ପିଣ୍ଡୁଳା ରହିଥିଲା। ଫଳରେ ନବଜାତ ଶିଶୁକୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇଥିଲା। ସେଠାରେ ଚିକିତ୍ସା ପରେ ମେଡିକାଲ ପକ୍ଷରୁ କଟକ ନେବା ପାଇଁ କୁହାଯାଇଥିଲା। ତେବେ ନୀଳାମ୍ବରଙ୍କ ଆର୍ଥିକ ଅବସ୍ଥା ସ୍ୱଛଳ ନଥିବାରୁ ସେ ନେବା ପାଇଁ ମନା କରିଦେଇଥିଲେ। ଏ ସଂକ୍ରାନ୍ତରେ ବିଭିନ୍ନ ଖବର କାଗଜରେ ପ୍ରକାଶ ହେବା ପରେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଧେଶରେ ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା କମିଟି ପକ୍ଷରୁ ନୀଳାମ୍ବର ନାୟକଙ୍କ ସହ ଯୋଗାଯୋଗ କରି ଆଲୋଚନା ପରେ ସହାୟତା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର