ବାସୁଦେବପୁର ପରେ ନୟାଗଡ଼ : ୪ ବର୍ଷର ବାଳକକୁ ହତ୍ୟା

ନିଖୋଜର ଦୁଇ ଦିନ ପରେ ଚୁଆରୁ ମିଳିଲା ମୃତଦେହ

ନୟାଗଡ଼ : ନୟାଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ଗାୟତ୍ରୀ କଲୋନିରୁ ଗତ ଦୁଇ ଦିନ ଧରି ନିଖୋଜ ଥିବା ୪ ବର୍ଷର ବାଳକର ମୃତଦେହ ଆଜି ସକାଳୁ ସନ୍ଦେହଜନକ ଅବସ୍ଥାରେ ଜଜାଙ୍ଗସାହିସ୍ଥିତ ଏକ ଚୁଆ ଭିତରୁ ଉଦ୍ଧାର କରାଯାଇଛି। ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାରିପାର୍ଶ୍ୱିକ ଅବସ୍ଥା ଓ ଆଶୁତୋଷର ବେକରେ ଦାଗ ରହିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏ ନେଇ ପୁଲିସ୍‌ କୌଣସି ସ୍ପଷ୍ଟ ସୂଚନା ଦେଇନଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛି। ସେପଟେ ବାଳକର ବାପା ଓ ଅନ୍ୟମାନେ ଏ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଭଦ୍ରକ ବାସୁଦେବପୁର ଅଞ୍ଚଳରେ ବି ଦୁଇ ଜଣ ନିଖୋଜି ଶିଶୁଙ୍କ ମୃତ ଦେହ ଠିକ୍‌ ଏହି ଭଳି ପରିସ୍ଥିତିରେ ପୋଖରୀରୁ ମିଳିଥିଲା। ଏ ନେଇ ଚର୍ଚ୍ଚା ଥମି ନଥିବା ବେଳେ ନୟାଗଡ଼ରେ ଏଭଳି ଏକ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ ଗଣିଆ ଥାନା ସିଧାମୁଳାର ଦିଲୀପ ସ୍ୱାଇଁଙ୍କ ଏକମାତ୍ର ପୁଅ ଆଶୁତୋଷ (୪) ନୟାଗଡ଼ ଗାୟତ୍ରୀ କଲୋନିରେ ଜେଜେ ବାପା ଓ ଜେଜେ ମା’ଙ୍କ ସହ ରହି ଆସୁଥିଲା। ଦିଲୀପ ବାହାରେ ଚାକିରି କରିଥିବାବେଳେ ତାଙ୍କ ସ୍ତ୍ରୀଙ୍କ କିଛି ବର୍ଷ ପୂର୍ବରୁ ରୋଗରେ ମୃତ୍ୟୁ ହୋଇଯାଇଛି। ଏଣୁ ଜେଜେ ବାପା-ଜେଜେ ମା’ଙ୍କ ପାଖରେ ଆଶୁତୋଷ ରହି ଆସୁଥିଲା। ଗତ ୨୨ ତାରିଖ ଦିନ ଗୋଟାଏରେ ଆଶୁତୋଷ ଘରେ ଖାଇସାରି ଦୁଆର ମୁହଁକୁ ଖେଳିବାକୁ ଯାଇଥିଲା। ଏହା ପରଠାରୁ ତାର ଖୋଜ ଖବର ମିଳିନଥିଲା। ଦିନତମାମ୍‌ ଖୋଜାଖୋଜି ପରେ ନାତିର କୌଣସି ସନ୍ଧାନ ନମିଳିବାରୁ ସଂଧ୍ୟାରେ ଜେଜେ କାଶୀନାଥ ଏ ସଂପର୍କରେ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ନାତିକୁ କେହି ଅପହରଣ କରି ନେଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୋଗକୁ ଭିତ୍ତି କରି ଟାଉନ୍‌ ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଦିନ ବହୁ ଖୋଜାଖୋଜି କରିଥିଲେ ବି ଆଶୁତୋଷର ସନ୍ଧାନ ପାଇନଥିଲା। ଆଜି ହଠାତ୍‌ ଏକ ଚୁଆ ଭିତରୁ ଆଶୁତୋଷର ମୃତଦେହ ମିଳିବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ବାପା ଦିଲୀପ ଓ ଜେଜେ କାଶୀନାଥଙ୍କ କହିବା ମୁତାବକ, ଆଶୁତୋଷ ନିଖୋଜ ହେବା ଦିନ ପରିବାର ଲୋକେ ଆଖପାଖ ଅଂଚଳରେ ବହୁ ଖୋଜାଖୋଜି କରିଥିଲେ। ଆଜି ଯେଉଁ ଚୁଆରୁ ମୃତଦେହ ଉଦ୍ଧାର କରାଯାଇଛି, ସେଠାକୁ ବି ଯାଇଥିଲେ। କିନ୍ତୁ ସେଠାରୁ ଆଶୁତୋଷ ସଂପର୍କରେ କୌଣସି ସୁରାକ୍‌ ମିଳିନଥିଲା। ଆଜି ଚୁଆ ଭିତରେ ଆଶୁତୋଷର ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଯେଉଁ ସମୟରେ ପରିବାର ଲୋକେ ଖୋଜାଖୋଜି କରୁଥିଲେ, ସେ ସମୟରେ ଚୁଆରେ କୌଣସି ଚପଲ ବି ଭାସୁନଥିଲା। ଯଦି ଆଶୁତୋଷ ବୁଡ଼ି ଯାଇଥିଲା, ତେବେ ତା’ର ଚପଲ ପାଣିରେ ଭାସିବା କଥା। କିନ୍ତୁ ସେପରି କିଛି ନହେବା ଘଟଣା ସନ୍ଦେହ ସୃଷ୍ଟି କରୁଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଅପହରଣ କରି ନେଇଥିବା ବ୍ୟକ୍ତି ଭୟରେ ଆଶୁତୋଷକୁ ହତ୍ୟା କରି ଚୁଆରେ ଫିଙ୍ଗି ଦେଇଥିବା ପରିବାର ଲୋକେ କହିଛନ୍ତି।

ଏ ସଂପର୍କରେ ନୟାଗଡ଼ ଟାଉନ୍‌ ଥାନା ଅଧିକାରୀ ରଶ୍ମିରଂଜନ ପଟ୍ଟନାୟକ କହିଛନ୍ତି, ଆଶୁତୋଷର ମୃତଦେହ ଉଦ୍ଧାର ପରେ ଯାଂଚ୍‌ କରାଯାଇଥିଲା। କିନ୍ତୁ ଆଶୁତୋଷ ଦେହରେ ସେପରି କୌଣସି ବଡ଼ କ୍ଷତ ଚିହ୍ନ ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କି ଅନ୍ୟ କିଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର