ମଣ୍ଡିରେ ପଡ଼ିଛି ୩ ହଜାର ବସ୍ତା ଧାନ : ବର୍ଷା ଆଶଙ୍କା ଚିନ୍ତାରେ ଚାଷୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ରବିଧାନ କିଣା ଠିକ ଭାବରେ ହୋଇପାରୁ ନଥିବା ଅଭିଯୋଗ ହେଉଛି। ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ବର୍ଷାର ପୂର୍ବନୁମାନ କରାଯାଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଚଳିତ ବର୍ଷ ଠିକ ଭାବେ ଧାନ କିଣିବା ପାଇଁ ଆରମ୍ଭରୁ ଜିଲ୍ଲାପାଳ ଡ. ପୋମା ଟୁଡୁ ପଦକ୍ଷେପ ନେଇଥିଲେ। ଗତ ୯ ତାରିଖରେ ଜିଲ୍ଲାପାଳ ଡ. ପୋମା ଟୁଡୁ ସାରାବଙ୍ଗ ମଣ୍ଡିକୁ ଶୁଭାରମ୍ଭ କରିଥିଲେ। ଆରମ୍ଭ ଦିନ ଧାନ କିଣା ହୋଇଥିଲା। ହେଲେ ଗତ ୧୨ ତାରିଖ ଦିନ ୧୬ ଜଣ ଚାଷୀଙ୍କ ୧୩୫୮ ବସ୍ତା ଧାନ ବିକ୍ରି ନହୋଇ ଖୋଲା ଆକାଶ ତଳେ ମଣ୍ଡିରେ ପଡି ରହିଥିଲା। ପରେ ବିଭାଗୀୟ ଅଧିକାରୀ ଯାଇ ବୁଝାସୁଝା କରିବା ପରେ ଧାନ ମଣ୍ଡି ଆରମ୍ଭ ହୋଇଥିଲା। କିନ୍ତୁ ଗତ ୧୬ ତାରିଖରୁ ପୁଣି ଧାନ ମଣ୍ଡିରେ ପଡି ରହିଥିଲା। ଧାନର ଆଦ୍ରତା ଯାହାର ୧୭ ପ୍ରତିଶତ ଥିବ ସେହି ଧାନ ନିଆଯିବ, ଅନ୍ୟ ଧାନ ନିଆଯିବ ନାହିଁ ବୋଲି ମିଲର ମନା କରି ଦେଇଥିଲେ। ୧୬ ତାରିଖ ଦିନ ସାରାବଙ୍ଗ ମଣ୍ଡିରୁ ମାତ୍ର ୧୦ଜଣ ଚାଷୀଙ୍କ ଠାରୁ ୪୪୬ କୁଇଣ୍ଟାଲ ଧାନ କିଣାଯାଇଥିଲା।

ହେଲେ ଅନ୍ୟ ଚାଷୀଙ୍କ ଉଠିପାରି ନଥିଲା। ଅନ୍ୟପକ୍ଷେ ୧୭ ତାରିଖ ଦିନ ମଣ୍ଡି ବନ୍ଦ ରହିଥିଲା। ଚାଷୀମାନେ ଧାନ ବସ୍ତାକୁ ଜଗି ବସିଥିଲେ। ଶୁକ୍ରବାର ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା ହେବା ପରେ ମିଲର ମାନେ ୧୭ ପ୍ରତିଶତ ଥିବା ଆଦ୍ରତା ଧାନ ଉଠାଇଥିଲେ। ଆଜି ମୋଟ ୨୩ ଜଣ ଚାଷୀଙ୍କ ଠାରୁ ୧୦୪୩ କୁଇଣ୍ଟାଲ ଧାନ ଉଠିଥିଲା। ଏନେଇ ସାରାବଙ୍ଗ ମଣ୍ଡିକୁ ଧାନ ନେଇ ଆସିଥିବା ଭଁଇଷମୁଣ୍ଡିର ଚାଷୀ ହେମସାଗର ରାଉତ ପ୍ରକାଶ କରିଛନ୍ତି ଯେ ଧାନ ମଣ୍ଡିରୁ ନେଇଯାଉଛି ଏହାକୁ ଶୁଖାଇବା ପରେ ଧାନକୁ ପୁଣି ମଣ୍ଡିକୁ ନେବୁ, ନଚେତ ଧାନକୁ ଛତିଶଗଡରେ ବିକ୍ରି କରିବାକୁ ବାଧ୍ୟ ହେବୁ ବୋଲି କହିଥିଲେ। ଏପଟେ ଆମାନାର ମଣ୍ଡିରେ ୩୦ଜଣ ଚାଷୀଙ୍କ ୩ ହଜାର ଧାନ ବସ୍ତା ପଡି ରହିଛି। ଏହି ମଣ୍ଡିରେ ୧୪ ତାରିଖ ଦିନ ୮୨୯ କୁଇଣ୍ଟାଲ, ୧୫ରେ ୧୨୦୪ କୁଇଣ୍ଟାଲ ଧାନ କିଣା ଯାଇଥିଲା। ୧୬ ତାରିଖ ଦିନ ଛୁଟି ରହିଥିବା ବେଳେ ୧୭ ତାରିଖ ଏବଂ ୧୮ ତାରିଖ ଦିନ ଧାନ ଉଠି ପାରିନଥିଲା। ଧାନର ଆଦ୍ରତା ପରୀକ୍ଷା କରିବା ପରେ ୭ଜଣ ଚାଷୀଙ୍କ ଧାନର ଆଦ୍ରତା ୧୭ ପ୍ରତିଶତ ରହିଥିଲା। ସମସ୍ତ ଚାଷୀଙ୍କ ଧାନ କିଣା ଯାଉ ବୋଲି ଚାଷୀ ମାନେ ଦାବି କରିଥିବା ବେଳେ ଖରାପ ଧାନ ବୋଲି କହି ମଣ୍ଡିରେ ମିଲର୍ସମାନେ କଟନି ଛଟନି କରିବା ଉଦ୍ଦେଶ୍ୟ ରଖୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ।

ଏହାକୁ ବିରୋଧ କରିବାରୁ ଆମାନାରା ମଣ୍ଡିରେ ଧାନ କିଣା ବନ୍ଦ ରହିଛି। ଏଠାରେ ୩ ହଜାରରୁ ଅଧିକ ବସ୍ତା ଧାନ ପଡ଼ି ରହିଥିବାବେଳେ ଦିନରେ ଖରା ଏବଂ ରାତିରେ ବର୍ଷାରେ ଚାଷୀଙ୍କୁ ଧାନକୁ ଜଗିବକେୁ ପଡୁଛି। ମଣ୍ଡିରେ ପ୍ୟାକ୍ସ ଧାନ କିଣିବାର ନିର୍ଦେଶ ଥିବାବେଳେ ମିଲର୍ସଙ୍କ ମର୍ଜିରେ ସବୁ କାରବାର ଚାଲିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଧାନ ଏଫଏକ୍ୟୁମାନର ହୋଇଥିବା ସ୍ୱତ୍ତ୍ୱେ ମିଲରମାନଙ୍କ ମର୍ଜିରେ ଧାନ ଉଠାଣ ହେଉଥିବା ଅଭିଯୋଗ ହେଉଛି। ଏଠାରେ ଧାନ ବିକ୍ରି ନହେଲେ ଛତିଶଗଡରେ ବିକ୍ରି କରିବୁ ବୋଲି ଆଜି ଚାଷୀମାନେ ଚେତାବନୀ ଦେଇଥିଲେ। ଆମାନାରା ମଣ୍ଡିକୁ ଧାନ ନେଇ ଆସିଥିବା ଚାଷୀ ମୋତିରାମ ସାହୁ କହନ୍ତି, ଆମେ କ୍ଷେତରେ ୪ ମାସ ଧାନ ଜଗିଲୁ ଏବେ ମଣ୍ଡିରେ ଜଗିଛୁ। ପ୍ରତିଦିନ ବର୍ଷା ହେଉଛି, ଧାନ ଶୁଖାଇବୁ କେଉଁଠି। ମିଲରମାନେ ୧୭ ପ୍ରତିଶତ ଆଦ୍ରତାର ଧାନ ନେଉଛନ୍ତି, ଅଧିକ ଆଦ୍ରତା ଥିଲେ ଫେରାଇ ନେବାକୁ କହୁଛନ୍ତି। ଏଥିପାଇଁ ଗାଡ଼ି ଭଡ଼ା ୩ ହଜାର ଟଙ୍କା ଦେବାକୁ ପଡ଼ିବ। ତେଣୁ ଯେଉଁଠି ଉଚିତ ମୂଲ୍ୟ ମିଳିବ ସେଠାରେ ଧାନ ବିିକୁ ବୋଲି ସେ କହିଥିଲେ।
ଅନ୍ୟପକ୍ଷେ ଚାଷୀମାନଙ୍କ ଅଭିଯୋଗ ରହିଛି ଯେ, ସମବାୟ ସଂସ୍ଥା ଓ ଆରଏମସି ମିଲର ଓ ଦଲାଲ ଉପରେ ନିର୍ଭର କରୁଛନ୍ତି। ଫଳରେ ଚାଷୀମାନେ କଟନି ଛଟନିର ଶିକାର ହେଉଛନ୍ତି। ଗତ ଖରିଫରେ ମଧ୍ୟ ସମାନସ୍ଥିତ ରହିଥିଲା। ପ୍ୟାକ୍ସ ଓ ମିଲର୍ସଙ୍କ ଭିତରେ ସଲାସୁତୁରା ଯୋଗୁଁ ଏହି କାରବାର ଜାରି ରହିଛି ଓ ଚାଷୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଧାନ ଯଦି ଏଫଏକ୍ୟୁ ନୁହେଁ ଉକ୍ତ ଧାନକୁ କାହିଁକି ୨/୩ କେଜି କଟନି ଛଟନି କରାଯିବ ବୋଲି ଚାଷୀ ପ୍ରଶ୍ନ କରିଥିଲେ। ଜିଲ୍ଲାପାଳ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର