ଜମି ବିବାଦରୁୁ ହଣାକଟା:୨ ଗୁରୁତର, ୩ ଆହତ

ଆକ୍ରମଣକାରୀ ପରିବାରର ୪ ଗିରଫ

ନୟାଗଡ଼: ଦୀର୍ଘ ବର୍ଷ ଧରି ନୟାଗଡ଼ର ଦୁଇ ପରିବାର ମଧ୍ୟରେ ଲାଗିରହିଥିବା ଜମି ବିବାଦ ଆଜି ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଗୋଟିଏ ପରିବାରର ମାଆ ଓ ପୁଅ ଗୁରୁତର ଆହତ ହୋଇଥିବା ବେଳେ ଅପର ପକ୍ଷର ଦୁଇ ଯାଆ ଆହତ ହୋଇଛନ୍ତି। ଆକ୍ରମଣକାରୀ ପରିବାରର ୪ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ନିକଟରୁ ପ୍ରାପ୍ତ ସୂଚନା ଅନୁସାରେ ନୟାଗଡ଼ ସଦର ବ୍ଲକ୍‌ ଇଟାମାଟି ଥାନା ଅଧୀନ ବଡ଼ ପଣ୍ଡୁସର ଗ୍ରାମର ଯୋଗେନ୍ଦ୍ର କଅଁର ଓ ରାମଚନ୍ଦ୍ର ମହାନ୍ତିଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମି ବିବାଦ ଲାଗିରହିଥିଲା।
ଉକ୍ତ ଜମିରେ କିଛି ମାସ ହେବ ରାମଚନ୍ଦ୍ରଙ୍କ ପରିବାର ପଥର ପୋତି ସୀମା ନିର୍ଦ୍ଧାରଣ କରିଥିଲେ। ଗତକାଲି ଅପରାହ୍ଣରେ ଏହି ପଥର ପୋତିବା ଘଟଣା ସମ୍ପର୍କରେ ଯୋଗେନ୍ଦ୍ରଙ୍କ ପରିବାର ରାମଚନ୍ଦ୍ରଙ୍କୁ ପଚାରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ସନ୍ଧ୍ୟାରେ ଏଥିନେଇ ରାମଚନ୍ଦ୍ର ଇଟାମାଟି ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଗ୍ରାମରେ ଆପୋସ ସମାଧାନ କରିବାକୁ ଥାନା ପକ୍ଷରୁ ରାମଚନ୍ଦ୍ରଙ୍କୁ ପରାମର୍ଶ ଦିଆଯାଇଥିଲା। ହେଲେ ଆଜି ସକାଳେ ଯୋଗେନ୍ଦ୍ରଙ୍କ ପତ୍ନୀ ଝୁନୁ ଓ ଭାଇବୋହୂ ଗୋଲାପ ବିଲରୁ ଫେରୁଥିବା ସମୟରେ ରାମଚନ୍ଦ୍ରଙ୍କ ସ୍ତ୍ରୀ ଇକି ତାଙ୍କୁ ଦେଖେଇଶିଖେଇ କହିଥିଲେ।
ଏଥିନେଇ ଘଟଣାସ୍ଥଳରେ ଏହି ଦୁଇ ଯାଆ ଓ ଇକିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗୋଲାପ ଓ ଝୁନୁ ଘରକୁ ଆସି ସ୍ୱାମୀ ଯୋଗେନ୍ଦ୍ର ଓ ପ୍ରହ୍ଲାଦ (ଝୁନୁଙ୍କ ସ୍ୱାମୀ)ଙ୍କୁ ଜଣାଇଥିଲେ। ଏହା ପରେ ଯୋଗେନ୍ଦ୍ର ଓ ତାଙ୍କ ପୁଅ ଗଣେଶ, ଭାଇ ପ୍ରହ୍ଲାଦଙ୍କ ସମେତ ଦୁଇ ଯାଆ ରାମଚନ୍ଦ୍ରଙ୍କ ପରିବାର ଉପରେ ଠେଙ୍ଗା, ବାଡ଼ି, କଟୁରି ଆଦି ନେଇ ଆକ୍ରମଣ କରିବାକୁ ଯାଇଥିଲେ। ସେତିକିବେଳେ ରାମଚନ୍ଦ୍ର ଘରେ ନଥିବାରୁ ଯୋଗେନ୍ଦ୍ରଙ୍କ ପରିବାର ରାମଚନ୍ଦ୍ରଙ୍କ ସ୍ତ୍ରୀ ଇକି, ଦୁଇ ପୁଅ ପାଣ୍ଡବ ଓ ଗେଣ୍ଡାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଇକି ଓ ପାଣ୍ଡବ ଗୁରୁତର ଆହତ ହୋଇଛନ୍ତି। ପାଣ୍ଡବଙ୍କ ମୁଣ୍ଡରେ କଟୁରି ଚୋଟ ବସିଥିବାରୁ ସେ ଘଟଣାସ୍ଥଳରେ ଅଚେତ ହୋଇଯାଇଥିଲେ। ଗେଣ୍ଡା ନିଜ ମା’ ଓ ଭାଇ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦ କରିବାକୁ ଯାଇ ଆହତ ହୋଇଛନ୍ତି। ପ୍ରତି ଆକ୍ରମଣରେ ଦୁଇ ଯାଆ ଗୋଲାପ, ଝୁନୁ ସାମାନ୍ୟ ଆହତ ହୋଇଛନ୍ତି। ଇକିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ପାଣ୍ଡବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଖବରପାଇ ଘଟଣାସ୍ଥଳରେ ଇଟାମାଟି ପୁଲିସ୍‌ ପହଞ୍ଚିଥିଲା। ଉଭୟ ପକ୍ଷରୁ ୧୧୫/୧୮ ଓ ୧୧୬/ ୧୮ ରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଥିବା ଆଇଆଇସି ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି। ରାମଚନ୍ଦ୍ରଙ୍କ ଏତଲାକୁ ଭିତ୍ତି କରି ଯୋଗେନ୍ଦ୍ର, ଗୋଲାପ , ଝୁନୁ ଓ ଗଣେଶଙ୍କୁ ଇଟାମାଟି ପୁଲିସ୍‌ ଗିରଫ କରିଛି। ଯୋଗେନ୍ଦ୍ରଙ୍କ ପରିବାରର ଆଉ କିଛି ସଦସ୍ୟ ଫେରାର୍‌ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର