ଚେନ୍ନାଇ: ଚେନ୍ନାଇରେ ଏଯାଏଁ ବର୍ଷାର ଦେଖାନାହିଁ। ବୁଧବାର ଦିନ ଚେନ୍ନାଇରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ପାଗ କେବଳ ମେଘୁଆ ରହିଥିବା ବେଳେ ବର୍ଷା ହୋଇନଥିଲା। ଅନ୍ୟପକ୍ଷରେ ଜଳ ସଙ୍କଟ ଲୋକଙ୍କୁ ହନ୍ତସନ୍ତ କରିଦେଲାଣି। ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କେହି ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି। ଗତ ୪ ମାସ ଧରି ଚେନ୍ନାଇ ସହରରେ ଜଳ ସଙ୍କଟ ଲାଗି ରହିଛି। ଏଠାରେ ଦୈନିକ ୨୦୦ ମିଲିଅନ ଲିଟର ଜଳର ଅଭାବ ଦେଖାଦେଉଛି। ସହରକୁ ଜଳ ଯୋଗାଉଥିବା ୪ଟି ହ୍ରଦ ଶୁଖିଯାଇଛି। ଏପରି ସ୍ଥଳେ ସ୍ଥିତି ସୁଧାରିବା ପାଇଁ ଆଜି ଭେଲୋରର ଜୋଲାରପେଟରୁ ଟ୍ରେନ୍ରେ ପ୍ରାୟ ୨.୫ ନିୟୁତ ଲିଟର ଜଳ ଆସି ଚେନ୍ନାଇରେ ପହଞ୍ଚିଛି। ଏହି ସ୍ବତନ୍ତ୍ର ଟ୍ରେନ୍ ଆଜି ଭୋର ସମୟରେ ଜୋଲାରପେଟ୍ ଛାଡ଼ିଥିଲା ଏବଂ ଅପରାହ୍ନରେ ଚେନ୍ନାଇର ବିଲ୍ଲିବକ୍କମ ଷ୍ଟେସନ୍ରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ପୂର୍ବରୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ଘୋଷଣା କରିଥିଲେ ଯେ ସରକାର ଦୈନିକ ୧୦ ନିୟୁତ ଲିଟର ଜଳ ଜୋଲାରପେଟରୁ ଚେନ୍ନାଇ ପଠାଇବାପାଇଁ ଯୋଜନା କରିଛନ୍ତି। ତେବେ ଚେନ୍ନାଇ ମେଟ୍ରୋ ୱାଟର ପକ୍ଷରୁ ଏବେ ରାଜ୍ୟ ରାଜଧାନୀରେ ଦୈନିକ ୫୨୫ ମିଲିଅନ ଲିଟର ଜଳ ଯୋଗାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରେସନ ପାଇଁ ପାଣି କିଣୁଛନ୍ତି ଡାକ୍ତର
ଚେନ୍ନାଇ: ଚେନ୍ନାଇରେ ଦେଖା ଦେଇଥିବା ଉତ୍କଟ ଜଳ ସଙ୍କଟ ଏବେ ରୋଗୀମାନଙ୍କ ଚିକିତ୍ସାରେ ବାଧା ସୃଷ୍ଟି କରିଛି। ସହରର ବଡ଼ ହସ୍ପିଟାଲ୍ ଗୁଡ଼ିକରେ ପାଣି ନାହିଁ। ଟ୍ୟାପ୍ରେ ପାଣି ଆସୁନଥିବାରୁ ଅନେକ ରୋଗୀଙ୍କର ଅସ୍ତ୍ରୋପଚାର ହୋଇପାରୁନି ଏବଂ କେତେକ କ୍ଷେତ୍ରରେ ବହୁ କଷ୍ଟରେ ଏହା ସଂପନ୍ନ ହେଉଛି । ଡାକ୍ତରମାନେ ଏବେ ଜରୁରୀ ଚିକିତ୍ସା ପାଇଁ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି। ଚେନ୍ନାଇର ସୁଦାର ହସ୍ପିଟାଲ୍ ଅଧ୍ୟକ୍ଷ ଟିଏନ୍ ରବିଶଙ୍କର କହିଛନ୍ତି, ତାଙ୍କ ହସ୍ପିଟାଲ୍ରେ ପାଇପ୍ ପାଣି ଆସୁନାହିଁ। ଅପରେସନ୍ ପାଇଁ ପାଣି କିଣାଯାଉଥିବାରୁ ରୋଗୀମାନଙ୍କୁ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ତେବେ ଏମିତି ସ୍ଥିତି ଯଦି ଆଉ ମାସେ ଲାଗି ରହେ ତେବେ ରୋଗୀମାନଙ୍କୁ ବଞ୍ଚାଇ ରଖିବା କଷ୍ଟକର ହୋଇଯିବ ବୋଲି ରବିଶଙ୍କର କହିଛନ୍ତି। ଗତ ଏପ୍ରିଲ୍ରେ ୧୨,୦୦୦ ଲିଟର ଜଳ ଟ୍ରକ୍ର ଦାମ୍ ୧୨୦୦ ଟଙ୍କା ଥିବାବେଳେ ଏବେ ଏହାର ମୂଲ୍ୟ ୬,୦୦୦ରେ ପହଞ୍ଚିଛି। ଚେନ୍ନାଇର ଅଧିକାଂଶ ହସ୍ପିଟାଲ୍ ଏବେ ୫,୦୦୦ରୁ ଅଧିକ ଟ୍ୟାଙ୍କର ଉପରେ ନିର୍ଭର କରୁଛନ୍ତି। ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ ଅପରେସନ୍ ପାଇଁ ରୋଗୀ ଅଧିକ ଟଙ୍କା ଦେଲେ ମଧ୍ୟ ଚିକିତ୍ସା ସମ୍ଭବପର ହୋଇପାରିବନି ବୋଲି କୁହାଯାଇଛି।