ଚକୋଲେଟ୍‌ ଯୋଦ୍ଧା

ଗତ ରବିବାର, ନଭେମ୍ବର ୧୧ ତାରିଖ ଦିନ ପ୍ରଥମ ବିଶ୍ବଯୁଦ୍ଧ ଶେଷ ହେବାର ଠିକ୍‌ ଏକ ଶହ ବର୍ଷ ପୂରଣ ହେଲା। ୧୯୧୪ରେ ଏହି ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ୧୮୯୪ରେ ସମସ୍ତ ପ୍ରକାର ଯୁଦ୍ଧକୁ ବିରୋଧ କରୁଥିବା ବର୍ଣ୍ଣାଡ ଶ’ଙ୍କର ପ୍ରସିଦ୍ଧ ବ୍ୟଙ୍ଗ ନାଟକ ‘ଆର୍ମ‌୍‌ସ୍‌ ଆଣ୍ତ୍‌ ଦି ମ୍ୟାନ୍‌’ (‘ଅସ୍ତ୍ର ଓ ମଣିଷ’) ପ୍ରଥମ ଥର ପାଇଁ ମଞ୍ଚସ୍ଥ ହୋଇଥିଲା। ନାଟକଟିର ପ୍ରଥମ ଅଙ୍କର ଏକ ଶକ୍ତିଶାଳୀ ରୋମାଞ୍ଚକର ଦୃଶ୍ୟରେ ନାୟିକା ରାଇନା ପେଟ୍‌କଫ୍‌ଙ୍କ କଳ୍ପନାରେ ଯୁଦ୍ଧ, ବୀରତ୍ବ ଆଦି ସମ୍ବନ୍ଧରେ ଥିବା ସମସ୍ତ ରୋମାଣ୍ଟିକ୍‌ ଧାରଣାକୁ ନାୟକ କ୍ୟାପ୍‌ଟେନ୍‌ ବ୍ଲଣ୍ଟ୍‌ସ୍ଲି ଧ୍ବ˚ସ କରି ଦେଇଛନ୍ତି ଯେତେବେଳେ ସେ ଏହି ଗୁପ୍ତ ତଥ୍ୟ ପ୍ରକାଶ କରିଛନ୍ତି: ‘‘ମୋ ପାଖରେ ଗୁଳିଗୋଳା ନାହିଁ। ଯୁଦ୍ଧରେ କ୍ୟାଟ୍ରିଜ୍‌ର ଉପଯୋଗିତା କ’ଣ? ମୁଁ ସର୍ବଦା ତା’ ବଦଳରେ ପାଖରେ ଚକୋଲେଟ୍‌ ରଖିଥାଏ।’’

ଯଦି ସେ ନାଟକର ଦର୍ଶକମାନେ ଆଶା କରିଥିବେ ଯେ ଏଣିକି ସଭ୍ୟ ଦୁନିଆର ଯୋଦ୍ଧାମାନେ କ୍ୟାପ୍‌ଟେନ୍‌ ବ୍ଲଣ୍ଟ୍‌ସ୍ଲିଙ୍କ ଭଳି ଗୁଳି ବଦଳରେ ଚକୋଲେଟ୍‌ ଧରି ଯୁଦ୍ଧକୁ ବାହାରିବେ, ତେବେ ପୃଥିବୀରେ ରକ୍ତପାତର ଅବସାନ ଘଟନ୍ତା, ସେମାନଙ୍କର ସେ ଆଶାକୁ ରକ୍ତାକ୍ତ କରି ୧୯୧୪ରେ ଯେଉଁ ମହାଯୁଦ୍ଧର ଆରମ୍ଭ ହେଲା ତାହା ପୃଥିବୀର ଯୁଦ୍ଧ ଇତିହାସରେ ସର୍ବାଧିକ ରକ୍ତରଞ୍ଜିତ ଯୁଦ୍ଧର କୁଖ୍ୟାତି ଏ ପର୍ଯ୍ୟନ୍ତ ବହନ କରି ଚାଲିଛି। (ଏଥିରେ ଇ˚ଲାଣ୍ତ୍‌ ପାଇଁ ଲଢେ଼ଇ କରି ପ୍ରାୟ ୭୫,୦୦୦ ଭାରତୀୟ ସୈନ୍ୟ ପ୍ରାଣ ହରାଇଥିଲେ।) ଏହି ଯୁଦ୍ଧ ଏଥିରେ ବ୍ୟାପୃତ ଇଉରୋପୀୟ ଦେଶମାନଙ୍କୁ ଏପରି ଘାଇଲା କରି ଦେଇଥିଲା ଯେ ଯେତେବେଳେ ୧୯୧୮ ନଭେମ୍ବର ୧୧ ଦିନ ଏ ଯୁଦ୍ଧର ଅନ୍ତ ଘଟିଲା, ସେତେବେଳେ ଯୁଦ୍ଧରତ ବ୍ରିଟେନ୍‌ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଡେଭିଡ୍‌ ଲଏଡ୍‌ ଜର୍ଜ ଘୋର ଆଶ୍ବସ୍ତି ପ୍ରକାଶ କରି ସେ ଦେଶର ପାର୍ଲାମେଣ୍ଟ୍‌ରେ ଘୋଷଣା କଲେ: ‘‘ମୁଁ ଆଶା କରୁଛି ଆମେ କହିପାରିବା ଯେ ଆଜିର ଏହି ବିଧି ନିର୍ଦ୍ଦିଷ୍ଟ ସକାଳେ ସମସ୍ତ ପ୍ରକାର ଯୁଦ୍ଧର ଅନ୍ତ ଘଟିଲା।’’ ଲଏଡ୍‌ ଜର୍ଜଙ୍କର ଏ ଆଶାବାଣୀ ଯଦି ଯୁଦ୍ଧ ଅବଶ ପୃଥିବୀବାସୀମାନଙ୍କ ମନରେ ପୁଣି ଥରେ ଚକୋଲେଟ୍‌ ଯୋଦ୍ଧାର ଶାନ୍ତିକାମୀ ଛବିକୁ ପୁନରୁଜ୍ଜୀବିତ କରିଥିବ, ତାହା ଅତ୍ୟନ୍ତ କ୍ଷଣସ୍ଥାୟୀ ସାବ୍ୟସ୍ତ ହୋଇଥିଲା, କାରଣ ଏହାର ଆଉ ପ୍ରାୟ ଦୁଇ ଦଶନ୍ଧି ପରେ ୧୯୩୯ରେ ଆରମ୍ଭ ହୋଇଗଲା ଦ୍ବିତୀୟ ବିଶ୍ବଯୁଦ୍ଧ।

ଦ୍ବିତୀୟ ମହାଯୁଦ୍ଧର ଭୟାବହତା ହୁଏତ ଲଏଡ୍‌ ଜର୍ଜଙ୍କର ସେ ଦିନର ସକାଳର ସ୍ବପ୍ନକୁ ଏକ ଦିବାସ୍ବପ୍ନରେ ପରିଣତ କରି ତାଙ୍କୁ ଜଣେ ଅବାସ୍ତବ କଳ୍ପନା ବିଳାସୀ ରୂପେ ସାବ୍ୟସ୍ତ କରିଥିଲା; କିନ୍ତୁ ତାଙ୍କର ସେଇ କଳ୍ପନା ବିଳାସର ଗୋଟିଏ ଶତାବ୍ଦୀ ପୂରଣ ହେବା ଅବସରରେ ଆଜିର ଦୁନିଆ ଉପରେ ଆଉ ଥରେ ଦୃଷ୍ଟିପାତ କଲେ ଅନୁଶୀଳନକାରୀମାନେ ଯେଉଁ ଏକ ଚିତ୍ରର ଆବିଷ୍କାର କରୁଛନ୍ତି ସେଥିରୁ ମନେହୁଏ ଇତିହାସର ଚକ ଏତେ ଧୀର ମନ୍ଥର ଭାବରେ ଘୂରିଥାଏ ଯେ ଏବେ ବୋଧହୁଏ ଲଏଡ୍‌ ଜର୍ଜଙ୍କ ସ୍ବପ୍ନ ସାକାର ହେବାକୁ ଆରମ୍ଭ କରିଛି। କାରଣ, ଶହେବର୍ଷ ପୂର୍ବ ତୁଳନାରେ ବର୍ତ୍ତମାନର ପୃଥିବୀରେ ଅଧିକ ଶାନ୍ତି ବିରାଜମାନ କରୁଥିବାର ସମସ୍ତ ଲକ୍ଷଣ ଦେଖିବାକୁ ମିଳୁଛି। ଏହାର ଏକ ଅକାଟ୍ୟ ପ୍ରମାଣ ହେଉଛି ନିମ୍ନରେ ପ୍ରଦତ୍ତ ଏହି ପରିସ˚ଖ୍ୟାନ।

ଏକବି˚ଶ ଶତାବ୍ଦୀର ଆରମ୍ଭ, ଅର୍ଥାତ୍‌ ୨୦୦୦ ସାଲରୁ ବର୍ତ୍ତମାନ ମଧୢରେ ପୃଥିବୀରେ ପ୍ରତି ଏକ ଲକ୍ଷ ଲୋକସ˚ଖ୍ୟାରେ ପ୍ରତିବର୍ଷ ଯୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ଲୋକଙ୍କର ହାରହାରି ସ˚ଖ୍ୟା ହେଉଛି ଏକରୁ ମଧୢ କମ୍‌। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ୧୯୦୦ରୁ ୧୯୫୦ ମଧୢରେ ଏପରି ଯୁଦ୍ଧଜନିତ ମୃତ୍ୟୁ ସ˚ଖ୍ୟା ଥିଲା ଏହାର ୫୦ ଗୁଣ! କିନ୍ତୁ ପରବର୍ତ୍ତୀ ଅର୍ଧଶତାବ୍ଦୀରେ ଏହି ଧାରା ବେଶ୍‌ ଦୁର୍ବଳ ହୋଇଯାଇଥିବା ଦେଖାଯାଇଥିଲା। ୧୯୫୦ରୁ ୨୦୦୦ ମଧୢରେ ବାର୍ଷିକ ହାରାହାରି ଯୁଦ୍ଧଜନିତ ମୃତ୍ୟୁ ସ˚ଖ୍ୟା ଥିଲା ବର୍ତ୍ତମାନ ସ˚ଖ୍ୟାର ମାତ୍ର ଛ’ଗୁଣ। ଯଦି ଏହି କ୍ରମହ୍ରାସମାନ ଧାରା ଅବ୍ୟାହତ ରହେ, ତେବେ ଆଉ ଶହେ ବର୍ଷ ପରେ ଯେ ଲଏଡ୍‌ ଜର୍ଜଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ୍ୟରେ ପରିଣତ ନହେବ, କିଏ କହି ପାରିବ?

ପୃଥିବୀରେ ଏପରି ଅପରିଚିତ ଶାନ୍ତିର ଆବିର୍ଭାବର ରହସ୍ୟ କ’ଣ ହୋଇପାରେ? ବିବର୍ତ୍ତନ ପ୍ରକ୍ରିୟାରେ ଯୁଦ୍ଧଖୋର‌୍‌ ମନୁଷ୍ୟ କ’ଣ ଶାନ୍ତିପ୍ରିୟ ଜୀବରେ ପରିଣତ ହେବାକୁ ଲାଗିଛି? ଏ ପ୍ରଶ୍ନର ଉତ୍ତର ଖୋଜିବା ଦାୟିତ୍ବ ହେଉଛି ବିବର୍ତ୍ତନ ମନସ୍ତତ୍ତ୍ବବିତ୍‌ମାନଙ୍କର। କିନ୍ତୁ ଯେଉଁ କେତେକ ବାହ୍ୟ କାରଣ ମନୁଷ୍ୟକୁ ଶାନ୍ତି ରକ୍ଷା କରିବା ପାଇଁ ପ୍ରବର୍ତ୍ତାଇ ପାରିଥାଏ ସେ ଗୁଡ଼ିକ ଠାବ କରିବା ସାଧାରଣ ପର୍ଯ୍ୟବେକ୍ଷକମାନଙ୍କ ପାଇଁ କଷ୍ଟକର ନୁହେଁ। ଏପରି ଏକ ନିଶ୍ଚିତ କାରଣ ହୋଇପାରେ ପରମାଣୁ ଅସ୍ତ୍ରର ଆବିର୍ଭାବ, ଯାହା ଏହି ଅସ୍ତ୍ର ରଖିଥିବା ରାଷ୍ଟ୍ରମାନଙ୍କୁ ପରସ୍ପରର ସମ୍ପୂର୍ଣ୍ଣ ଧ୍ବ˚ସ ସାଧନ ପାଇଁ କ୍ଷମତା ପ୍ରଦାନ କରିଥାଏ (ଇ˚ରେଜୀରେ- ‘ମ୍ୟୁଚୁଆଲି ଆସ୍ୟୁଅର୍ଡ ଡେଷ୍ଟ୍ରକ୍‌ସନ୍‌’ ବା ‘ମ୍ୟାଡ୍‌’)। ଏଣୁ ସେମାନେ ଆଉ ପୂର୍ବଭଳି ପରସ୍ପର ମଧୢରେ ଯୁଦ୍ଧ ଘଟାଉ ନାହାନ୍ତି।

କିନ୍ତୁ ଅଣ-ଆଣବିକ ରାଷ୍ଟ୍ରମାନଙ୍କ ମଧୢରେ ଯୁଦ୍ଧ ଲାଗିବାରେ ମଧୢ ଅନୁରୂପ ଭାବରେ ହ୍ରାସ ଘଟିବା ଦେଖାଯାଇଛି। ଏହାର କାରଣ ଖୋଜିବାକୁ ଯାଇ ଗବେଷକମାନେ ଯାହା ଆବିଷ୍କାର କରିଛନ୍ତି, ତାହା ହେଲା ଦୁଇଟି ବହୁ ପରିଚିତ ବ୍ୟବସ୍ଥାର ଆବିର୍ଭାବ ଓ ପ୍ରସାର: ଗଣତନ୍ତ୍ର ଓ ଜଗତ୍‌କରଣ। ବାସ୍ତବରେ ଆଧୁନିକ ଦର୍ଶନ ଶାସ୍ତ୍ରର ଅନ୍ୟତମ ପ୍ରତିଷ୍ଠାତା ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ଜର୍ମାନ୍‌ ଦାର୍ଶନିକ ଇମାନୁଏଲ୍‌ କାଣ୍ଟ୍‌ ଭବିଷ୍ୟବାଣୀ କରିଥିଲେ ଯେ ରାଷ୍ଟ୍ରମାନଙ୍କଠାରେ ତିନିଟି ଲକ୍ଷଣ ବିରାଜମାନ କଲେ ସେମାନଙ୍କ ମଧୢରେ ଶାନ୍ତି ବିରାଜମାନ କରିବ। ସେ ଲକ୍ଷଣ ତିନିଟି ହେଲା: ପ୍ରତିନିଧିମୂଳକ ଗଣତନ୍ତ୍ର, ଆନ୍ତର୍ଜାତିକ ଆଇନ ଓ ଅନୁଷ୍ଠାନ ମାନଙ୍କର ଅନୁପାଳନ ଏବ˚ ବାଣିଜ୍ୟିକ ସ˚ହତି। ଏବେ ଆମେରିକାର ୟେଲ୍‌ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର‌୍‌ ବ୍ରୁସ୍‌ ରସେଟ୍‌ ଏବ˚ ସାଥୀ ଗବେଷକ ଜନ୍‌ ଓନିଲ୍‌ ସେମାନଙ୍କର ଗବେଷଣା ଦ୍ବାରା ଯୁଦ୍ଧୋତ୍ତର ପୃଥିବୀରେ ସେଇ କାଣ୍ଟସୁଲଭ ଶାନ୍ତି କିଭଳି ପ୍ରତିଷ୍ଠିତ ହୋଇଛି, ତାହା ପ୍ରଦର୍ଶିତ କରିଛନ୍ତି। ସେମାନଙ୍କର ପୁସ୍ତକ, ‘ଟ୍ର୍ୟାଙ୍ଗୁଲେଟି˚ ପିସ୍‌: ଡିମୋକ୍ରାସି, ଇଣ୍ଟର‌୍‌ଡିପେଣ୍ତେନ୍‌ସ, ଆଣ୍ତ୍‌ ଇଣ୍ଟରନ୍ୟାସନାଲ୍‌ ଅର୍ଗାନାଇଜେସନ୍‌ସ’ରେ ସେମାନେ ଉଦାହରଣ ସହ ଉପସ୍ଥାପିତ କରିଛନ୍ତି ଯେ ଯେଉଁ ଦେଶମାନ ଗଣତାନ୍ତ୍ରିକ, ବହୁଳ ବାଣିଜ୍ୟ କାରବାରେ ଲିପ୍ତ ଏବ˚ ବହୁସ˚ଖ୍ୟକ ଆନ୍ତର୍ଜାତିକ ଅନୁଷ୍ଠାନରେ ଅ˚ଶ ଗ୍ରହଣ କରିଥାନ୍ତି, ସେମାନେ ପରସ୍ପର ମଧୢରେ କମ୍‌ ଯୁଦ୍ଧ କରିବା ଦେଖା ଯାଇଥାଏ; ଅପରପକ୍ଷେ ଏକଛତ୍ରବାଦୀ, ଅଲଗାବାଦୀ ରାଷ୍ଟ୍ରମାନେ ପରସ୍ପର ସହିତ ଅଧିକ ଲଢେ଼ଇ କରିବା ଦେଖାଯାଇଥାଏ।

ଅନ୍ୟ ଗବେଷକମାନେ ମଧୢ ୧୯୦୦ ସାଲ ଠାରୁ ପୃଥିବୀରେ ସୈନ୍ୟବାହିନୀ ସମ୍ପୃକ୍ତ ଥାଇ ବାର୍ଷିକ ଅନ୍ୟୂନ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବା ସମସ୍ତ ଯୁଦ୍ଧର ଅନୁଶୀଳନ କରି ଆବିଷ୍କାର କରିଛନ୍ତି ଯେ ଗଣତନ୍ତ୍ର ଓ ଶାନ୍ତି ମଧୢରେ ଏକ ଶକ୍ତିଶାଳୀ ସକାରାତ୍ମକ ପାରସ୍ପରିକ ସମ୍ପର୍କ ରହିଛି- ଯଦିବା ଏଥିରେ କେତେକ ବ୍ୟତିକ୍ରମ ମଧୢ ରହିଛି। ସେମାନେ କିନ୍ତୁ ଯେଉଁ ଏକ ବିପଜ୍ଜନକ ତଥ୍ୟ ମଧୢ ଆବିଷ୍କାର କରିଛନ୍ତି ତାହା ହେଲା ପୂର୍ଣ୍ଣ ବିକଶିତ ଗଣତନ୍ତ୍ର କିମ୍ବା ସମ୍ପୂର୍ଣ୍ଣ ଏକଛତ୍ର ଶାସନ ଅପେକ୍ଷା ଯାହା ଯୁଦ୍ଧ ପାଇଁ ଅଧିକ ଅନୁକୂଳ ହେବା ଦେଖାଯାଇଛି ତାହା ହେଉଛି ଦରସିଝା ଗଣତନ୍ତ୍ର। ଏହାର ଯେ ଏକ ପ୍ରକୃଷ୍ଟ ଉଦାହରଣ ହେଉଛି ପଡେ଼ାଶୀ ପାକିସ୍ତାନ, ଭାରତ ଠାରୁ ଏହା ଅଧିକ ଭଲ ଭାବରେ କିଏ ଆଉ ଅଙ୍ଗେ ନିଭେଇଛି? କିନ୍ତୁ ଏ ସବୁ ସତ୍ତ୍ବେ ଏବେ ଯେଉଁ ଆଶାର ଆଲୋକ ଦେଖିବାକୁ ମିଳୁଛି, ତାହା ହେଲା ଯଦି ଗଣତନ୍ତ୍ର ଓ ଜଗତ୍‌କରଣର ଜୟଯାତ୍ରା ଆଉ ଏକ ଶତାବ୍ଦୀ ଧରି ଅବ୍ୟାହତ ରହେ, ତେବେ ହୁଏତ ଦିନେ ପୃଥିବୀର ସେନାବାହିନୀ ମାନଙ୍କରେ ବନ୍ଧୁକ ଅପେକ୍ଷା ଚକୋଲେଟ୍‌ର ଅଧିକ ଆଦର ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର