ଘୋର ସଙ୍କଟରେ ଗାଡ଼ି ବଜାର, ସାଢ଼େ ତିନି ଲକ୍ଷ ବେରୋଜଗାର

ନୂଆଦିଲ୍ଲୀ : ଭାରତର ଗାଡ଼ି ବଜାର ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ଏହାର ପ୍ରଭାବ ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନଙ୍କ ଉପରେ ପଡ଼ିଛି। କିଛି ମାସ ଭିତରେ ସାଢ଼େ ତିନି ଲକ୍ଷ କର୍ମଚାରୀ ବେରୋଜଗାର ହୋଇପଡ଼ିଛନ୍ତି। ସେମାନଙ୍କ ଚାକିରି ଚାଲିଯାଇଛି।

ଦେଶରେ କାର୍‌ ଓ ମୋଟରସାଇକଲ୍ ବିକ୍ରି ବହୁତ କମିଯାଇଛି। ଗାଡ଼ି ବିକ୍ରି ହେଉନଥିବାରୁ ଅଧିକାଂଶ କଂପାନି କାରଖାନାକୁ ଦିନ ଦିନ ଧରି ବନ୍ଦ ରଖୁଛନ୍ତି। ସିଫ୍‌ଟରେ ହେଉଥିବା କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଥି ସହିତ ଗାଡ଼ି ବିକ୍ରି କରୁଥିବା ସୋ’ରୁମ୍‌ଗୁଡ଼ିକ ମଧ୍ୟ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୩୦୦ ପାଖାପାଖି ସୋ’ରୁମ୍ ବନ୍ଦ ହୋଇଗଲାଣି। ଗାଡ଼ି ବଜାରରେ ଦେଖାଦେଇଥିବା ସଙ୍କଟର ପ୍ରଭାବ ଗାଡ଼ି ନିର୍ମାଣ କରୁଥିବା କଂପାନି, ସେମାନଙ୍କୁ ‌ଛୋଟ ବଡ଼ ଯନ୍ତ୍ରାଂଶ ଓ ଉପକରଣ ଯୋଗାଇ ଦେଉଥିବା ସଂସ୍ଥା ଓ ସୋ’ରୁମ୍‌ଗୁଡ଼ିକ ଉପରେ ପଡ଼ିଛି। ଖର୍ଚକୁ ନିୟନ୍ତ୍ରଣରେ ରଖିବା ଲାଗି ସେମାନେ କର୍ମଚାରୀ ଛଟେଇ କରିବା ପ୍ରକ୍ରିୟା ଜାରି ରଖିଛନ୍ତି। କାର୍‌ ଓ ମୋଟର୍‌ସାଇକଲ୍ ନିର୍ମାଣ କରୁଥିବା ବଡ଼ କଂପାନିଗୁଡ଼ିକ ୧୫ ହଜାର ପାଖାପାଖି କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ବିଭିନ୍ନ ଯନ୍ତ୍ରାଂଶ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ଲକ୍ଷେରୁ ଅଧିକ କର୍ମଚାରୀଙ୍କୁ ବିଦା କରିଛନ୍ତି। ସୋ’ରୁମ୍‌ଗୁଡ଼ିକରେ କାମ କରୁଥିବା ଦୁଇ ଲକ୍ଷ ପାଖାପାଖି କର୍ମଚାରୀ ଚାକିରି ହରାଇଛନ୍ତି। ସୋ’ରୁମ୍ ଚାଲୁ ରଖିବା ଲାଗି ଡିଲର୍‌ମାନଙ୍କୁ ବ୍ୟାଙ୍କ ଋଣ ମିଳୁନି। ନିତିଦିନିଆ ଖର୍ଚ ତୁଲାଇବାକୁ ସେମାନଙ୍କ ପାଖରେ ଟଙ୍କା ନାହିଁ। ଟଙ୍କା ବୁଡ଼ିଯିବା ଭୟ ହୋଇଥିବାରୁ ବ୍ୟାଙ୍କ ମଧ୍ୟ ସୋ’ରୁମ୍‌ଗୁଡ଼ିକୁ ଋଣ ଦେବାକୁ ଅମଙ୍ଗ ହେଉଛନ୍ତି।

ସମ୍ବନ୍ଧିତ ଖବର