ପଥର ବୋଝେଇ ଟ୍ରକ ଧକ୍କାରେ ୪ର୍ଥ ଶ୍ରେଣୀ ଛାତ୍ରୀ ମୃତ, ଉତ୍ତେଜିତ ଲୋକଙ୍କ ୭ ଲକ୍ଷ ଟଙ୍କା ଦାବୀ, ୨୮ ଘଣ୍ଟା ପରେ ବି ରାସ୍ତାରୋକ ଜାରି

କୁତ୍ରା: ପଥର ବୋଝେଇ ଟ୍ରକ୍‌ ଧକ୍କାରେ ସୋମବାର ଅପରାହ୍ନ ୪ଟାରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟଣାର ୨୮ ଘଣ୍ଟା ପରେ ମଙ୍ଗଳବାର ମଧ୍ୟ ଉତ୍ତେଜନା କମି ନାହିଁ। ସ୍ଥାନୀୟ ଲୋକେ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କା ଦାବୀ କରି ମୃତଦେହକୁ ଏକ ଫ୍ରିଜ୍‌ରରେ ଭର୍ତ୍ତି କରି ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି। ଫଳରେ ଯାତାୟତ ପ୍ରଭାବିତ ହୋଇଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ନମ୍ରିତାଙ୍କ ବିୟୋଗରେ ମା’ ସୁକ୍ରି ଲାକ୍ରା ଭାଙ୍ଗି ପଡ଼ିଛନ୍ତି। ମଝିରେ ମଝିରେ ଚେତାଶୂନ୍ୟ ହୋଇଯାଇଛନ୍ତି। ସ୍ୱାସ୍ଥ୍ୟଗତ ଅସୁବିଧା ଯୋଗୁଁ ସୋମବାର ରାତି ସୁକ୍ରିଙ୍କୁ ରାଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଘଣ୍ଟା ପର୍ଯ୍ୟନ୍ତ ଠିକ ହେବା ପରେ ସୁକ୍ରିଙ୍କ ପୂର୍ବଭଳି ଅବସ୍ଥା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଗରିଆମୁଣ୍ଡା ନିକଟରେ ସୋମବାର ଟିଉସନ୍‌ ପାଇଁ ଯାଉଥିବା ୪ର୍ଥ ଶ୍ରେଣୀର ଛାତ୍ରୀ ନମ୍ରିତା ଲାକ୍ରା ଓ ପ୍ରଥମ ଶ୍ରେଣୀର ଛାତ୍ର ନମ୍ରିତାର ଭାଇ ନିତ୍ୟାନନ୍ଦକୁ ଏକ ପଥର ବୋଝେଇ ଟ୍ରକ ( ଓଆର ୧୪ କ୍ୟୁ ୪୮ ୭୨) ଧକ୍କା ଦେଇଥିଲା। ଘଟଣାସ୍ଥଳରେ ନମ୍ରିତାଙ୍କ ମୃତ୍ୟୁ ହୋଇଥିବା ବେଳେ ନିତ୍ୟାନନ୍ଦକୁ ରାଜଗାଙ୍ଗପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନମ୍ରିତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଥିବା ବେଳେ ଉତ୍ତେଜିତ ଲୋକେ ମୃତଦେହକୁ ଛୁଇଁବାକୁ ଦେଇ ନାହାନ୍ତି।

ଘଟଣାସ୍ଥଳକୁ ଏସ୍‌ଡିପିଓ ବିଜୟ କୁମାର ନନ୍ଦ, ଆଇଆଇସି ସୁଶାନ୍ତ କୁମାର ପରିଡ଼ା ଏବଂ ତହସିଲଦାର ସୁପ୍ରଭା ଦାସ ପହଂଚିଛନ୍ତି। ପୁଲିସ ଟ୍ରକକୁ ଜବତ କରିଥିବା ବେଳେ ଟ୍ରକ ଚାଳକ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର