ଶ୍ରୀଲଙ୍କାର ଜାଫ୍‌ନା ସହରରେ ପାଳନ ହେବ ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଉତ୍ସବ

କଲମ୍ବୋ: ଶ୍ରୀଲଙ୍କାର ଉତ୍ତର ଜାଫ୍‌ନା ସହରରେ ମହା ସମାରୋହରେ ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରାଯିବ ବୋଲି ଶ୍ରୀଲଙ୍କାସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଜାଫ୍‌ନାର ‘ଗାନ୍ଧୀ ସେବା ସମାଜ’ ଏବଂ ଭାରତୀୟ ମିସନ୍‌ର ମିଳିତ ସହଯୋଗରେ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀକୁ ଧୁମ୍‌ଧାମ୍‌ରେ ପାଳନ କରାଯିବ। ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜାଫ୍‌ନାରେ ଥିବା ଗାନ୍ଧୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ। ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଉତ୍ତର ପ୍ରