ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇଲେ ଓଡ଼ିଶା ମୁଖ୍ୟ ସଚିବ

ଭବାନୀପାଟଣା: ଓଡ଼ିଶା ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଗୁରୁବାର କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାସ୍ଥିତ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇଛନ୍ତି। ଗାନ୍ଧୀଛକ ନିକଟସ୍ଥ ଆହାର କେନ୍ଦ୍ର କିପରି ଚାଲିଛି, ଲୋକଙ୍କୁ ଠିକ୍‌ ଭାବରେ ଖାଦ୍ୟ ଦିଆଯାଉଛି କି ନାହିଁ, ସ୍ୱଚ୍ଛାତା କିପରି ରହୁଛି, ଏସବୁର ଯାଞ୍ଚ କରିବା ପରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ସାଧାରଣ ଲୋକଙ୍କ ଭଳି ମଧ୍ୟାହ୍ନ ଭୋଜନ ଖାଇଛନ୍ତି।

ସୂଚନାଯୋଗ୍ୟ କଳାହାଣ୍ଡି ଜିଲ୍ଲାରେ ୪ଟି ଆହାର କେନ୍ଦ୍ର ଅଛି। ଏଗୁଡ଼ିକ ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼ ଓ କେସିଙ୍ଗାରେ ଅଛି। ଭାବାନୀପାଟଣାର ଗାନ୍ଧିଛକ ନିକଟରେ ଥିବା ଆହାର କେନ୍ଦ୍ରରେ ଦୈନିକ ୫୦୦ ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥାଏ।

ଶ୍ରୀ ତ୍ରିପାଠୀ ଧାଡ଼ିରେ ରହି ଅନ୍ୟମାନଙ୍କ ପରି ମଧ୍ୟାହ୍ନ ଭୋଜନ ଖାଇଥିଲେ। ସାଥୀରେ ଅନ୍ୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳ ଡ. ଗାଭାଲି ପରାଗ ହାଂସଦା ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ସଚିବଙ୍କ କଳାହାଣ୍ଡି ଗସ୍ତରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦବିରେ ଥିବା ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଶ୍ରୀ ତ୍ରିପାଠୀ ବୌଦ୍ଧ କରିଥିଲେ ଏବଂ ଆହାର କେନ୍ଦ୍ରରେ ଭୋଜନ କରିଥିଲେ।

ମୁଖ୍ୟ ସଚିବ ଆଜି କଳାହାଣ୍ଡି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଟାଟା କଂପାନୀ ଦ୍ୱାର ନିର୍ମାଣ ଚାଳିଥିବା ଏହି ପ୍ରକଳ୍ପ ଆସନ୍ତା ବର୍ଷ ସୁଦ୍ଧା ଶେଷ ହୋଇଯିବା ବୋଲି ଅନୁମାନ କରାଯାଉଛି। ମେଡିକାଲ କଲେଜର ସମୀକ୍ଷା ସମୟରେ ମୁଖ୍ୟ ସଚିବଙ୍କ ସହିତ ଜିଲ୍ଲାପାଳ ଓ ଏସ୍‌ପି ବାତୁଳା ଗଙ୍ଗାଧର ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ଅଧିକାରୀମାନେ ଯେତେବେଳେ ଜିଲ୍ଲା ପରିଦର୍ଶନରେ ସମୀକ୍ଷା ପାଇଁ ଯାଉଛନ୍ତି, ସେମାନେ ଅନାଥାଶ୍ରମ, ଶିଶୁ ମଙ୍ଗଳ କେନ୍ଦ୍ର, ସ୍କୁଲ ଓ ଆହାର କେନ୍ଦ୍ରରେ ଭୋଜନ କରନ୍ତୁ।

ସମ୍ବନ୍ଧିତ ଖବର