ଆଇପିଏଲ୍‌ ବେଟିଂରେ ବଲିଉଡ ଅଭିନେତାଙ୍କ ସମ୍ପୃକ୍ତି ସନ୍ଦେହ, ଅରବାଜ ଖାଁଙ୍କୁ ନୋଟିସ ପଠାଇଲା ପୁଲିସ

ଥାନେ: ଆଇପିଏଲ୍‌ ବେଟିଂ ମାମଲାରେ ଥାନେ ପୁଲିସ ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ଭାଇ ତଥା ଅଭିନେତା ଓ ନିର୍ଦ୍ଦେଶକ ଅରବାଜ୍‌ ଖାଁ ସଂମ୍ପୃକ୍ତି ଥିବା ସନ୍ଦେହ କରିଛି। ଏ ନେଇ ପୁଲିସ ଅରବାଜ ଖାଁଙ୍କୁ ନୋଟିସ ପଠାଇଛି। ଏହି ଘଟଣା ସହିତ ଅରବାଜ୍‌ ଖାଁ ସଂମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଅନୁସନ୍ଧାନ କରିବା ଲାଗି  ପୁଲିସ ତାଙ୍କୁ  ନୋଟିସ ପଠାଇଛି।

ପୁଲିସ ଅରବାଜ ଖାଁଙ୍କୁ ପଚରାଉଚରା ପାଇଁ କୋର୍ଟରେ ଉପସ୍ଥିତ ରହିବାକୁ କହିଛି। ଏହି ନୋଟିସ ଶୁକ୍ରବାର ସକାଳୁ ଖାଁଙ୍କ ବାନ୍ଦ୍ରାସ୍ଥିତ ନିବାସକୁ ପଠାଯାଇଥିଲା। ଚିଠିରେ ଉଲ୍ଲେଖ ଥିଲା ଯେ, ମୁମ୍ବାଇରୁ ଚାଲିଥିବା ର‍୍ୟାକେଟରେ ଅରବାଜଙ୍କ ସଂମ୍ପୃକ୍ତି ରହିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅରବାଜ ଖାଁ, ସୋନୁ ଜାଲାନ ଓରଫ ସୋନୁ ମଲାଡଙ୍କ ର‍୍ୟାକେଟ ସହିତ ସମ୍ପର୍କରେ ଥିଲେ। ଏହି ମାମଲାରେ ୪୨ ବର୍ଷିଅ ଜଣେ ବୁକି ସୋନୁ ଜାଲାନକୁ ଗିରଫ କରାଯାଇଥିଲା।

ଗତ ମାସରେ ପୁଲିସ ଡେମ୍ବିଭଲିରେ ଜୁଆଖେଳ ର‍୍ୟାକେଟ ଉପରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଥିଲା। ପ୍ରାଥମିକ ଯାଞ୍ଚରୁ ପୁଲିସ ଜାଣିବାକୁ ପାଇଥିଲା ଯେ, ଏହି ର‍୍ୟାକେଟର ଚେର ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଲମ୍ବିଛି। କେବଳ ଏତିକି ନୁହେଁ, ଡନ୍‌ ଦାଉଦ ଇବ୍ରାହିମଙ୍କ କମ୍ପାନି ମଧ୍ୟ ଏହି ର‍୍ୟାକେଟ ସହିତ ଜଡ଼ିତ ବୋଲି ପୁଲିସ ସୂଚନା ପାଇଥିଲା। ଜୁଆ ଆଡ୍ଡାରୁ ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସୋନୁ ଜାଲାନଙ୍କ ନାମ ସାମ୍ନାକୁ ଆସିଥିଲା। ଏହା ପରେ ସୋନୁ ଗିରଫ ହୋଇଥିଲା। ସୋନୁ ପୁଲିସକୁ କହିଥିଲା ଯେ, ଆଇପିଏଲ ବେଟିଂରେ ବଲିଉଡ଼ ସେଲିବ୍ରେଟିମାନେ ଭିନ୍ନ ଭିନ୍ନ ନାମରେ ପୁଞ୍ଜି ନିବେଶ କରିଥାନ୍ତି। ଏହା ପରେ ଅରବାଜ ଖାଁଙ୍କ ନାମ ଆସିଥିଲା।

ସମ୍ବନ୍ଧିତ ଖବର