ରାସ୍ତାକଡ଼ରେ ଗାଡ଼ି ରଖି ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର, ଯୁବକ ମୃତ

ନବରଙ୍ଗପୁର: ରାସ୍ତାକଡ଼ରେ ଗାଡ଼ି ରଖି ଶୌଚ ପାଇଁ ଯାଇଥିବା ବେଳେ ଭାଲୁର ଆକ୍ରମଣ ହୋଇ ବୁଧବାର ଜଣେ ଯୁବକ ଜୀବନ ହରାଇଛନ୍ତି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର କୁଜାଗୁଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ପାପଡ଼ାହାଣ୍ଡି ବ୍ଲକର ଦଳେଇଗୁଡ଼ା ଗ୍ରାମର ପ୍ରଭୁ ଭତ୍ରା(୩୨) ଭଡ଼ା ଗାଡ଼ି ନେଇ କୋଟପାଡ଼ ଅଞ୍ଚଳକୁ ଯାଇଥିଲେ। ଫେରିବା ବାଟରେ ସେ କୁଜାଗୁଡ଼ା ଗ୍ରାମ ନିକଟରେ ଗାଡ଼ିକୁ ରଖି ଶୌଚ ପାଇଁ ପୋଖରୀ ନିକଟକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଅଚାନକ ଏକ ଭାଲୁର ଆକ୍ରମଣର ଶିକାର ହୋଇଥିଲେ।

ଆକ୍ରମଣ ପରେ ବି ଭାଲୁ ପ୍ରଭୁ ଭତ୍ରାଙ୍କୁ ପ୍ରାୟ ଅଢ଼େଇ ଘଣ୍ଟା ଜଗି ରହିଥିଲା। ଗାଁଲୋକେ ଭାଲୁକୁ ଘଉଡ଼ାଇବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ପରେ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ବନ ବିଭାଗର କର୍ମଚାରୀମାନେ ଟ୍ରାଇଙ୍ଗୁଲାର ଫାୟରିଂ କରି ଭାଲୁକୁ ଘଉଡ଼ି ଥିଲେ। କିନ୍ତୁ ସେତେବେଳକୁ ପ୍ରଭୁ ଭତ୍ରାଙ୍କ ଜୀବନ ଦୀପ ଲିଭି ସାରିଥିଲା। ରିପୋର୍ଟ ଲେଖାଯିବା ବେଳକୁ ମୃତବ୍ୟକ୍ତିଙ୍କ ଶବ ହସ୍ପିଟାଲ ପଠାଯିବା ପାଇଁ ବନ୍ଦୋବସ୍ତ କରାଯାଉଛି।

ସମ୍ବନ୍ଧିତ ଖବର