କମଳନାଥ ସହଯୋଗୀଙ୍କ ବାସବଭନରେ ଆୟକର ଚଢ଼ଉ, ୨୮୧ କୋଟିର ରୢାକେଟ୍ ଠାବ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୂର୍ବତନ ସହଯୋଗୀଙ୍କ ଏକାଧିକ ସ୍ଥାନରେ ଆୟକର ବିଭାଗ କରିଥିବା ଚଢ଼ଉରୁ ୨୮୧ କୋଟି ଟଙ୍କାର ଏକ ରୢାକେଟ ଠାବ କରିଛି। ଗତ ଦୁଇଦିନ ହେଲା ମଧ୍ୟପ୍ରଦେଶରେ ହୋଇଥିବା ଚଢ଼ଉ ପରେ ଆୟକର ବିଭାଗକୁ ଏହି ବ୍ୟାପକ ଓ ସୁସଂଗଠିତ ରୢାକେଟକୁ ଧରିବାରେ ସକ୍ଷମ ହୋଇଛି। ୨୮୧ କୋଟି ଟଙ୍କା ମଧ୍ୟରୁ କିଛି ଅର୍ଥ ଦିଲ୍ଲୀର ଏକ ବଡ଼ ରାଜନୈତିକ ଦଳର ମୁଖ୍ୟାଳୟକୁ ସ୍ଥାନାନ୍ତର ହୋଇଛି। ଏଥିରୁ ୨୦ କୋଟି ଟଙ୍କା ହାୱଲା (ବେଆଇନ ସ୍ଥାନାନ୍ତର) ଚ୍ୟାନେଲରେ ତୋଗଲକ୍ ରୋଡ୍‌ର ଜଣେ ବରିଷ୍ଠ ନେତାଙ୍କ ଘରୁ ସ୍ଥାନାନ୍ତର ହୋଇଛି। ଆୟକର ବିଭାଗ ପକ୍ଷରୁ ଆଜି ଏହି ଚଢ଼ଉ ନେଇ ଏକ ବିବୃତି ଜାରି ହୋଇଛି। ଏଥିରେ କୁହାଯାଇଛି, ଜବତ ସାମଗ୍ରୀ ମଧ୍ୟରେ ବାଘ ଚମଡ଼ା, ୧୪.୬ ‌କୋଟି ଟଙ୍କାର ହିସାବ ବହିର୍ଭୂତ ଟଙ୍କା, ୨୫୨ ବୋତଲ ମଦ, କିଛି ମାତ୍ରାରେ ଗୁଳିଗୋଳା ରହିଛି। ଟଙ୍କା ସଂଗ୍ରହ ଏବଂ ବଣ୍ଟନ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଥିବା ହାତଲେଖା ଡାଇରି, କମ୍ପ୍ୟୁଟର ଫାଇଲ୍ ଆଦି ଜବତ କରିଛି। ୨୩୦ କୋଟି ଟଙ୍କାର କ୍ୟାସ ବୁକ୍ ରେକର୍ଡ, ‌ଜାଲ୍ ବିଲ୍ ମାଧ୍ୟମରେ ୨୪୨ କୋଟି ଟଙ୍କା ଅନ୍ୟତ୍ର ପ୍ରେରଣ ଏବଂ ଟିକସ ସ୍ବର୍ଗ ଗୁଡ଼ିକରେ ୮୦ରୁ ଅଧିକ କମ୍ପାନି ସମ୍ପର୍କରେ ଆୟକର ବିଭାଗ ହାତରେ ପ୍ରମାଣ ଲାଗିଛି।

ସମ୍ବନ୍ଧିତ ଖବର