ବୀଭତ୍ସ! ନବଜାତକକୁ ଝୁଣି ଖାଇଲେ କୁକୁର

ନୟାଗଡ଼: ନୟାଗଡ଼ ସହରର ଛାତି ଉପରେ ଥିବା ରାଜାବଗିଚା ସିଂହ ଗଳିରୁ ଆଜି ଏକ ନବଜାତକ ମୃତ ଶିଶୁର ଶବ ଉଦ୍ଧାର କରାଯାଇଛି। ଅପରାହ୍ଣ ପ୍ରାୟ ୩ଟା ସମୟରେ ଏକ ବୁଲା କୁକୁର ସ୍ଥାନୀୟ ଡ୍ରେନ୍‌ରେ ଫିଙ୍ଗା ଯାଇଥିବା ନବଜାତକର ଶବକୁ ଆଣି ଖାଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ନଜରରେ ଏହା ପଡ଼ିଥିଲା। ଲୋକମାନେ ଘଉଡ଼ାଇବାରୁ କୁକରଟି ଶବକଟିକୁ ଛାଡ଼ି ପଳାଇଥିଲା। ସେତେବେଳକୁ କୁକୁରଟି ମୃତ ଶିଶୁ ଶରୀର କିଛି ଅଂଶ ଖାଇସାରିଥିଲା। ପ୍ରାୟ ଦିନେ କି ଦୁଇ ଦିନ ଡ୍ରେନ୍‌ରେ ପଡ଼ି ରହିବା ପରେ ଶିଶୁଟିକୁ କୁକୁର ଠାବ କରିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ପହଞ୍ଚି ମୃତ ଶିଶୁର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ଏହା ଶିଶୁ କନ୍ୟା କି ପୁତ୍ର କହିହେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ୭/୧୮ରେ ଏକ ୟୁଡି କେସ୍‌ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଆଇଆଇସି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୮ ତାରିଖରେ ନୟାଗଡ଼ ବ୍ଲକ୍‌ ଖୁଣ୍ଟବନ୍ଧ କଲ୍ୟାଣ ମଣ୍ଡପ ନିକଟରୁ ଦୁଇ ଦିନର ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଥିଲା। ସେହିପରି ଫେବ୍ରୁଆରି ୧୬ ତାରିଖରେ ମଧ୍ୟ ଗମ୍ଭାରିଡିହି ଗ୍ରାମ ପୋଲ ତଳୁ ଏକ ମୃତ ଶିଶୁକନ୍ୟାର ଶବ ଉଦ୍ଧାର ହୋଇଥିଲା।

ସମ୍ବନ୍ଧିତ ଖବର