ଆତ୍ମହତ୍ୟା

ନଭେମ୍ବର ୧୭ ତାରିଖ ଦିନ ଆଣ୍ଡାମାନର ନର୍ଥ ସେଣ୍ଟିନେଲ୍ ଦ୍ବୀପରେ ୨୭ ବର୍ଷୀୟ ଆମେରିକୀୟ ଯୁବ ଧର୍ମପ୍ରଚାରକ ଜନ୍ ଚାଉଙ୍କର ମୃତ୍ୟୁ ଘଟିଛି। ଏ ମୃତ୍ୟୁ ଭାରତୀୟ ପିଙ୍ଗଳ କୋଡ୍ ଅନୁସାରେ ହେଉଛି ଏକ ହତ୍ୟାକାଣ୍ଡ। ପ୍ରକାଶିତ ସୂଚନା ଅନୁସାରେ ନର୍ଥ ସେଣ୍ଟିନେଲ୍ ଦ୍ବୀପରେ ବାହ୍ୟ ଜଗତ ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଅବସ୍ଥାରେ ବାସ କରୁଥିବା ପ୍ରସ୍ତର ଯୁଗର ଆଦିମ ଅଧିବାସୀମାନେ ହେଉଛନ୍ତି ଚାଉଙ୍କର ସନ୍ଦିଗ୍‌ଧ ହତ୍ୟାକାରୀ। ଆଣ୍ଡାମାନ ପୁଲିସ ବର୍ତ୍ତମାନ ଅଜଣା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ ହତ୍ୟାକାଣ୍ଡ ମାମଲା ଦରଜ କରିଛି। ଅବଶ୍ୟ ଏହା ସମସ୍ତଙ୍କୁ ଜଣା ଯେ ଏହି ଅଜଣା ବ୍ୟକ୍ତିମାନେ ହେଉଛନ୍ତି ସେଣ୍ଟିନେଲିଜ୍ ଆଦିମ ଅଧିବାସୀ। ଆଉ ଏହା ମଧ୍ୟ ଜଣା ଯେ ଘଟଣା ସହିତ ସମ୍ପୃକ୍ତ ପାର୍ଶ୍ବ ଚରିତ୍ରମାନେ ଶେଷରେ ଦଣ୍ଡିତ ହୋଇ ପାରନ୍ତି, କିନ୍ତୁ ପ୍ରକୃତ ହତ୍ୟାକାରୀମାନଙ୍କୁ ଦଣ୍ଡିତ କରାଯିବାର ସମ୍ଭାବନା ନାହିଁ। ଏକ ନଜିର ସ୍ବରୂପ ୨୦୦୬ରେ ଘଟିଥିବା ଏକ ଅନୁରୂପ ଘଟଣାକୁ ନିଆଯାଇପାରେ। ସେତେବେଳେ ଦୁଇଜଣ ମାଛଧରାଳି ନିଜର ନୌକାର ନିୟନ୍ତ୍ରଣ ହରାଇ ନର୍ଥ ସେଣ୍ଟିନେଲ୍ କୂଳରେ ଯାଇ ଲାଗିଲେ। ଆଦିମ ଅଧିବାସୀମାନେ ସେମାନଙ୍କୁ ହତ୍ୟା କରି ସେମାନଙ୍କ ଶରୀରକୁ ବାଉଁଶରେ ଖେଞ୍ଚି ସମୁଦ୍ର ଆଡ଼କୁ ମୁହଁ କରି କୂଳରେ ପୋତି ଛିଡ଼ା ‌କରାଇଥିଲେ। ଆଦିମ ଅଧିବାସୀଙ୍କ ଆକ୍ରମଣ ଯୋଗୁଁ ମୃତ ଦେହ ଦୁଇଟିକୁ ସେଠାରୁ ଉଦ୍ଧାର କରିବାର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା।

ଉପରୋକ୍ତ ଘଟଣା ଥିଲା ନିଶ୍ଚିତ ରୂପେ ଏକ ଦୁର୍ଘଟଣା। ଜନ୍ ଚାଉଙ୍କ ମୃତ୍ୟୁ ଘଟଣା କିନ୍ତୁ ଆଦୌ ଏକ ଦୁର୍ଘଟଣା ନୁହେଁ। ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ନ କହି ଏକ ସୁଚିନ୍ତିତ ଆତ୍ମହତ୍ୟା ବୋଲି କହିବା ଅଧିକ ଯଥାର୍ଥ ହେବ, ଯାହା ଏବେ ଉଦ୍ଭଟ ଭାବରେ ଆଇନ ଦୃଷ୍ଟିରେ ସେ ଦ୍ବୀପବାସୀଙ୍କୁ ହତ୍ୟାକାରୀରେ ପରିଣତ କରିଛି। ଏହି ଆଦିମ ଅଧିବାସୀମାନଙ୍କର ପ୍ରକୃତ ସଂଖ୍ୟା କାହାରିକୁ ଜଣା ନଥିଲେ ହେଁ ୨୦୧୨ର ଏକ ରିପୋର୍ଟ ଅନୁସାରେ ସେମାନଙ୍କ ସଂଖ୍ୟା ୫୦ରୁ ୪୦୦ ମଧ୍ୟରେ ହୋଇପାରେ ବୋଲି ଅନୁମାନ କରାଯାଇଥାଏ। ସେମାନେ ଆଦିମ କାଳରୁ ଶିକାର କରି ଓ ଫଳମୂଳ ସଂଗ୍ରହ କରି ଜୀବନ ଧାରଣ କରି ଆସୁଛନ୍ତି ଏବଂ ଯେ କୌଣସି ଅନୁପ୍ରବେଶକାରୀଙ୍କୁ ସେମାନେ ଶତ୍ରୁ ରୂପେ ଦେଖି ଆକ୍ରମଣ କରିଥାନ୍ତି। ଜନ୍ ଚାଉ ସେଦିନ ଏକାଧିକଥର ସେ ଦ୍ବୀପରେ ପ୍ରବେଶ କରି ସେମାନଙ୍କ ମଧ୍ୟରେ ଯୀଶୁଙ୍କ ବାଣୀ ପ୍ରସାର କରିବା ପାଇଁ ଉଦ୍ୟମ କରି ଶେଷରେ ସେମାନଙ୍କ ତୀର ମାଡ଼ରେ ପ୍ରାଣ ହରାଇଥିଲେ। ପୂର୍ବର ଘଟଣା ଭଳି ବର୍ତ୍ତମାନ ମଧ୍ୟ ଜନ୍ ଚାଉଙ୍କ ମୃତଦେହ ଉଦ୍ଧାର କରିବା ସମ୍ଭବ ହୋଇନାହିଁ।

ଜନ୍ ଚାଉଙ୍କ ମୃତ୍ୟୁକୁ ଯେ ଏକ ଆତ୍ମହତ୍ୟା ରୂପେ ବିଚାର କରାଯିବା ଉଚିତ, ସେଥିପାଇଁ ଖୋଦ୍ ଜନ୍ ଚାଉ ଯଥେଷ୍ଟ ପ୍ରମାଣ ଛାଡ଼ି ଯାଇଛନ୍ତି। ଖ୍ରୀଷ୍ଟଧର୍ମ ପ୍ରଚାରକମାନେ ଅଣଖ୍ରୀଷ୍ଟିଆନ୍ ମାନଙ୍କର ଆତ୍ମାର ଉଦ୍ଧାର କରିବା ସେମାନଙ୍କର ନୈତିକ ଦାୟିତ୍ବ ରୂପେ ବିଶ୍ବାସ କରିଥାନ୍ତି। ଯୀଶୁ ହେଉଛନ୍ତି ସେମାନଙ୍କର ତ୍ରାଣକର୍ତ୍ତା। ଆଉ ଆଜିର ପୃଥିବୀରେ କୌଣସି ପ୍ରତିଷ୍ଠିତ ଧର୍ମର ଧାର୍ ଧାରୁ ନଥିବା ନର୍ଥ ସେଣ୍ଟିନେଲିଜ୍ ଆଦିମ ଅଧିବାସୀଙ୍କ ଭଳି ନାସ୍ତିକ ଗୋଷ୍ଠୀ ଆଉ କେଉଁଠି ଅଛନ୍ତି? ଜନ୍ ଚାଉ ତେଣୁ ଯେତେ ବାଧାବିଘ୍ନ ଥାଉନା କାହିଁକି, ଏହି ‘ଈଶ୍ବର-ହୀନ’ କ୍ଷୁଦ୍ର ଆଦିମାନବ ଗୋଷ୍ଠୀ ନିକଟରେ ଯୀଶୁଙ୍କ ବାଣୀ ପହଞ୍ଚାଇବାକୁ ବଦ୍ଧପରିକର ଥିଲେ। ସେ ବୋଧହୁଏ ଅନୁଭବ କରୁଥିଲେ ବାଧାବିଘ୍ନ ଯେତେ ଅଧିକ କଠିନ ହେବ, ତାଙ୍କୁ ସେତେ ଅଧିକ ଆତ୍ମସନ୍ତୋଷ ମିଳିବ। ଏଥିପାଇଁ ଯେ ନିଜର ପ୍ରାଣବଳି ଦେବାକୁ ମଧ୍ୟ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ, ତାହାର ଅକାଟ୍ୟ ପ୍ରମାଣ ଜନ୍ ଚାଉ ଛାଡ଼ି ଯାଇଛନ୍ତି। ତାହା ହେଉଛି ତାଙ୍କର ଦିନଲିପି ଓ ନିଜର ପରିବାରକୁ ସେ ଲେଖିଥିବା ପତ୍ରମାନ।

ମୃତ୍ୟୁର ପୂର୍ବଦିନ ଅର୍ଥାତ୍ ନଭେମ୍ବର ୧୬ ତାରିଖ ଦିନର ବିବରଣୀରେ ସେ ଏକ ଛୋଟିଆ ଡଙ୍ଗା ନେଇ ଏକୁଟିଆ ସେଣ୍ଟିନେଲ୍ ଦ୍ବୀପରେ ପାଦ ପକାଇ ପ୍ରଥମଥର ପାଇଁ ଅଧିବାସୀଙ୍କ ସହିତ ମୁହାଁମୁହିଁ ହେବା କଥା ଉଲ୍ଲେଖ କରିଛନ୍ତି। ଏହି ସାକ୍ଷାତ ସମୟରେ ଜଣେ ଯୁବ ଅଧିବାସୀ ତାଙ୍କୁ ଲକ୍ଷ୍ୟ କରି ମାରିଥିବା ତୀର ତାଙ୍କ ହାତରେ ଥିବା ବାଇବଲ ଦେହରେ ଗଳି ଅଟକିଯିବା ପରେ ଚାଉ ଡଙ୍ଗା ନେଇ ସେଠାରୁ ପଳାଇ ଆସିଥିଲେ। ସେଇ ଦିନ ସନ୍ଧ୍ୟାବେଳେ ସେ ପୁଣିଥରେ ଦ୍ବୀପ ଦିଗରେ ଅଗ୍ରସର ହେବା ପୂର୍ବରୁ ନିଜ ପରିବାର ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଥିଲେ: ‘‘ତୁମେମାନେ ମୋତେ ପାଗଳ ଭାବିପାର, କିନ୍ତୁ ଏ ଲୋକମାନଙ୍କ ପାଖରେ ଯୀଶୁଙ୍କୁ ପହଞ୍ଚାଇବା ପାଇଁ ଏହା କରିବା ଯଥାର୍ଥ ବୋଲି ମୁଁ ବିଚାର କରୁଛି। ଯଦି ମତେ ହତ୍ୟା କରାଯାଏ, ତୁମେମାନେ ସେମାନଙ୍କ ଉପରେ କିମ୍ବା ଈଶ୍ବରଙ୍କ ଉପରେ ରାଗିବ ନାହିଁ।’’ ସେଇ ପତ୍ରର ଧାରରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ: ‘‘ମୋର ମୃତ ଦେହକୁ ଉଦ୍ଧାର କରିବ ନାହିଁ।’’ ଧ୍ୟାନ ଆକର୍ଷଣ ନିମିତ୍ତ ସେ ଏହି ନିର୍ଦ୍ଦେଶ ତଳେ ଏକ ଗାର ଟାଣିଥିଲେ। ପ୍ରକାଶିତ ଖବର ଅନୁସାରେ ଜନ୍ ଚାଉଙ୍କ ପରିବାର ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କ୍ଷମା ପ୍ରଦାନ କରି ଏକ ବିବୃତି ଜାରି କରିଛନ୍ତି।

ସେଣ୍ଟିନେଲ୍ ଦ୍ବୀପର ସେ କତିପୟ ଆଦିମ ଅଧିବାସୀ କେବଳ ନୃତତ୍ତ୍ବବିତ୍‌ମାନଙ୍କ ପାଇଁ ନୁହେଁ, ସାରା ମାନବ ଜାତି ପାଇଁ ଏକ ବିରଳ ଅମୂଲ୍ୟ ସମ୍ପଦ। ଏହାକୁ ସ୍ବୀକାର କରି ଭାରତ ସରକାର ସେମାନଙ୍କୁ ସେମାନଙ୍କ ଦୁନିଆରେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିବାକୁ ଦେଇଛି। ବାହ୍ୟ ଅନୁପ୍ରବେଶକାରୀଙ୍କ ପ୍ରତି ସେମାନଙ୍କର ହିଂସ୍ର ଆଭିମୁଖ୍ୟ ସମସ୍ତଙ୍କୁ ଜଣା। ଏହା ସତ୍ତ୍ବେ ଜନ୍ ଚାଉ ବାରମ୍ବାର ସେମାନଙ୍କ ନିକଟକୁ ଯିବା, ମୃତ୍ୟୁକୁ ହାତଠାରି ଡାକିବା ସହ ସମାନ। ଯେଉଁମାନଙ୍କ ଆତ୍ମାର ଉଦ୍ଧାର ପାଇଁ ଚାଉ ଏପରି ବିପଦ ବରଣ କରୁଥିଲେ, ସେମାନଙ୍କ ପାଇଁ ସେ ବାସ୍ତବରେ କ’ଣ ଉପହାର ନେଉଥିଲେ ଦେଖାଯାଉ। ପ୍ରାଗୈତିହାସିକ ସମୟରୁ ବାହାର ଦୁନିଆଠାରୁ ବିଚ୍ଛିନ୍ନ ହୋଇ ରହିଥିବା ଏହି ଆଦିମ ମନୁଷ୍ୟମାନେ ଅନେକ ରୋଗଜୀବାଣୁ ସଂସ୍ପର୍ଶରେ ଆସି ନଥିବାରୁ ସେମାନଙ୍କ ଶରୀରରେ ସାଧାରଣ ରୋଗମାନଙ୍କ ପାଇଁ ମଧ୍ୟ ପ୍ରତିରୋଧିନୀ ଶକ୍ତି ନାହିଁ। ଜନ୍ ଚାଉ ଓ ତାଙ୍କୁ ଅନୁସରଣ କରି ଅନ୍ୟମାନଙ୍କର ସେ ଦ୍ବୀପରେ ପ୍ରବେଶ ସେଠାରେ ରୋଗ ସଂକ୍ରମଣ ଘଟାଇ ସେ କ୍ଷୁଦ୍ର ଆଦିମ ଗୋଷ୍ଠୀର ବିଲୋପ ସାଧନ କରନ୍ତା। ଏହି କାରଣରୁ ପୃଥିବୀରେ ଏଭଳି ଆଦିମ ଅଧିବାସୀମାନଙ୍କ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଥିବା ପ୍ରମୁଖ ଆନ୍ତର୍ଜାତିକ ସଂଗଠନ ‘ସର୍ଭାଇଭାଲ୍ ଇଣ୍ଟର୍‌ନେସନାଲ୍’ ଜନ୍ ଚାଉଙ୍କ ଶରୀର ଉଦ୍ଧାର ଉଦ୍ୟମ ପରିହାର କରିବା ପାଇଁ ଭାରତ ସରକାରଙ୍କୁ ଆହ୍ବାନ ଦେଇଛି। ଜନ୍ ଚାଉଙ୍କ ଦ୍ବିତୀୟ ଉପହାର ହେଲା ସେ ଯେଉଁମାନଙ୍କ ପରିତ୍ରାଣ ପାଇଁ ଏ ପରି ବ୍ୟାକୁଳ ଥିଲେ, ସେମାନଙ୍କ ମଥାରେ ଆଇନ ଦୃଷ୍ଟିରେ ହତ୍ୟାକାରୀର କଳଙ୍କ ଲେପନ। କାରଣ ସେଣ୍ଟିନେଲ୍ ଅଧିବାସୀଙ୍କୁ କ୍ଷମା ପ୍ରଦାନ କରିବାର ଅଧିକାର ନା ଜନ୍ ଚାଉଙ୍କର ଅଛି, ନା ଅଛି ତାଙ୍କ ପରିବାରର। ଏହା ଦେଖି ମନେ ହେଉଛି ଜନ୍ ଚାଉ ସେଣ୍ଟିନେଲ୍‌ବାସୀଙ୍କ ପାଇଁ ନେଉଥିବା ବାଇବ୍‌ଲ୍‌ର ଈଶ୍ବର ହେଉଛନ୍ତି ଅକ୍‌ସଫୋର୍ଡ‌୍ର ପ୍ରସିଦ୍ଧ ବିବର୍ତ୍ତନ ବିଜ୍ଞାନୀ ରିଚାର୍ଡ ଡକିନ୍‌ସ ତାଙ୍କର ବହୁ ଚର୍ଚ୍ଚିତ ପୁସ୍ତକ ‘ଦ ଗଡ୍ ଡେଲ୍ୟୁଜନ୍‌’(ଈଶ୍ବର ପ୍ରବଞ୍ଚନା)ରେ ବର୍ଣ୍ଣନା କରିଥିବା ଭଳି- ‘‘ସମସ୍ତ ସାହିତ୍ୟରେ ଥିବା ସର୍ବାଧିକ ବିଷାଦଜନକ ଚରିତ୍ର।’’

ସମ୍ବନ୍ଧିତ ଖବର