ନୂତନ ଗାଲିଲିଓ

ଆଫ୍ରିକାକୁ ପୃଥିବୀର ଅନ୍ଧାରି ମହାଦେଶ ରୂପେ ଅତୀତରେ ବର୍ଣ୍ଣନା କରାଯାଉଥିଲା। ଏବେ ବି ଆଫ୍ରିକା ପୃଥିବୀର ଦରିଦ୍ରତମ ଅଞ୍ଚଳ ହୋଇ ରହିଛି। ଆଫ୍ରିକାକୁ ତା’ର ଦାରିଦ୍ର୍ୟ ଯନ୍ତାରୁ ମୁକୁଳାଇବା ପାଇଁ ନିକଟ ଅତୀତରେ ଆନ୍ତର୍ଜାତିକ ସମୁଦାୟ ବିଭିନ୍ନ ଉଦ୍ୟମ କରିବା ସତ୍ତ୍ବେ ସେଠାରେ ପରିସ୍ଥିତିରେ ବିଶେଷ ଉନ୍ନତି ଘଟିବା ଦେଖାଯାଇନାହିଁ। କେତେକ ଢାଞ୍ଚାଗତ ପ୍ରତିବନ୍ଧ ଯୋଗୁଁ ଆଫ୍ରିକାରେ ଉନ୍ନତି ହାସଲ ହୋଇପାରୁ ନାହିଁ ବୋଲି ଉନ୍ନୟନ ବିଶେଷଜ୍ଞମାନେ ମତପୋଷଣ କରିଥାନ୍ତି। ଯେମିତି ବିଚକ୍ଷଣ ଅର୍ଥନୀତିଜ୍ଞ ଜେଫ୍ରି ସାକ୍‌ସ ଏହି ପ୍ରତିବନ୍ଧମାନଙ୍କୁ ପାଞ୍ଚ ଶ୍ରେଣୀରେ ବିଭକ୍ତ କରିଥାନ୍ତି; ଅତି ଉଚ୍ଚା ପରିବହନ ଖର୍ଚ୍ଚ ଓ କ୍ଷୁଦ୍ର ଆକାରର ବଜାର; ନୀଚା କୃଷି ଉତ୍ପାଦନଶୀଳତା; ଅତିରିକ୍ତ ବିଶାଳ ବ୍ୟାଧି ବୋଝ; କ୍ଷତିକାରକ ବାହ୍ୟ ଅନୁପ୍ରବେଶ; ଏବ˚ ବୈଦେଶିକ ଜ୍ଞାନକୌଶଳର ଅତ୍ୟନ୍ତ ମନ୍ଥର ପ୍ରବେଶ ଓ ପ୍ରସାର। ଆଫ୍ରିକାବାସୀଙ୍କର ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପ ମୁଖ୍ୟତଃ ଏହି ପାଞ୍ଚ କିସମର ପ୍ରତିବନ୍ଧ ଦୂର କରିବା ଉପରେ ପ୍ରତିଷ୍ଠିତ ହୋଇ ଆସିଛି।
ଗତ ସପ୍ତାହରେ ନିଜର ଭିନ୍ନମତ ପାଇଁ ସମସ୍ତ ସମ୍ମାନଜନକ ପଦପଦବି ହରାଇଥିବା ୯୦ ବର୍ଷୀୟ ଜୈବ ବିଜ୍ଞାନୀ ଜେମ୍‌ସ ଵାଟ୍‌ସନ କିନ୍ତୁ ଆଫ୍ରିକାର ଦୁର୍ଦଶା ପାଇଁ ଯେଉଁ ପ୍ରତିବନ୍ଧକୁ ଦାୟୀ କରନ୍ତି, ତାହା ଉପରୋକ୍ତ ପାଞ୍ଚଟି ମଧୢରେ ଅନ୍ତର୍ଭୁକ୍ତ ନୁହେଁ। ଜେମ୍‌ସ ଵାଟ୍‌ସନ୍‌ ଜଣେ ଯେ କୌଣସି ନୋବେଲ୍‌ ବିଜେତା ବୈଜ୍ଞାନିକ ନୁହନ୍ତି। ସେ ହେଉଛନ୍ତି ଆଧୁନିକ ଜିନ୍‌ ଗବେଷଣାର ପିତା ଯିଏ ୧୯୫୩ରେ ମାତ୍ର ୨୫ ବର୍ଷ ବୟସରେ ଡିଏନ୍‌ଏର ‘ଡବ୍‌ଲ ହେଲିକ୍‌ସ’ ଗଠନ ଆବିଷ୍କାର କରିଥିଲେ, ଯାହାର ସ୍ବୀକୃତି ସ୍ବରୂପ ୧୯୬୨ରେ ମାତ୍ର ୩୪ ବର୍ଷ ବୟସରେ ତାଙ୍କୁ ନୋବେଲ୍‌ ପ୍ରାଇଜ୍‌ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ୯୦ ବର୍ଷ ବୟସରେ ଏକ କାର‌୍‌ ଆକ୍‌ସିଡେଣ୍ଟ୍‌ ଯୋଗୁଁ ପ୍ରାୟ ଅର୍ଧଚେତନ ଅବସ୍ଥାରେ ସେ ଏକ ନର୍ସି˚ ହୋମ୍‌ରେ ପଡ଼ିଥିବା ବେଳେ ନିକଟରେ ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ସେ ପ୍ରକାଶ କରିଥିବା ନିଗ୍ରୋ ଏବ˚ ଆଫ୍ରିକା ସମ୍ବନ୍ଧୀୟ ତାଙ୍କର ମତ ଯୋଗୁଁ ତାଙ୍କର ପ୍ରସିଦ୍ଧ ଗବେଷଣା ପ୍ରତିଷ୍ଠାନ ଆମେରିକାର ‘କୋଲ୍‌ଡ ସ୍ପ୍ରିଙ୍ଗ୍‌ ହାର‌୍‌ବର‌୍‌ ଲାବରେଟରି’ ତାଙ୍କଠାରୁ ସମ୍ମାନସୂଚକ ଚାନ୍‌ସେଲର‌୍‌ ଏମେରିଟ୍‌ସ୍‌, ଅଲିଭର‌୍‌ ଆର‌୍‌ ଗ୍ରେସ୍‌ ପ୍ରଫେସର‌୍‌ ଏମେରିଟସ୍‌ ଓ ହନରାରି ଟ୍ରଷ୍ଟି ଉପାଧିମାନ ପ୍ରତ୍ୟାହାର କରିନେଇଛି ବୋଲି ଘୋଷଣା କରିଛି। ଏଠାରେ ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ବୈଜ୍ଞାନିକ ସମୁଦାୟ ତାଙ୍କୁ ବାସନ୍ଦ କରିଛି ବୋଲି ଅଭିଯୋଗ କରି ତାର ପ୍ରତିବାଦ ସ୍ବରୂପ ଵାଟ୍‌ସନ୍‌ ୨୦୧୪ରେ ତାଙ୍କର ନୋବେଲ୍‌ ସ୍ବର୍ଣ୍ଣ ପଦକଟିକୁ ବିକ୍ରି କରିଦେଇଥିଲେ।
ଯେଉଁ ମନ୍ତବ୍ୟ ପାଇଁ ଵାଟ୍‌ସନ୍‌ଙ୍କୁ ବର୍ତ୍ତମାନ ଏପରି ଅପମାନିତ କରାଯାଇଛି, ତାହା ହେଉଛି ସେ ପୂର୍ବରୁ ପ୍ରଦାନ କରିଥିବା ଏକ ମନ୍ତବ୍ୟର ପୁନରାବୃତ୍ତି ମାତ୍ର। ୨୦୦୭ରେ ସେ ପ୍ରଥମେ ପ୍ରଦାନ କରିଥିବା ଏହି ମନ୍ତବ୍ୟ ତାଙ୍କ ପାଇଁ ସେତେବେଳେ ମଧୢ ଅନୁରୂପ ସମସ୍ୟା ସୃଷ୍ଟି କରିଥିଲା। ୨୦୦୭ ଅକ୍ଟୋବର ୧୪ ତାରିଖର ଲଣ୍ତନ୍‌ରୁ ପ୍ରକାଶିତ ‘ସନ୍‌ଡେ ଟାଇମ୍‌ସ ମାଗାଜିନ୍‌’ରେ ପ୍ରକାଶିତ ତାଙ୍କର ଏକ ସାକ୍ଷାତକାରର ଅ˚ଶ ଥିଲା: ‘‘ମୁଁ ଆଫ୍ରିକାର ସମ୍ଭାବନା ନେଇ ଅନ୍ତଃସ୍କରଣରେ ନିରାଶାବାଦୀ’’ କାରଣ ‘‘ଆମର ସମସ୍ତ ସାମାଜିକ ନୀତି ଏହି ତତ୍ତ୍ବ ଉପରେ ଆଧାରିତ ଯେ ସେମାନଙ୍କର ମେଧା ଆମ ମେଧା ସହିତ ସମାନ- ଯଦିବା ସମସ୍ତ ପରୀକ୍ଷା କହିଥାଏ ପ୍ରକୃତରେ ତାହା ନୁହେଁ।’’ ପରେ ‘ଦି ଇଣ୍ତିପେଣ୍ତେଣ୍ଟ’ ସମ୍ବାଦପତ୍ରକୁ ଅକ୍ଟୋବର‌୍‌ ୧୯ରେ ଦେଇଥିବା ଏକ ସାକ୍ଷାତକାରରେ ଵାଟ୍‌ସନ୍‌ ତାଙ୍କ ମତର ଯଥାର୍ଥତା ପ୍ରତିପାଦନ କରିବା ପାଇଁ କହିଥିଲେ ଯେ ମେଧାରେ ପାର୍ଥକ୍ୟ ଜେନେଟିକ୍‌ ଭିତ୍ତି ଉପରେ ପ୍ରତିଷ୍ଠିତ। ଅର୍ଥାତ୍‌ ଵାଟ୍‌ସନ୍‌ଙ୍କ ମତରେ ଆଫ୍ରିକୀୟ ମାନଙ୍କର ଜିନ୍‌ ସେମାନଙ୍କର ନିକୃଷ୍ଟ ମେଧା ପାଇଁ ଦାୟୀ ଏବ˚ ସେମାନଙ୍କର ମେଧାଗତ ପାର୍ଥକ୍ୟକୁ ବିଚାରକୁ ନ ନେଇ ମେଧାବୀମାନଙ୍କ ପାଇଁ ଉପଯୁକ୍ତ ସହାୟତା ଯୋଗାଇବା ଦ୍ବାରା ସେମାନଙ୍କର ଆଶାନୁରୂପ ଉନ୍ନତି ହୋଇ ପାରୁନାହିଁ। ଅନ୍ୟପ୍ରକାରେ କହିଲେ ପଞ୍ଚମ ଶ୍ରେଣୀ ଛାତ୍ରକୁ ସପ୍ତମ ଶ୍ରେଣୀ ପାଠ ପଢ଼ାଇଲେ ଯେପରି ଫଳ ମିଳନ୍ତା, ଆଫ୍ରିକାରେ ସେପରି ହେଉଛି। କହିବା ବାହୁଲ୍ୟ ଆଜିକାଲିର ଅଧିକାର ସଚେତନ ସମାଜରେ ଏପରି ମନ୍ତବ୍ୟ ପ୍ରଦାନ ହେଉଛି ସେହିଭଳି ଏକ ଅପରାଧ, ଯାହା ନରହତ୍ୟା ଭଳି। ଏଣୁ ଵାଟ୍‌ସନ୍‌ ଏଥିପାଇଁ କିଭଳି ବିରୋଧ ଓ ସମାଲୋଚନାର ସମ୍ମୁଖୀନ ହୋଇଥିବେ, ତାହା କଳ୍ପନା କରିବା କଷ୍ଟକର ନୁହେଁ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ କୋଲ୍‌ଷ୍ଟ୍ରିଙ୍ଗ୍‌ ହାର‌୍‌ବର‌୍‌ ଲାବରେଟରି ସେତେବେଳେ ମଧୢ ତାଙ୍କର ସମସ୍ତ ପଦବି ପ୍ରତ୍ୟାହାର କରି ନେଇଥିଲା, ଯାହା ଵାଟ୍‌ସନ୍‌ କ୍ଷମା ପ୍ରାର୍ଥନା କଲାପରେ ତାଙ୍କୁ ଫେରସ୍ତ ମିଳିଥିଲା। ଏବେ କିନ୍ତୁ ଵାଟ୍‌ସନ୍‌ ଉପରୋକ୍ତ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ତାଙ୍କର ପୂର୍ବ ମତ ଅପରିବର୍ତ୍ତିତ ରହିଛି ବୋଲି କହିବାରୁ ତାଙ୍କୁ ପୁଣି ଥରେ ଦଣ୍ତ ଦିଆଯାଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଵାଟ୍‌ସନ୍‌ ଏ ସମ୍ପର୍କରେ ପ୍ରଥମ ମନ୍ତବ୍ୟ ପ୍ରଦାନ କରିବାର ବର୍ଷକ ପୂର୍ବରୁ ୨୦୦୬ରେ ମର୍ଯ୍ୟାଦାଜନକ ଲଣ୍ତନ୍‌ ସ୍କୁଲ୍‌ ଅଫ୍‌ ଇକନୋମିକ୍‌ସର ବିବର୍ତ୍ତନ-ମନସ୍ତତ୍ତ୍ବବିତ୍‌ ଜାପାନୀ ମୂଳର ସାଟୋସି କାନାଜାଵା ଏକ ଗବେଷଣା ପ୍ରସୂତ ନିବନ୍ଧ ପ୍ରକାଶ କରି ଏକ ଅନୁରୂପ ବିବାଦର ସୂତ୍ରପାତ କରିଥିଲେ ଯେଉଁଥିରେ ସେ ଦର୍ଶାଇଥିଲେ ଯେ ଆଫ୍ରିକୀୟ ଦେଶମାନେ ଦାରିଦ୍ର୍ୟ ଓ ଚିରନ୍ତନ ରୋଗବ୍ୟାଧିର ଶିକାର ହେଉଥିବାର କାରଣ ହେଉଛି ସେ ଦେଶମାନଙ୍କର ଲୋକମାନେ ଧନୀ ଦେଶ ଲୋକମାନଙ୍କଠାରୁ ନିକୃଷ୍ଟ ମେଧାର ଅଧିକାରୀ। ପୃଥିବୀର ବୈଜ୍ଞାନିକ ସମୁଦାୟ ସେତେବେଳେ କାନାଜାଵାଙ୍କ ମତକୁ ବିରୋଧ ଓ ତୀବ୍ର ଭର୍ତ୍ସନା କରିଥିଲେ ମଧୢ ଲଣ୍ତନ୍‌ ସ୍କୁଲ ଅଫ୍‌ ଇକନୋମିକ୍‌ସ ତାର ଅଧୢାପକଙ୍କର ଗବେଷଣା ଭିତ୍ତିକ ଭିନ୍ନମତ ପୋଷଣ କରିବାର ମୌଳିକ ଅଧିକାର ରହିଛି ବୋଲି ଘୋଷଣା କରି କାନାଜାଵାଙ୍କ ପଛରେ ଛିଡ଼ା ହୋଇଥିଲା, ଯାହା କୋଲ୍‌ଡସ୍ପ୍ରିଙ୍ଗ୍‌ ହାର୍ବର ଲାବରେଟରି କରିବାକୁ ସାହସ କରିପାରିନାହିଁ। କାନାଜାଵା ବା ଵାଟ୍‌ସନ୍‌ଙ୍କର ବିଜ୍ଞାନସମ୍ମତ ଭିତ୍ତିକୁ ନେଇ ତର୍ଜମା, ଅନୁସନ୍ଧାନ ଓ ବିବାଦ ଜାରି ରହିଥିବା ସମୟରେ ଯାହା କଲେ ଆଫ୍ରିକୀୟମାନଙ୍କର ମଙ୍ଗଳ ହୁଅନ୍ତା ତାହା ହେଲା ସେମାନଙ୍କ ପ୍ରତି ପ୍ରକୃତି ଏକ ଜେନେଟିକ୍‌ ଅନ୍ୟାୟ କରିଛି ବୋଲି ସାମୟିକ ଭାବରେ ଗ୍ରହଣ କରି ସେମାନଙ୍କୁ ସେଇ ଅନୁଯାୟୀ ବିଶେଷ ଧରଣର ସହାୟତା ଯୋଗାଇବା, ଯେମିତି ଦୁର୍ବଳ ଛାତ୍ର ପାଇଁ ବିଶେଷ କୋଚି˚ର ବ୍ୟବସ୍ଥା କରାଯାଇଥାଏ। ଇତିମଧୢରେ ଵାଟ୍‌ସନ୍‌ଙ୍କ ଦହଗଞ୍ଜ ଦେଖି ତାଙ୍କର ସମର୍ଥକମାନେ ତାଙ୍କୁ ଆଜି ‘ନୂତନ ଗାଲିଲିଓ’ ରୂପେ ସମ୍ବୋଧନ କରିବାକୁ ଆରମ୍ଭ କଲେଣି। ଏହା ପ୍ରତ୍ୟେକ ସ୍କୁଲ ଛାତ୍ରକୁ ଜଣା ଯେ ସୂର୍ଯ୍ୟ ସ୍ଥିିର ଓ ପୃଥିବୀ ସୂର୍ଯ୍ୟ ଚତୁର୍ଦ୍ଦିଗରେ ଘୂରୁଛି ବୋଲି ପ୍ରମାଣ କରିଥିବା ‘ଅପରାଧ’ରେ ପଦାର୍ଥ ବିଜ୍ଞାନର ଜନକ ଷୋଡ଼ଶ-ସପ୍ତଦଶ ଶତାବ୍ଦୀର ମହାନ୍‌ ଇଟାଲୀୟ ବୈଜ୍ଞାନିକ ଗାଲିଲିଓ ଗାଲିଲେଇ କିପରି ଧର୍ମଦ୍ରୋହୀ ସାବ୍ୟସ୍ତ ହୋଇ ନିଜର ମତ ପ୍ରତ୍ୟାହାର କରିବାକୁ ବାଧୢ ହୋଇଥିଲେ ଓ ତାଙ୍କର ଶେଷ ଜୀବନ ଗୃହବନ୍ଦୀ ଅବସ୍ଥାରେ ବିତାଇ ଥିଲେ।

ସମ୍ବନ୍ଧିତ ଖବର