ଭଣ୍ଡାରିଆ!

0 140

ଅଧସ୍ତନ କର୍ମଚାରୀମାନେ ଯେତେବେଳେ ମୁନିବ କରିଥିବା ଭୁଲ୍‌କୁ ଭୁଲ୍‌ ବୋଲି ନ କହି ମୁନିବଙ୍କ ସମ୍ମୁଖରେ ଠିକ୍‌ ବୋଲି ଚିତ୍ରିତ କରନ୍ତି, ତାହାକୁ ତୋଷାମଦ କୁହାଯାଏ। ତୋଷାମଦର ଉପଯୋଗିତା ହେଲା ଏହା ମୁନିବକୁ ଖୁସି କରେ। ତୋଷାମଦର ବିପଦ ହେଲା ଏହା ମୁନିବକୁ ଆହୁରି ଭୁଲ୍‌ କରିବାକୁ ଉତ୍ସାହିତ କରିଥାଏ। ଏହି ଭୁଲ୍‌ର ଧାରା ଯଦି ଜାରି ରହେ, ତାହା ଶେଷରେ ମୁନିବର କ୍ଷତି ସାଧନ କରିପାରେ। ବରଂ ମୁନିବର ଯିଏ ପ୍ରକୃତ ଶୁଭାକାଙ୍‌୍‌କ୍ଷୀ, ସେ ଯଦି ଭୁଲ୍‌କୁ ଭୁଲ୍‌ ବୋଲି କହି ମୁନିବକୁ ସୁଧାରିପାରେ ତାହା ଶେଷରେ ମୁନିବର ମଙ୍ଗଳ ସାଧନ କରିଥାଏ। ନୀତି ଆୟୋଗର ଭାଇସ୍‌ ଚେଆର୍‌ମ୍ୟାନ୍‌ ରାଜୀବ କୁମାର ସୋମବାର ଦିନ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଓ ବିମୁଦ୍ରୀକରଣ ସମ୍ପର୍କରେ ପ୍ରଦାନ କରିଥିବା ଏକ ମନ୍ତବ୍ୟ ଦେଖିଲେ କାହାରି ମନରେ ସନ୍ଦେହ ରହିବ ନାହିଁ ଯେ ଏହା ସମ୍ପୂର୍ଣ୍ଣ ରୂପେ ତୋଷାମଦ ଶ୍ରେଣୀର ଏବଂ ନିଶ୍ଚିତ ରୂପେ ତାଙ୍କର ମୁନିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୁଷ୍ଟ କରିବା ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀ ମୋଦୀ ଗତ ସପ୍ତାହରେ ପ୍ରକାଶିତ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଚଉଠରେ ଦେଶର ମୋଟ ଜାତୀୟ ଉତ୍ପାଦ (ଜିଡିପି)ରେ ବୃଦ୍ଧି ହାର ସମ୍ପର୍କିତ ପରିସଂଖ୍ୟାନ ଦେଖି ନିଶ୍ଚୟ ଅତ୍ୟନ୍ତ ଖୁସି ହୋଇଥିବେ, କାରଣ ଏହା ତା’ର ପୂର୍ବବର୍ତ୍ତୀ ଛ’ ଚଉଠରେ ଲଗାତାର ହ୍ରାସ ପାଇ ଚାଲିଥିବା ଅଭିବୃଦ୍ଧି ହାର ଧାରାରେ ପରିବର୍ତ୍ତନ ଆସିଥିବାର ସୂଚନା ଦେଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ୨୦୧୬ ନଭେମ୍ବରର ବିମୁଦ୍ରୀକରଣ ପରଠାରୁ ହିଁ ଜିଡିପି ବୃଦ୍ଧି ହାର ଖସି ଚାଲିବା ଦେଖା ଯାଇଥିଲା। ପୃଥିବୀ ସାରାର ଅର୍ଥନୈତିକ ମନ୍ତବ୍ୟକାରମାନେ ପ୍ରାୟ ଏକମତ ଯେ ଅଚାନକ ବିମୁଦ୍ରୀକରଣର ପ୍ରଭାବ ଯୋଗୁଁ ହିଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାରରେ ଏପରି ସ୍ଖଳନ ଦେଖା ଦେଇଥିଲା। ରାଜୀବ କୁମାର ନୀତି ଆୟୋଗରେ ଉଚ୍ଚ ପଦ ଲାଭ କରିଥିଲେ ହେଁ ଜଣେ ଅର୍ଥନୀତିଜ୍ଞ ଭାବରେ ତାଙ୍କର ବିଶେଷ ସ୍ୱୀକୃତି ନାହିଁ। ସେ କିନ୍ତୁ କହିଛନ୍ତି ଯେ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇଁ ବିମୁଦ୍ରୀକରଣ ଦାୟୀ ନୁହେଁ। ଦାୟୀ ତା ହେଲେ କିଏ? ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌ ନୀତି ଅବଲମ୍ବନ ନ କରି ନୀତି ଆୟୋଗର ମୁଖ୍ୟ ଏହି ଦୋଷୀକୁ ଚିହ୍ନଟ କରିଛନ୍ତି: ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ରଘୁରାମ ରାଜନ୍‌। ରାଜନ୍‌ଙ୍କର ଦୋଷ ହେଲା ସେ ବ୍ୟାଙ୍କ୍‌ ମାନଙ୍କରେ ଅଳିଆ ଗଦା ଭଳି ବୃଦ୍ଧି ପାଇ ରହିଥିବା ଖରାପ ଋଣ ବା ‘ଏନ୍‌ପିଏ’ ଚିହ୍ନଟ କରିବାକୁ ଆରମ୍ଭ କରିଥିବା ଉଦ୍ୟମ ରାଜୀବ କୁମାରଙ୍କ ମତରେ ବ୍ୟାଙ୍କ୍‌ମାନେ କୁଆଡ଼େ ଏଥିଯୋଗୁଁ ଆତଙ୍କଗ୍ରସ୍ତ ହୋଇ ଋଣ ପ୍ରଦାନକୁ ସଙ୍କୁଚିତ କରିଦେଲେ, ଯେଉଁ କାରଣରୁ ଅଭିବୃଦ୍ଧିରେ ଧୀମା ଅବସ୍ଥା ପ୍ରବେଶ କଲା।

