କରୋନା ଭାଇରସ୍‌ ନେଇ ପାରାଦୀପ ବନ୍ଦରରେ କଟକଣା ଲାଗୁ, ବର୍ଥରେ ଅଟକି ରହିଛି ୭ଟି ଜାହାଜ

ପାରାଦୀପ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌କୁ ନେଇ ପାରାଦୀପ ବନ୍ଦରରେ କଟକଣା ଲାଗୁ ହୋଇଛି। ଫଳରେ ବର୍ଥରେ ଥିବା ୭ଟି ଜାହାଜ ଫସି ରହିଥିବା ଜଣାପଡ଼ିଛି। ଏହି ଜାହାଜଗୁଡ଼ିକୁ ବନ୍ଦର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ।

ସୂଚନା ଅନୁସାରେ ପାରାଦୀପ ବନ୍ଦରରେ ଲାଗିଥିବା ଏହି ଜାହାଜଗୁଡ଼ିକୁ ଚୀନ୍‌, ହଂଗକଂଗ୍‌ ଓ ସିଂଗାପୁରରୁ ଆସିଛି। ଜାହାଜଗୁଡ଼ିକ ବନ୍ଦର ଭିତରକୁ ପ୍ରବେଶ କରି ପଣ୍ୟ ବୋଝେଇ ଓ ଖଲାସ ପାଇଁ ଅନୁମତି ପାଇଥିଲେ ସୁଦ୍ଧା ସ୍ଥଳଭାଗ ଛୁଇଁବାକୁ କ୍ରିଉ ମେମ୍ବରମାନଙ୍କୁ ବାରଣ କରାଯାଇଛି। ଅନ୍ୟ ବିଦେଶୀ ଜାହାଜର କ୍ରିଉମାନଙ୍କୁ ପାରାଦୀପରେ ଓହ୍ଲାଇବାକୁ ଅନୁମତି ଥିଲେ ସୁଦ୍ଧା ବନ୍ଦରର ୪ ନମ୍ବର ଗେଟ୍‌ରେ ଲାଗିଥିବା ସ୍କାନର ଦ୍ଵାରା ସେମାନଙ୍କୁ ଭଲ ଭାବରେ ଯାଞ୍ଚ୍‌ କରାଯାଉଛି ।

Times of India

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ରାଜ୍ୟ ସରକାରଙ୍କ ତରଫରୁ ଆଡଭାଇଜରି ଜାରି ହେବାଠାରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏଭଳି ସତର୍କତା ମୁଳକ ପଦକ୍ଷେପ ନେଇଛନ୍ତି। ପୋର୍ଟ ହସ୍ପିଟାଲରେ ସ୍ୱତନ୍ତ୍ର ଆଇସୋଲେଟେଡ୍‌ କକ୍ଷ ଖୋଲାଯାଇଛି । ପାରାଦୀପକୁ ଆସୁଥିବା ଦେଶୀ ଓ ବିଦେଶୀ ସମସ୍ତ ଜାହାଜକୁ ପୋର୍ଟ ଆଙ୍କରେଜ୍‌ ଏରିଆରୁ ଯାଞ୍ଚ୍‌ କରାଯାଇ ବର୍ଥିଙ୍ଗ୍‌ ପାଇଁ ଛଡା ଯାଉଛି।

ରାଜ୍ୟ ସରକାର ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। କଟକର ଏସ୍‌ସିବି, ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ଓ୍ଵାର୍ଡ, ଜଣେ ନୋଡ଼ାଲ ଅଫିସର ଓ ଚିକିତ୍ସା କମିଟି ପାଇଁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର