୨୯ରେ ଜୟପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସୁରକ୍ଷା ପାଇଁ ପହଞ୍ଚିଲା ଏସ୍‌ପିଜି

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ ପ୍ରାଣକେନ୍ଦ୍ର ଜୟପୁର ଉପରେ ପ୍ରମୁଖ ରାଜନୈତିକ ଦଳ ଟାର୍ଗେଟ କରିଛି । ପ୍ରମୁଖ ରାଜନୈତିକ ଦଳର ହାଇକମାଣ୍ଡ ନିର୍ବାଚନ ପ୍ରଚାର ପାଇଁ ଜୟପୁର ଆସୁଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସନ୍ତା ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁର ଆସୁଥିବା ଜଣାଯାଇଛି । ଜୟପୁର ନିକଟସ୍ଥ ଏକମ୍ବା ଗ୍ରାମ ପଡିଆରେ ଦଳୀୟ ପ୍ରଚାର କାର୍ଯ୍ୟକ୍ରମ କରାଯିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ଥାନରେ ଯୁବ ସମାବେଶର ଆୟୋଜନ କରାଯାଇଥିବା ସହ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । କିଛିଦିନର ବ୍ୟବଧାନ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସି ଦଳୀୟ ସମାବେଶରେ ଯୋଗଦେଇଥିଲେ। ସେହି ସ୍ଥାନରେ ହିଁ ବିଜେପି ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।

ପ୍ରଧାନମନ୍ତ୍ରୀଙ୍କ ଜୟପୁର ଗସ୍ତ ପୂର୍ବରୁ ଆଜି ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସହ ଏସପିଜି ଟିମ୍ ଜୟପୁରରେ ପହଞ୍ଚି ସୁରକ୍ଷା ସଂପର୍କରେ ଅନୁଧ୍ୟାନ କରିଛନ୍ତି । ଏସପିଜିର ଆଇଜି ରାଜୀବ ପୋଗତଙ୍କ ସହ କୋରାପୁଟ ଏସପି ଡ.କନୱର ବିଶାଲ ସିଂ, ଜିଲ୍ଲାପାଳ କେ. ସୁଦର୍ଶନ ଚକବର୍ତ୍ତୀ, ଜୟପୁର ଏସଡିପିଓ ସାଗରିକା ନାଥ, ଉପଜିଲ୍ଲାପାଳ ଲୋକନାଥ ଦଳବେହେରାଙ୍କ ସହ କୋରାପୁଟ ଲୋକସଭା ପ୍ରାର୍ଥୀ ଜୟରାମ ପାଙ୍ଗୀ, ଜିଲ୍ଲା ବିଜେପି ସଭାପତି ବିଜୟ ମିଶ୍ର, ଜୟପୁର ପ୍ରାର୍ଥୀ ଗୌତମ ସାମନ୍ତରାୟ ପ୍ରମୁଖ ପ୍ରସ୍ତାବିତ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ୨୯ ତାରିଖ ଦିନ ଏକ ସ୍ବତନ୍ତ୍ର ବିମାନରେ ଜୟପୁର ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ହେଲିକେପଟରେ ଆସି ସଭାସ୍ଥଳରେ ପହଚିଂବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଗୃହ ବିଭାଗର ନିର୍ଦେଶନାମା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଳି ଏସପି କହିଛନ୍ତି। ସିସିଟିଭି ନଜରରେ ରହିବ ପୁରା ସଭାସ୍ଥଳ । ସଭାସ୍ଥଳ ଓ ଏହାର ଆଖପାଖରେ ୨୦ ପ୍ଲାଟୁନରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ସହ ବିଏସଏଫ୍, ଡିଭିଏପ୍, ଟାକ୍ଟିକାଲ ୟୁନିଟ୍, ବୋମା ନିସ୍କ୍ରିୟକାରୀ ଦଳ, କୁଇକ୍ ଆକ୍ସନ ଟିମ୍ ନିୟୋଜିତ ରହିବେ । ସୁରକ୍ଷା ଦାୟିତ୍ୱରେ ୩ଜଣ ବରିଷ୍ଠ ଆଇପିଏସ ଅଧିକାରୀ ରହିବେ ବୋଲି ସୂଚନା ମିଳିଛି । ସଭାସ୍ଥଳକୁ ଯିବା ପାଇଁ ୧୦ରୁ ୧୨ଟି ପ୍ରବେଶ ପଥ କରାଯାଇଛି। ପ୍ରତ୍ୟେକ ପ୍ରବେଶ ପଥରେ ସିସି କ୍ୟାମେରା ଖଞ୍ଜା ଯିବ । ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ପୁଲିସ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ଫୋର୍ସ ପ୍ରସ୍ତୁତ ରହିବ ବୋଲି ସୂଚନା ମିଳିଛି। ସଭାସ୍ଥଳ ଚାରିପଟେ ତ୍ରିସ୍ତରୀୟ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ। ଗଣମାଧ୍ୟମ ପ୍ରତିନିଧି, ମହିଳା, ସାଧାରଣ ଲୋକ ଏବଂ ଭିଆଇପିଙ୍କ ପ୍ରବେଶ ପଥ ଅଲଗାଅଲଗା ରହିବ । ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଗ୍ନିଶମ ବିଭାଗର ମୋଟ ୧୧୦ ଜଣ କର୍ମଚାରୀ ସଭାସ୍ଥଳରେ ନିୟୋଜିତ ରହିବେ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର