ସମ୍ବଲପୁର: କାର୍‌ ଧକ୍କାରେ ଜଣେ ମୃତ, ୯ ବାଇକ ଆରୋହୀ ଗୁରୁତର

ଚାଳକଙ୍କୁ ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ସମ୍ବଲପୁର: କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ନିକଟରେ ଗୁରୁବାର ରାତିରେ ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ଏକ କାର ୬ଟି ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୧୦ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ସେମାନଙ୍କୁ ବୁର୍ଲା ମେଡିକାଲ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ଜିଲ୍ଲା ବୁଢ଼ିଖମାର ଗ୍ରାମର ଦୁର୍ଲଭ ସୁନାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥର ପାର୍ଶ୍ୱରେ ୬ଟି ବାଇକରେ ୧୦ ଜଣ ଲୋକ ଯାଉଥିଲେ। ସେଥିରୁ ଗୋଟିଏ ବାଇକରେ ଦୁର୍ଲଭ ମଧ୍ୟ ବସିଥିଲେ। ସେ ନିଜର ଝିଅର ବାହାଘର ପାଇଁ କୌଣସି ଏକ ସମ୍ପର୍କୀୟଙ୍କ ଘରକୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ। ଫେରିବା ବାଟରେ ଦ୍ରୁତ ଗତିରେ ଯାଉଥିବା ଏକ ଇଣ୍ଡିକାର ଧକ୍କା ଯୋଗୁଁ ପ୍ରାଣ ହରାଇଛନ୍ତି।

ସୂଚନା ପାଇ ପୁଲିସ ଘଟଣାସ୍ଥଲରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା ଘଟାଇଥିବା ଇଣ୍ଡିକା ଚାଳକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁତ ମାଡ଼ ମାରିଛନ୍ତି। ଏହା ପରେ ସେମାନେ ଇଣ୍ଡିକାରେ ନିଅାଁ ଲଗାଇ ଦେଇଛନ୍ତି। କାର ଚାଳକଙ୍କ ନାମ ଅସିତ କୁମାର ସାମଲ ବୋଲି ଜଣାପଡ଼ିଛି। ତାକୁ ଗୁରତର ଅବସ୍ଥାରେ ସମ୍ବଲପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର