ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର କମିସନ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କୁ ଚିଠି
୨୦୧୬, ଜୁଲାଇ ୨୩ରେ ଗଠନ ହୋଇଥିଲା କମିସନ
କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ଗଠିତ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ତଦନ୍ତ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କୁ ଚିଠି ଲେଖା ଯାଇଛି। ୨୦୧୮, ଜାନୁଆରି ୨୨ ତାରିଖରେ କମିସନଙ୍କ ୬ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବ। ତେଣୁ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କୁ ଚିଠି ଲେଖା ଯାଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ଯେ ନୀଳାଦ୍ରିବିଜେ ବିଶୃଙ୍ଖଳା ପରେ ୨୦୧୬, ଜୁଲାଇ ୨୧ରେ ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଓ ଭକ୍ତମାନଙ୍କ ସୁରକ୍ଷା ସଂପର୍କରେ ତଦନ୍ତ କରି ପରାମର୍ଶ ପ୍ରଦାନ ପାଇଁ ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ ଘୋଷଣା କରିଥିଲେ। ୨୦୧୬, ଜୁଲାଇ ୨୩ରେ ତଦନ୍ତ କମିସନ ବସିବା ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ଧାର୍ଯ୍ୟ କରାଯାଇଥିଲା। ୨୦୧୭, ଜାନୁଆରି ୨୧ରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା। ବର୍ଦ୍ଧିତ ୬ ମାସ କାର୍ଯ୍ୟକାଳ ୨୦୧୭, ଜୁଲାଇ ୨୨ ତାରିଖରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ଥର କମିସନଙ୍କ କାର୍ଯ୍ୟକାଳ ପୁଣି ୬ ମାସ ବୃଦ୍ଧି କରାଯାଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
୨୦୧୭, ଏପ୍ରିଲ ୨୦ ତାରିଖରେ କମିସନ୍ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ୬୦ ପୃଷ୍ଠାର ଏହି ରିପୋର୍ଟରେ ଶ୍ରୀମନ୍ଦିରର ନିରାପତ୍ତା, ସୁରକ୍ଷା ବ୍ୟବସ୍ଥା, ପର୍ବପର୍ବାଣୀ ଓ ନୀତିକାନ୍ତି ସମୟରେ ଶୃଙ୍ଖଳା ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହା ପରେ ୨୦୧୭, ଡିସେମ୍ବର ୭ରେ କମିସନ ୪୮ ପୃଷ୍ଠା ସମ୍ବଳିତ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ଇତିହାସର ପ୍ରଚାର ପ୍ରସାର ଉପରେ ଏହି ରିପୋର୍ଟ ପ୍ରଦାନ କରାଯାଇଥିଲା। ଜଗନ୍ନାଥ ସଂସ୍କୃତି ସହିତ ଜଡିତ ରାଜ୍ୟର ବିଭିନ୍ନ ସ୍ଥାନର କିଭଳି ପ୍ରଚାର ପ୍ରସାର ହୋଇ ପାରିବ ସେ ସଂପର୍କରେ ବିସ୍ତତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଏହା ପରେ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ତୃତୀୟ ରିପୋର୍ଟ ଜଗନ୍ନାଥ ସେବକଙ୍କ କଲ୍ୟାଣ ଓ ଶ୍ରୀମନ୍ଦିରର ସଂସ୍କାରକୁ ନେଇ ଥିବା ଅନ୍ୟ କେତେକ ପ୍ରସଂଗରେ ପ୍ରଦାନ କରାଯିବ ବୋଲି ସୂଚନା ମିଳିିଛି।