ଶେଷ ‘ମାର୍ଗଦର୍ଶନ’

ଲାଲକୃଷ୍ଣ ଆଡ଼ଭାନୀ ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା। ବିଭିନ୍ନ ପର୍ଯ୍ୟାୟରେ ସେ ବହୁ ବର୍ଷ ଧରି ଦଳର ରାଷ୍ଟ୍ରୀୟ ଅଧୢକ୍ଷ ରହିଛନ୍ତି। ଦେଶର ରାଜନୀତିରେ ବିଜେପି ଆଜି ଯେଉଁ ଉଚ୍ଚତା ହାସଲ କରିଛି, ତାର ମୂଳଦୁଆ ପକାଇଥିବା ନେତାଙ୍କ ମଧୢରେ ଆଡ଼ଭାନୀ ଥିଲେ ପ୍ରମୁଖ।। ଏନ୍‌ଡିଏ ମେଣ୍ଟର ନେତୃତ୍ବ ନେଇ ବିଜେପି ପ୍ରଥମେ କ୍ଷମତାକୁ ଆସିବା ସହ ଏକାଧିକ ଥର କେନ୍ଦ୍ରରେ ସରକାର କରିଛି। ସେହି ମେଣ୍ଟର ଅନ୍ୟତମ ପ୍ରଧାନ ସ୍ଥପତି ଥିଲେ ଆଡ଼ଭାନୀ। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନ୍‌ଡିଏ-୧ ସରକାରରେ ସେ ଥିଲେ ଉପ-ପ୍ରଧାନମନ୍ତ୍ରୀ। ସା˚ଗଠନିକ ଦକ୍ଷତା, ସରକାରରେ ପ୍ରଭାବ ଦୃଷ୍ଟିରୁ ଆଡ଼ଭାନୀଙ୍କୁ ଏକଦା କ˚ଗ୍ରେସର ସର୍ଦ୍ଦାର ପଟେଲଙ୍କ ସହ ତୁଳନା କରି ବିଜେପିର ‘ଲୌହପୁରୁଷ’ କୁହାଯାଉଥିଲା। ୨୦୦୯ ପର୍ଯ୍ୟନ୍ତ ଦଳରେ ଆଡ଼ଭାନୀଙ୍କର ଅଖଣ୍ତ କର୍ତ୍ତୃୃତ୍ବ ଥିଲା। ସେହି ବର୍ଷର ସାଧାରଣ ନିର୍ବାଚନରେ ସେ ଥିଲେ ବିଜେପି ଓ ଏନ୍‌ଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ପାଞ୍ଚବର୍ଷ ପରେ ୨୦୧୪ରେ ମଧୢ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ପାଇଁ ଆଡ଼ଭାନୀ ଥିଲେ ପ୍ରବଳ ଦାବୀଦାର‌୍‌। କିନ୍ତୁ ଦଳ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବାଛିଥିଲା।

ଏଇଠୁ ହିଁ ଆରମ୍ଭ ହୋଇଥିଲା ବିଜେପିର ପିତାମହ ଭୀଷ୍ମ ଆଡ଼ଭାନୀଙ୍କ ରାଜନୈତିକ ଭାଗ୍ୟର ବିପର୍ଯ୍ୟୟ। ନିଜେ ଗଢ଼ିଥିବା ଦଳରେ ସୀମାନ୍ତରିତ ହୋଇ ପ୍ରଭାବ ଓ କର୍ତ୍ତୃତ୍ବ ହରାଇବାର ପ୍ରକ୍ରିୟା। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଗଠନ ପରେ ଆଡ଼ଭାନୀ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ‘ମାର୍ଗଦର୍ଶକ ମଣ୍ତଳ’ ନାମକ ରାଜନୈତିକ ବୃଦ୍ଧାଶ୍ରମକୁ ପଠାଇ ଦିଆଗଲା। ଦୀର୍ଘ ରାଜନୈତିକ ଜୀବନର ସାୟାହ୍ନରେ ବିଜେପିର ପିତାମହ ଭୀଷ୍ମଙ୍କ ପାଇଁ ଏହା ଥିଲା ରାଜନୈତିକ ଶରଶଯ୍ୟା। ଗତ ପାଞ୍ଚବର୍ଷରେ ‘ମାର୍ଗଦର୍ଶକ ମଣ୍ତଳ’ଠାରୁ ନା ସରକାର ନା ଦଳ କେବେ କୌଣସି ମାର୍ଗଦର୍ଶନ ଲୋଡ଼ିଛନ୍ତି। ମାର୍ଗଦର୍ଶକ ମାନେ ମଧୢ ମାର୍ଗଦର୍ଶନ କରିବାର କେବେ କୌଣସି ଆବଶ୍ୟକତା ଅନୁଭବ କରିନାହାନ୍ତି। ଏବେ ଆଉ ଏକ ନିିର୍ବାଚନ ଆସି ପହଞ୍ଚିଯାଇଛି। ପୁଣି ଥରେ ଜନାଦେଶ ଆଶାରେ ବିଜେପିର ଅଭିଯାନ ଆରମ୍ଭ ହୋଇଛି। ଏତିକି ବେଳେ ଶରଶଯ୍ୟାରେ ଯନ୍ତ୍ରଣାସିକ୍ତ ପ୍ରମୁଖ ମାର୍ଗଦର୍ଶକ ଆଡ଼ଭାନୀ ସମ୍ପୂର୍ଣ୍ଣ ଅଲୋଡ଼ା ଭାବେ ଦଳର ମାର୍ଗଦର୍ଶନ ଲାଗି ଅନ୍ତିମ ଚେଷ୍ଟା ବା ଅପଚେଷ୍ଟା କରିଛନ୍ତିି।

ଏପ୍ରିଲ ୬ ବିଜେପିର ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ଆଡ଼ଭାନୀ ଏକ ଦୀର୍ଘ ‘ବ୍ଲଗ୍‌’ ଲେଖିଛନ୍ତି। ସା˚ପ୍ରତିକ ‘ଖବରର ବନ୍ୟା’ ଯୁଗରେ କ୍ବଚିତ କୌଣସି ନେତାଙ୍କ ‘ବ୍ଲଗ୍‌’ ସମ୍ବାଦପତ୍ରର ଶିରୋନାମାକୁ କିମ୍ବା ଆଲୋଚନାର ପରିସରକୁ ଆସୁଛି। କିନ୍ତୁ ଆଡ଼ଭାନୀଙ୍କ ଏହି ‘ବ୍ଲଗ୍‌’ ଏକ ବିରଳ ବ୍ୟତିକ୍ରମ। ଆଡ଼ଭାନୀଙ୍କ ‘ବ୍ଲଗ୍‌’ ଅଧିକା˚ଶ ଜାତୀୟ ସମ୍ବାଦପତ୍ରର ମୁଖ୍ୟ ପୃଷ୍ଠାରେ ବଡ଼ ଶିରୋନାମାରେ ସ୍ଥାନ ପାଇଛି। ପ୍ରାୟ ସବୁ ସମାଚାର ଚ୍ୟାନେଲ୍‌ରେ ପ୍ରମୁଖତାର ସହ ପ୍ରସାରିତ ହୋଇଛି। ଦେଶର ସା˚ପ୍ରତିକ ରାଜନୈତିକ ବାତାବରଣରେ ଆଡ଼ଭାନୀଙ୍କ ‘ବ୍ଲଗ୍‌’ର ବିଷୟବସ୍ତୁ ବେଶ୍‌ ଗୁରୁତ୍ବ ବହନ କରୁଥିବାରୁ ବିଜେପି ଭିତରେ ଓ ବାହାରେ ଦେଶର ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ମଧୢ ସୃଷ୍ଟି କରିଛି। ତେବେ ଅନ୍ୟପଟେ ଆଡ଼ଭାନୀଙ୍କ ଏହି ‘ବ୍ଲଗ୍‌’ ଦଳୀୟ କର୍ମୀଙ୍କୁ ବିଦାୟକାଳୀନ ପରାମର୍ଶ ଆଳରେ ଦଳୀୟ ନେତୃତ୍ବକୁ ଲକ୍ଷ୍ୟ କରି ଶରଶଯ୍ୟାରେ ଥିବା ବିଜେପି ପିତାମହ ଭୀଷ୍ମଙ୍କ ଏକ ‘ତେରଚ୍ଛା ବାଣ’ ବୋଲି ମଧୢ କୁହାଯାଇପାରେ। ‘ତେରଚ୍ଛା ବାଣ’ର ଆଘାତ ବର୍ତ୍ତମାନର ବିଜେପି ନେତୃତ୍ବ ମୋଦୀ-ଶାହ ଯୋଡ଼ିଙ୍କ ପାଇଁ ଏମିତି ଏକ ଅଜାଗା ଘା’; ଯାହା ଦେଖି ପାରୁଛନ୍ତି, ଅଥଚ ଦେଖାଇ ପାରୁନାହାନ୍ତି। ଆଘାତ ଜନିତ ଘା’ର ପୀଡ଼ା ନିଶ୍ଚୟ ଅନୁଭବ କରୁଛନ୍ତି। ସେଥିପାଇଁ ‘ବଥ ହେଲେ ଛାଇ’ ହୋଇଛି ବୋଲି କହିଲା ଭଳି ଆଡ଼ଭାନୀ ‘ମର୍ମ କଥା’ ହିଁ କହିଛନ୍ତି ବୋଲି ମୋଦୀ ପ୍ରତିକ୍ରିୟା ଦେଇଛନ୍ତି।

ଅବଶ୍ୟ, ଆଡ଼ଭାନୀଙ୍କ ତେରଚ୍ଛା ବାଣର ଆଘାତ ଜନିତ ଏହି ଘା’ ବିଜେପି ନେତୃତ୍ବ ଅନ୍ୟ କାହାକୁ ଦେଖାଇ ନପାରିଲେ ସୁଦ୍ଧା ନିଜେ ଏହାର ଚିକିତ୍ସା କରିବା ଉଚିତ। ଆଡ଼ଭାନୀ କିଛି ଅଯଥା କିମ୍ବା ଅଧିକ ପରାମର୍ଶ ଦେଇ ନାହାନ୍ତି। ସେ କେବଳ ବିଜେପିର ମୌଳିକ ନୀତି, ଆଦର୍ଶ ଓ ମୂଲ୍ୟବୋଧ ସମ୍ପର୍କରେ ଦଳୀୟ କର୍ମୀ ଓ ନେତୃତ୍ବଙ୍କୁ ପୁଣି ଅବଗତ କରାଇ ଦେଇଛନ୍ତି। ଦଳର ଅନ୍ୟତମ ପ୍ରତିଷ୍ଠାତା ସ୍ମରଣ କରାଇ ଦେଇଛନ୍ତି ଯେ, ବିଜେପି କେବେ ହେଲେ ଭିନ୍ନ ରାଜନୈତିକ ମତାଦର୍ଶରେ ବିଶ୍ବାସ କରୁଥିବା ବ୍ୟକ୍ତି କିମ୍ବା ସ˚ଗଠନକୁ ‘ରାଜନୈତିକ ଶତ୍ରୁ’ ଭାବେ ବିଚାର କରି ନାହିଁ। ଦଳର ମତ ସହ ଅରାଜି ଭିନ୍ନମତବାଦୀ ମାନେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ, କଦାପି ଶତ୍ରୁ ନୁହନ୍ତି। ସ˚ପ୍ରତି ଅନେକ ପ୍ରସଙ୍ଗରେ ବିରୋଧୀ ଓ ଭିନ୍ନମତବାଦୀ ରାଜନୈତିକ ବ୍ୟକ୍ତିତ୍ବଙ୍କ ପିଠିରେ ‘ଜାତି ବିରୋଧୀ’ ତଥା ‘ଦେଶ ବିରୋଧୀ’ ମୋହର ଲଗାଇବା ଲାଗି ଶାସକ ଦଳରେ ପ୍ରକାଶ ପାଇଥିବା ପ୍ରବଣତା ପରିପ୍ରେକ୍ଷୀରେ ଆଡ଼ଭାନୀ ବିଜେପି ମାର୍କା ରାଷ୍ଟ୍ରବାଦର ଅସଲ ସ˚ଜ୍ଞାର ବ୍ୟାଖ୍ୟା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ବିଜେପି ପରିକଳ୍ପିତ ‘ଭାରତୀୟ ରାଷ୍ଟ୍ରବାଦ’ରେ ଦଳର ମତାଦର୍ଶ ସହ ରାଜି ହେଉ ନଥିବା କୌଣସି ବ୍ୟକ୍ତଙ୍କୁ ‘ଜାତି ବିରୋଧୀ’ କୁହାଯିବା ଠିକ୍‌ ନୁହେଁ। ବିଜେପିର ‘ସା˚ସ୍କୃତିକ ରାଷ୍ଟ୍ରବାଦ’ରେ ଭାରତର ବିବିଧତା ଓ ଅନ୍ୟର ମତ ରଖିବାର ଅଧିକାର ପ୍ରତି ସମ୍ମାନ ଅନ୍ତର୍ନିହିତ। ଗଣତାନ୍ତ୍ରିକ ମୂଲ୍ୟବୋଧ ଏବ˚ ଗଣତାନ୍ତ୍ରିକ ପରମ୍ପରାର ସୁରକ୍ଷା ପ୍ରତି ବିଜେପିର ଅଙ୍ଗୀକାର ବିଷୟରେ ମଧୢ ଆଡ଼ଭାନୀ ମନେ ପକାଇ ଦେଇଛନ୍ତି। ବ୍ୟକ୍ତି ସ୍ବାଧୀନତା, ମୁକ୍ତ ବିଚାରର ସୁରକ୍ଷା ଏବ˚ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ଲାଗି ସ˚କଳ୍ପବଦ୍ଧ ନିରବଚ୍ଛିନ୍ନ ପ୍ରଚେଷ୍ଟା ଲାଗି ଦଳୀୟ କର୍ମୀଙ୍କୁ ସେ ଆହ୍ବାନ ଦେଇଛନ୍ତି।

ଏହା ଆଦୌ ଅବୁଝା ରହୁନାହିଁ ଯେ, କର୍ମୀଙ୍କ ଉଦ୍ଦେଶ୍ୟରେ ଆଡ଼ଭାନୀଙ୍କ ଏହି ପରାମର୍ଶରେ ବିଜେପିର ଚଳିତ ନେତୃତ୍ବଙ୍କ କାର୍ଯ୍ୟଶୈଳୀ ଓ ଆଭିମୁଖ୍ୟ ନେଇ ତାଙ୍କର ଗଭୀର କ୍ଷୋଭ ଓ ଅସନ୍ତୋଷ ଖୁନ୍ଦି ହୋଇ ରହିଛି। ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ନିଜ ରାଜନୈତିକ ଜୀବନର ସୂର୍ଯ୍ୟାସ୍ତ ଦେଖି ପାରୁଥିବା ଆଡ଼ଭାନୀ ସତର୍କ କରାଇ ଦେଇଛନ୍ତି ଯେ, ବର୍ତ୍ତମାନ ଦଳ ଯେଉଁ ରାସ୍ତାରେ ଆଗକୁ ମାଡ଼ି ଯିବାକୁ ବ୍ୟଗ୍ର, ତାହା ଠିକଣା ରାସ୍ତା ନୁହେଁ। ୩୯ ବର୍ଷ ତଳେ ୧୯୮୦ରେ ଦଳ ପ୍ରତିଷ୍ଠା ବେଳେ ଯେଉଁ ରାସ୍ତାରେ ଚାଲିବା ଲାଗି ନକ୍‌ସା ତିଆରି ହୋଇଥିଲା, ସେ ନକ୍‌ସାରେ ବିଜେପି ଚାଲୁ ନାହିଁ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ବ୍ୟଗ୍ରତା ମଧୢରେ ବାଟ ହୁଡ଼ି ଯାଉଛି। ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକକ ନାୟକତ୍ବ, ରାଷ୍ଟ୍ରବାଦ ଓ ଜାତୀୟ ନିରାପତ୍ତାକୁ ଆୟୁଧ କରି ବିଜେପି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ ଆଡ଼ଭାନୀଙ୍କ ଏହି ‘ବ୍ଲଗ୍‌’, ଇନ୍ଦିିରା ଗାନ୍ଧୀଙ୍କ ସମୟରେ ସେ ଲେଖିଥିବା କେତେକ ପ୍ରବନ୍ଧ ପ୍ରତି ଧୢାନ ଆକର୍ଷଣ କରୁଛି। ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ ଏକକ ନାୟକତ୍ବ, ଗଣତନ୍ତ୍ର ବିରୋଧୀ ମନୋଭାବକୁ ବିରୋଧ କରି ସତୁରି ଦଶକର ଆଡ଼ଭାନୀ ଏକାଧିକ ପ୍ରବନ୍ଧ ଲେଖିଥିଲେ। ସେହି ପ୍ରବନ୍ଧଗୁଡ଼ିକର ବିଷୟବସ୍ତୁ ଏବ˚ ତାଙ୍କର ସଦ୍ୟତମ ‘ବ୍ଲଗ୍‌’ର ବିଷୟବସ୍ତୁ ମଧୢରେ ଅନେକ ସାମଞ୍ଜସ୍ୟ ରହିଛି। ଏହା ପରୋକ୍ଷରେ ଇନ୍ଦିରାଙ୍କ ‘ଜରୁରୀ ପରିସ୍ଥିତି’ ସହ ମୋଦୀଙ୍କ ଶାସନର ତୁଳନା କି? ସେଥିପାଇଁ ଆଡ଼ଭାନୀଙ୍କ ଏହି ପରାମର୍ଶ ଦଳୀୟ ନେତୃତ୍ବ ପାଇଁ ଆଦୌ ସୁଖଦ ମନେ ହୋଇ ନପାରେ। ତେବେ ସତ୍ୟ ସବୁବେଳେ କଟୁ ଓ ନିଷ୍ଠୁର। ଆଡ଼ଭାନୀଙ୍କ ‘ବ୍ଲଗ୍‌’ ବାସ୍ତବତାର ନିଚ୍ଛକ ପ୍ରତିଫଳନ ମାତ୍ର। ତେଣୁ ଆଡ଼ଭାନୀଙ୍କ ପରାମର୍ଶ ରୂପକ ଦର୍ପଣରେ ବିଜେପି ନେତୃତ୍ବ ଅନ୍ତତଃ ଥରେ ନିଜର ଚେହେରା ଦେଖି ନିଅନ୍ତୁ। ଏହା ନିଶ୍ଚୟ ଆତ୍ମ ସମୀକ୍ଷା ପାଇଁ ସେମାନଙ୍କୁ ବାଧୢ କରିବ। ଏହି ଆଶାରେ ଆଡ଼ଭାନୀ ମଧୢ ଲେଖିଛନ୍ତି, ‘‘ପ୍ରତିଷ୍ଠା ଦିବସ ପାଳନ ଅବସରରେ ପଛକୁ ଫେରିଚାହିଁବା, ଆଗକୁ ଦେଖିବା ଓ ନିଜ ଭିତରକୁ ମଧୢ ଝାଙ୍କି ଦେଖିବା।’’ ମାର୍ଗ ଦର୍ଶକଙ୍କ ଶେଷ ମାର୍ଗ ଦର୍ଶନକୁ ବିଜେପି ଗ୍ରହଣ କରିବ?

ସମ୍ବନ୍ଧିତ ଖବର