ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ନୂଆକଟସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି। ଏହି ବିଦ୍ୟାଳୟରେ ୯ମ ଓ ୧୦ମ ପିଲାଙ୍କୁ ପଢ଼ାଉଥିବା ଇଂରାଜୀ ଶିକ୍ଷକଙ୍କର ଅନ୍ୟତ୍ର ବଦଳି ହୋଇଛି। ମୁଣ୍ଡ ଉପରେ ଦଶମ ଶ୍ରେଣୀର ତ୍ରୟମାସିକ ପରୀକ୍ଷା ଥିବା ବେଳେ ଆସନ୍ତା ନଭେମ୍ବର ମାସରେ ଉଭୟ ନବମ ଓ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ରହିଛି। ପାଠ୍ୟପୁସ୍ତକ ମିଳିନଥିବାରୁ ପାଠ ବି ସରିନି। ଏପରି ସ୍ଥଳରେ ଇଂରାଜୀ ଶିକ୍ଷକଙ୍କ ବଦଳିକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଗ୍ରହଣ କରି ପାରି ନାହାନ୍ତି । ଛାତ୍ରଛାତ୍ରୀଙ୍କ ଦାବି ହେଲା ଯେ, ସେ ଜଣେ ଉତ୍ତମ ଶିକ୍ଷକ ଓ ତାଙ୍କୁ ପରୀକ୍ଷା ସମୟରେ ବଦଳି କରାଯିବା ଉଚିତ ନୁହେଁ।
Sambad is now on WhatsApp
Join and get latest news updates delivered to you via WhatsApp
ଛାତ୍ରଛାତ୍ରୀମାନେ କହିଛନ୍ତି, ଶିକ୍ଷକଙ୍କ ବଦଳି ବାତିଲ ନହେବା ଯାଏ ଏହି ଆନ୍ଦୋଳନ ଚାଲୁ ରହିବ। ଏହି ବିଦ୍ୟାଳୟରେ ପ୍ରଥମରୁ ୮ମ ପର୍ଯ୍ୟନ୍ତ ପ୍ରାଥମିକ ଏବଂ ୯ମରୁ ୧୦ ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟର ସୁବିଧା ରହିଛି। ପ୍ରଥମରୁ ୮ମ ପର୍ଯ୍ୟନ୍ତ ୩୬୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୯ମ ଓ ୧୦ମ ଶ୍ରେଣୀରେ ୧୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଠାରେ ପ୍ରାଥମିକ ଶିକ୍ଷା ପାଇଁ ୫ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିବା ବେଳେ ହାଇସ୍କୁଲ ପାଇଁ ଖେଳ ଶିକ୍ଷକଙ୍କ ସମେତ ୭ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏବେ ପରୀକ୍ଷାର ସମୟ ହୋଇଥିବାରୁ ଶିକ୍ଷକ ବଦଳି ବାତିଲ କରାଯାଉ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲୋକନାଥ ମିର୍ଗାନ ଦାବି କରିଛନ୍ତି।