ଅଗ୍ରିମ ଧନ୍ୟବାଦ

‘‘ବ୍ଲିସ୍‌ ଵାଜ୍‌ ଇଟ୍‌ ଇନ୍‌ ଦ୍ୟାଟ୍‌ ଡନ୍‌ ଟୁ ବି ଏଲାଇଭ୍‌/ ବଟ୍‌ ଟୁ ବି ୟଙ୍ଗ୍‌ ଵାଜ୍‌ ଭେରି ହେଭେନ୍‌!’’ (‘‘ସେ ଦିନ ପ୍ରତ୍ୟୁଷରେ ବଞ୍ଚିରହିଥିବା ଥିଲା ପରମ ଆନନ୍ଦ/କିନ୍ତୁ ଯୁବାବସ୍ଥା ହୋଇଥିଲେ, ତାହା ସ୍ବର୍ଗ ସୁଖ ଭଳି!’’) ଏହା ଥିଲା ୧୭୮୯ରେ ଆରମ୍ଭ ହୋଇଥିବା ଫରାସୀ ବିପ୍ଳବ ସମୟରେ ୧୯ ବର୍ଷୀୟ ଯୁବକ ଵିଲିଅମ୍‌ ଵାର୍ଡ‌୍‌ସଵର୍ଥ‌୍ଙ୍କ ମନରେ ସେ ବିପ୍ଳବର ଆରମ୍ଭ ସୃଷ୍ଟି କରିଥିବା ଭାବନା। ‘‘ଥ୍ୟାଙ୍କ୍‌ ୟୁ ପ୍ରାଇମ୍‌ ମିନିଷ୍ଟର‌୍‌। ଥ୍ୟାଙ୍କ୍‌ ୟୁ ଭେରି ମଚ୍‌। ଆଇ ଵାଜ୍‌ େଵଟିଙ୍ଗ୍‌ ଟୁ ସି ଦିସ୍‌ ଡେ ଇନ୍‌ ମାଇ ଲାଇଫ୍‌ ଟାଇମ୍‌।’’ (‘‘ଧନ୍ୟବାଦ ପ୍ରଧାନ ମନ୍ତ୍ରୀ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ମୋର ଜୀବନକାଳ ମଧୢରେ ଏହି ଦିନଟିକୁ ଦେଖିବାକୁ ଅପେକ୍ଷା କରିରହିଥିଲି।’’) ଏହା ଥିଲା ୨୦୧୯ ଅଗଷ୍ଟ ୬ ତାରିଖରେ ପାର୍ଲିଆମେଣ୍ଟରେ ଧାରା ୩୭୦କୁ ବସ୍ତୁତଃ ହଟାଇଦେଇ କଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗରେ ପରିଣତ କରାଯିବା ନିଷ୍ପତ୍ତି ଗୃହୀତ ହେବା ପରେ ସନ୍ଧ୍ୟା ୭.୨୩ରେ ୬୭ ବର୍ଷୀୟା ସୁଷମା ସ୍ବରାଜ ଵାର୍ଡସଵର୍ଥ‌୍ ସୁଲଭ ପରମ ଆନନ୍ଦ ଅନୁଭବ କରି ଏହାର ମୁଖ୍ୟ ସ୍ଥପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ପ୍ରସାର କରିଥିବା ଟ୍ବିଟ୍‌। ସୁଷମାଙ୍କ ପାଇଁ ଏ ଘଟଣା ସେ ଦିନର ଫରାସୀ ବିପ୍ଳବଠାରୁ କିଛି କମ୍‌ ବୈପ୍ଳବିକ ନ ଥିଲା। ଆଉ ସତେ ଯେମିତି ସେ କେବଳ ଏହି ଦିନଟିକୁ ଦେଖିବା ପାଇଁ ହିଁ ନିଜର ଗୁରୁତର ଅସୁସ୍ଥତା ସହିତ ଲଢ଼େଇ କରି ବଞ୍ଚିରହିଥିଲେ, ଏହି ଟ୍ବିଟ୍‌ କରିବାର ମାତ୍ର କେତେଟା ଘଣ୍ଟା ମଧୢରେ ସେ ନିଜର ପ୍ରାଣପ୍ରିୟ ଜନନୀ ଭାରତମାତା ଓ ଅନୁରୂପ ପ୍ରିୟ ଦେଶବାସୀଙ୍କଠାରୁ ଚିର ବିଦାୟ ନେଇ ଚାଲିଗଲେ।

ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିଅର୍‌ର ଶେଷ ସମୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ଦେଶବାସୀଙ୍କ ମନ ଜିଣିଥିବା ଓ ବିଦେଶରେ ଶକ୍ତିଶାଳୀ ଛାପ ଛାଡ଼ିଯାଇଥିବା ସୁଷମା ସ୍ବରାଜ ମାତ୍ର ୨୧ ବର୍ଷ ବୟସରେ ୧୯୭୩ ମସିହାରେ ସୁପ୍ରିମ୍‌ କୋର୍ଟ‌୍ରେ ଓକିଲାତି ଆରମ୍ଭ କରିଥିଲେ। ଇନ୍ଦିରା ଗାନ୍ଧୀ ସରକାର ବିରୋଧରେ ପ୍ରତିବାଦ ଆନ୍ଦୋଳନ ଆୟୋଜନ କରି ସେ ରାଜନୈତିକ ପରିସରରେ ନିଜ ପ୍ରତି ପ୍ରଥମେ ଦୃଷ୍ଟି ଆକର୍ଷିତ କରିଥିଲେ। ୧୯୭୫ରେ ଇନ୍ଦିରା ଗାନ୍ଧୀ ଯେତେ ବେଳେ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କଲେ, ସୁଷମା, ଜର୍ଜ ଫର୍ନାଣ୍ତେଜ୍‌ଙ୍କ ପକ୍ଷରେ ନ୍ୟାୟିକ ଲଢ଼େଇ କରିବା ପାଇଁ ଗଠିତ ଓକିଲମାନଙ୍କ ଟିମ୍‌ରେ ସାମିଲ ହୋଇଥିଲେ। ରାଷ୍ଟ୍ରୀୟ ସ୍ବୟ˚ ସେବକ ସ˚ଘ (ଆର‌୍‌ଏସ୍‌ଏସ୍‌)ର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ ରୂପେ ନିଜର ରାଜନୈତିକ କ୍ୟାରିଅର‌୍‌ ଆରମ୍ଭ କରିଥିବା ସୁଷମା ସ୍ବରାଜ ପରେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଥିଲେ।

ଯେକୌଣସି କ୍ୟାରିଅର‌୍‌ରେ ନାରୀମାନେ କାଚ ଛାତରେ ପିିଟିହୋଇ ଉପରକୁ ଉଠିପାରନ୍ତିନାହିଁ ବୋଲି ଯେଉଁ ବ୍ୟାପକ ଧାରଣା ରହିଛି, ସୁଷମା ସତେ ଯେମିତି ତାହାକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ନିଜ କ୍ୟାରିଅର‌୍‌ରେ କେତେ ଯେ କାଚଛାତ ଭାଙ୍ଗି ଚୁରମାର‌ କରିଦେଇଛନ୍ତି ତାହାର ହିସାବ ନାହିଁ। ତାଙ୍କ ନାମ ସହିତ ଅନେକ ‘ପ୍ରଥମ’ ଯୋଡ଼ି ହୋଇରହିଛି: ସେ ହରିୟାଣାର ସରକାରରେ ସବୁଠାରୁ ଅଳ୍ପବୟସ୍କ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ, ସେ ଦିଲ୍ଲୀର ସର୍ବପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ଏବ˚ କୌଣସି ଏକ ଜାତୀୟ ରାଜନୈତିକ ଦଳର ସେ ଥିଲେ ସର୍ବପ୍ରଥମ ମହିଳା ମୁଖପାତ୍ର। ସେ ୧୯୯୬ରେ ଅଟଳ ବିହାରୀ ବାଜପେୟୀଙ୍କର ୧୩ ଦିନିଆ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରହିଥିଲେ ଏବ˚ ୧୯୯୮ରେ ବାଜପେୟୀଙ୍କ ନେତୃତ୍ବରେ ଭାଜପା ପୁଣି କ୍ଷମତାକୁ ଫେରିବା ପରେ ସେ ପୁଣି ତାଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିଲେ।

କ୍ଷମତାଶାଳୀ ପ୍ରତିଦ୍ବନ୍ଦ୍ବୀଙ୍କ ସହିତ ଲଢ଼ିବାକୁ କେବେ ପଛଘୁଞ୍ଚା ଦେଉ ନ ଥିବା ସୁଷମା ୧୯୯୯ରେ କର୍ଣ୍ଣାଟକର ବେଲାରୀ ଲୋକସଭା ଆସନରେ କ˚ଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନରେ ସୁଷମାଙ୍କର ପରାଜୟ ହୋଇଥିଲା ସତ, କିନ୍ତୁ ଜନମାନସରେ ତାଙ୍କ ଭାବମୂର୍ତ୍ତି ବହୁ ଉଚ୍ଚକୁ ଉଠିଯାଇଥିଲା। ଅଳ୍ପ କେଇଟା ଦିନରେ ସ୍ଥାନୀୟ କନ୍ନଡ଼ ଭାଷା ଆୟତ୍ତ କରି ସେହି ଭାଷାରେ ଭାଷଣ ଦେଇ ସେ ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ, ଯାହା ଦେବେଗୌଡ଼ା ମଧୢ ଏବେ ତାଙ୍କର ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ୨୦୦୯ରୁ ୧୪ ପର୍ଯ୍ୟନ୍ତ ସେ ଲୋକସଭାରେ ବିରୋଧୀ ଦଳର ନେତ୍ରୀ ଦାୟିତ୍ବ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ନିର୍ବାହ କରିଥିଲେ। ସୁଷମା ସ୍ବରାଜ ତାଙ୍କର ରାଜନୈତିକ ଜୀବନରେ ସାତ ଥର ସ˚ସଦକୁ ଓ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ସରକାରରେ ଗୁରୁତ୍ବପୂର୍ଣ୍ଣ ବୈଦେଶିକ ବ୍ୟାପାର ବିଭାଗ ଦାୟିତ୍ବ ସେ ଯେଉଁ ଭଳି ଦକ୍ଷତାର ସହିତ ତୁଲାଇଥିଲେ, ଅନୁରୂପ ଭାବରେ ତାଙ୍କର ସେହି ସାଧାରଣ ଜନତାଠାରୁ ସର୍ବଦା ଦୂରତ୍ବ ରକ୍ଷା କରିଆସୁଥିବା ମନ୍ତ୍ରଣାଳୟକୁ ଏ ପରି ଏକ ମାନବବାଦୀ ପରିଚୟ ପ୍ରଦାନ କରିଥିଲେ, ଯାହା ସମସ୍ତଙ୍କୁ ଚମତ୍କୃତ କରିବା ସହିତ ଦେଶବାସୀଙ୍କ ନିକଟରେ ତାଙ୍କୁ ଅତ୍ୟନ୍ତ ପ୍ରିୟ କରିତୋଳିଥିଲା। ତାଙ୍କ ସମୟରେ ଚୀନ ସହିତ ଡୋକ୍‌ଲାମ୍‌ ବିବାଦରେ ଭାରତର ଯେଉଁ ଭଳି କୂଟନୈତିକ ବିଜୟ ଘଟିଲା, ତାହା ତାଙ୍କର ଆନ୍ତର୍ଜାତିକ ଖ୍ୟାତିରେ ବିଶେଷ ବୃଦ୍ଧି ଘଟାଇଥିଲା। ସେ ଭାରତ-ପାକିସ୍ତାନ କିମ୍ବା ଚୀନ-ଭାରତ ସମ୍ପର୍କ ଭଳି ସ୍ପର୍ଶକାତର କୂଟନୈତିକ ପ୍ରସଙ୍ଗମାନଙ୍କୁ ଅତ୍ୟନ୍ତ ସମ୍ବେଦନଶୀଳତା ସହିତ ପରିଚାଳନା କରିବାରେ ସଫଳ ହୋଇଥିଲେ।

ତାଙ୍କର ରାଜନୈତିକ ବିଚକ୍ଷଣତା ଏବ˚ ଓଜସ୍ବିନୀ ଭାଷଣ ପ୍ରଦାନ କ୍ଷମତା ତାଙ୍କୁ ନିର୍ବାଚନ ରଣାଙ୍ଗନରୁ ସ˚ସଦ ଭବନ ପର୍ଯ୍ୟନ୍ତରେ ଜଣେ ଦୁର୍ଦ୍ଧର୍ଷ ପ୍ରତିଦ୍ବନ୍ଦ୍ବୀରେ ପରିଣତ କରିଥିଲା ସତ, କିନ୍ତୁ ତାଙ୍କର ସମ୍ବେଦନଶୀଳତା ଓ ଅମାୟିକ ସ୍ବଭାବ ତାଙ୍କୁ ମଧୢ ସବୁ ରାଜନୈତିକ ମହଲରେ ଅତ୍ୟନ୍ତ ପ୍ରିୟଭାଜନ କରିଥିଲା। ସେ ବିଦେଶ ମନ୍ତ୍ରୀ ଥିବା ବେଳେ ବିଦେଶରେ ଅସୁବିଧାରେ ପଡ଼ି ତାଙ୍କର ସାହାଯ୍ୟ ମାଗି ସେଥିରୁ ମୁକୁଳିଥିବା ଭାରତୀୟ ନାଗରିକମାନଙ୍କର କାହାଣୀ ଏବେ ଲୋକକଥାରେ ପରିଣତ ହୋଇଛି।

ଟ୍ବିଟ୍‌ର ମାଧୢମରେ ସେ ଏ ଭଳି ଜନସମ୍ପର୍କ ରକ୍ଷା କରି ଏକ ନୂତନ ଧାରା ସୃଷ୍ଟି କରିଥିଲେ। ତାଙ୍କର କେତୋଟି ନମୁନା ଟ୍ବିଟର୍‌ ଆଦାନପ୍ରଦାନ ଏ ସମ୍ପର୍କରେ ଏକ ଆବଶ୍ୟକ ତଥା ଆମୋଦଦାୟକ ଧାରଣା ପ୍ରଦାନ କରିବ। ଥରେ କେହି ଜଣେ ଟ୍ବିଟ୍‌ କରି ସୁଷମା ତାଙ୍କୁ ତାଙ୍କର ଖରାପ ହୋଇଯାଇଥିବା ରେଫ୍ରିଜରେଟର‌୍‌ ସଜାଡ଼ିବାରେ ସାହାଯ୍ୟ କରିବା ପାଇଁ ଅନୁରୋଧ କଲେ। ସୁଷମା ଉତ୍ତର ଦେଲେ: ‘‘ଭାଇ ମୁଁ ରେଫ୍ରିଜରେଟର୍‌ ବ୍ୟାପାରରେ ତୁମକୁ ସାହାଯ୍ୟ କରିପାରିବିନାହିଁ। ମୁଁ ଅସୁବିଧାରେ ପଡ଼ିଥିବା ମନୁଷ୍ୟମାନଙ୍କୁ ସାହାଯ୍ୟ କରିବାରେ ବହୁତ ବ୍ୟସ୍ତ ଅଛି।’’ ଥରେ ମାଲେସିଆରେ ନିଜର ଜଣେ ମାନସିକ ଅସୁସ୍ଥ ସାଙ୍ଗ ସହିତ ଫସିରହିଥିବା ଗାଭି ନାମକ କୌଣସି ଜଣେ ପଞ୍ଜାବୀ ସୁଷମାଙ୍କ ସାହାଯ୍ୟ ଭିକ୍ଷା କରି ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଇ˚ରେଜୀରେ ଟ୍ବିଟ୍‌ କରିବା ପରେ ସୁଷମା ସେଠାକାର ଭାରତୀୟ ହାଇକମିସନ୍‌କୁ ତାଙ୍କ ଆବଶ୍ୟକ ସାହାଯ୍ୟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଲେ। ପରେ ଯେତେ ବେଳେ ସେ ଅଶୁଦ୍ଧ ଇ˚ରେଜୀ ପ୍ରତି କେହି ଜଣେ ଟ୍ବିଟ୍‌ କରି ତାଙ୍କର ଦୃଷ୍ଟି ଆକର୍ଷଣ କଲେ, ସୁଷମା ଉତ୍ତରରେ ଟ୍ବିଟ୍‌ କରି କହିଲେ, ସେ ବିଦେଶ ମନ୍ତ୍ରୀ ହେବା ପରେ ସବୁ ପ୍ରକାର ଇ˚ରେଜୀ ଭାଷା ଶିଖିଯାଇଛନ୍ତି- ଅଶୁଦ୍ଧ ଇ˚ରେଜୀ ସହ। ଅଳ୍ପ ଦିନ ତଳେ ଦିଲ୍ଲୀର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ ପରେ ସୁଷମା ତାଙ୍କର ଶୋକ ବାର୍ତ୍ତା ଟ୍ବିଟ୍‌ କରିଥିଲେ। ଇରଫାନ୍‌ ଖାନ୍‌ ନାମକ ଜଣେ ଟ୍ରଲ୍‌ (ନିନ୍ଦୁକ) ପ୍ରତିିକ୍ରିୟାରେ ଟ୍ବିଟ୍‌ କରିଥିଲା ଯେ ଦିନେ ସୁଷମାଙ୍କ ପାଇଁ ମଧୢ ଏଇ ଭଳି ଶୋକବାର୍ତ୍ତା ପ୍ରସାରିତ ହେବ। ସୁଷମା ଜବାବରେ ଟ୍ବିଟ୍‌ କରିଥିଲେ: ‘‘ଏହି ଭାବନା ପାଇଁ ତୁମକୁ ମୋର ଅଗ୍ରିମ ଧନ୍ୟବାଦ।’’ ସୁଷମା ତାଙ୍କର କାଁ-ଭାଁ ଏ ପରି ନିନ୍ଦୁକମାନଙ୍କ ପାଇଁ ଧନ୍ୟବାଦ ମଧୢ ବାକିଆ ରଖିଯାଇନାହାନ୍ତି।

ସମ୍ବନ୍ଧିତ ଖବର

Comments are closed.