Panda Mobile only

ରାଜୀବ କୁମାର ଯଦି ରଘୁରାମ ରାଜନଙ୍କ ମୁଣ୍ଡରେ ଦୋଷ ଲଦିବାକୁ ଏପରି ଚେଷ୍ଟା ନ କରି ସଦ୍ୟ ପ୍ରକାଶିତ ପ୍ରଥମ ଚଉଠ ଜିଡିପି ବୃଦ୍ଧିକୁ ନିରେଖି ଦେଖିଥାନ୍ତେ, ତେବେ ସେ ରାଜନ୍‌ଙ୍କୁ ଦୋଷ ନ ଦେଇ ମଧ୍ୟ ମୋଦୀଙ୍କୁ ଯେ ଖୁସି ପରିପାରିଥାନ୍ତେ, ତାହା ହୁଏତ ଆବିଷ୍କାର କରିଥାନ୍ତେ! ପ୍ରକାଶିତ ସୂଚନା ଅନୁସାରେ ଭାରତୀୟ ଅର୍ଥନୀତି (ଜିଡିପି)ର ଚଳିତ ଆର୍ଥିକ ବର୍ଷର ପ୍ରଥମ ଚଉଠରେ ଅଭିବୃଦ୍ଧି ହାର ଅତୀତର ୫-୬%କୁ ପଛରେ ଛାଡ଼ି ଏକ ଅତ୍ୟନ୍ତ ସନ୍ତୋଷଜନକ ୮.୨% ହାସଲ କରିଛି ଯାହା ୨୦୧୫-୧୬ର ଉଚ୍ଚ ହାର (୯.୨%) ଠାରୁ ମାତ୍ର ୧% କମ୍‌। ଆଉ ଏ ଦୁଇ ହାର ମଧ୍ୟରେ ରହିଥିବା ତଫାତ୍‌ ଯେ ଅବିଳମ୍ବେ ଦୂରୀଭୂତ ହୋଇଯାଇପାରେ ତାହାର ଏକ ସୁରାକ ମଧ୍ୟ ଏହି ପ୍ରକାଶିତ ସୂଚନାର ଅନୁଶୀଳନରୁ ମିଳିଥାଏ। ତାହା ହେଲା ଅର୍ଥନୀତିର ଯେଉଁ କ୍ଷେତ୍ର ସବୁ ବିମୁଦ୍ରୀକରଣ ଆଘାତରେ ଅଧିକ ଆହତ ହୋଇଥିଲେ ସେସବୁ ସେ ଅବସ୍ଥାରୁ ମୁକୁଳି ପୁଣି ସ୍ୱାଭାବିକ ଭାବରେ ଅଗ୍ରଗତି କରିବାର ସୂଚନା ବର୍ତ୍ତମାନ ସ୍ପଷ୍ଟ। ଯେମିତି ରିଅଲ୍‌ ଇଷ୍ଟେଟ୍‌। ଗୁରୁତ୍ୱପୂର୍ଣ୍ଣ ଭାବରେ ମୋଟ ସ୍ଥାୟୀ ପୁଞ୍ଜି ସଂରଚନା କ୍ଷେତ୍ରରେ ଅତ୍ୟନ୍ତ ସନ୍ତୋଷଜନକ ବୃଦ୍ଧି ଘଟିବା ଦେଖାଯାଇଛି- ଗତବର୍ଷର ଏହି ପ୍ରଥମ ଚଉଠରେ ଏଥିରେ ବୃଦ୍ଧି ହାର ମାତ୍ର ୦.୮% ହୋଇଥିବା ବେଳେ ଚଳିତ ବର୍ଷ ଏହି ସମୟ କାଳରେ ସେଥିରେ ବୃଦ୍ଧି ଘଟିଛି ୧୦%। ପୁଞ୍ଜି ନିବେଶରେ ବିମୁଦ୍ରୀକରଣ ପରେ ଦେଖା ଦେଇଥିବା ଶିଥିଳତା ଓ କୁଣ୍ଠା ଯେ ଦୂର ହେବାକୁ ଲାଗିଲାଣି ଏହା ତାହାର ଏକ ନିଶ୍ଚିତ ସୂଚନା ବୋଲି ଗ୍ରହଣ କରାଯାଇପାରେ ଏବଂ ବିମୁଦ୍ରୀକରଣର ରଚୟିତାଙ୍କୁ ଜଣାଇ ଦିଆଯାଇପାରେ।

ରଘୁରାମ ରାଜନଙ୍କୁ ବରଂ ଧନ୍ୟବାଦ ଦେବା କଥା ଯେ ସେ ବ୍ୟାଙ୍କ୍‌ ମାନଙ୍କରେ ବଢ଼ି ଚାଲିଥିବା ଏନ୍‌ପିଏ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଯୋଗୁଁ ବର୍ତ୍ତମାନ ନିଆଯାଉଥିବା ସଂସ୍କାର ମୂଳକ ପଦକ୍ଷେପ ମାନ ଭାରତୀୟ ବ୍ୟାଙ୍କ୍‌ ମାନଙ୍କର ସ୍ୱାସ୍ଥ୍ୟ ଫେରାଇ ଆଣିବାର ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିଛି। ମୋଦୀ ସରକାରଙ୍କର ବିଭିନ୍ନ ସ୍ୱାଗତଯୋଗ୍ୟ ଅର୍ଥନୈତିକ ସଂସ୍କାର ପଦକ୍ଷେପମାନଙ୍କ ମଧ୍ୟରୁ ଯଦି କେଉଁଟିକୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ, ତାହା ନିଶ୍ଚିତ ରୂପେ ହେବ ଇନ୍‌ସଲ୍‌ଭେନ୍‌ସି ଆଣ୍ଡ୍‌ ବ୍ୟାଙ୍କ୍‌ପ୍‌ସି କୋଡ୍‌ (ଆଇବିସି) ପ୍ରବର୍ତ୍ତନ, ଯାହା ଏଣିକି ଠିକଣା ସମୟରେ ଖରାପ ଋଣ ମାନଙ୍କର ସମାଧାନ କରି ଆଉ ବିଶାଳକାୟ ଏନ୍‌ପିଏ ସୃଷ୍ଟି ହେବାକୁ ଦେବ ନାହିଁ। ଆନ୍ତର୍ଜାତିକ ଅର୍ଥନୈତିକ ଓ ବିତ୍ତୀୟ ମହଲରେ ଭାରତର ଏହି ପଦକ୍ଷେପ ଉଚ୍ଚ ପ୍ରଶଂସା ଲାଭ କରିବାରେ ଲାଗିଛି। ରାଜୀବ କୁମାର ଭଲ ରୂପେ ଅବଗତ ଥିବେ ରିଜର୍ଭବ୍ୟାଙ୍କ୍‌ ଦ୍ୱାରା ସଦ୍ୟ ପ୍ରକାଶ ପାଇଥିବା ସୂଚନା ଅନୁସାରେ ବିମୁଦ୍ରୀକରଣ ପରେ ପ୍ରାୟ ସମସ୍ତୁ (୯୯.୩%) ଅଚଳ ବୋଝ ରିଜର୍ଭବ୍ୟାଙ୍କ୍‌ ନିକଟକୁ ଫେରି ଆସି ବିମୁଦ୍ରୀକରଣର ମୂଳ ଉଦ୍ଦେଶ୍ୟକୁ ପଣ୍ଡ କରିଛି। ସେ ବିମୁଦ୍ରୀକରଣ ସପକ୍ଷରେ ହୁଏତ କହିପାରନ୍ତେ ଯେ ଏକ ମହତ୍‌ ଉଦ୍ଦେଶ୍ୟ ସାଧନ ପାଇଁ ମୋଦୀ ବିମୁଦ୍ରୀକରଣ ପଦକ୍ଷେପ ନେଇଥିଲେ, ନିଜର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ସିଦ୍ଧି ପାଇଁ ନୁହେଁ। ଦୁର୍ଭାଗ୍ୟକୁ ତାହା ଏକ ଭୁଲ୍‌ ଥିଲା। ଏବେ ସେ ଭୁଲ୍‌ର ପ୍ରଭାବ ସରି ଆସିଲାଣି ଓ ଅର୍ଥନୀତି ତାର ଶକ୍ତି ଓ ସ୍ୱାସ୍ଥ୍ୟ ଫେରି ପାଇଲାଣି। ସେ ଉପଦେଶ ଦିଅନ୍ତେ ଯେ ସେଭଳି ଭୁଲ୍‌ ଆଉ ନ ହେଉ। ତାହାହିଁ ନୀତି ଆୟୋଗର ପ୍ରକୃତ ଦାୟିତ୍ୱ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.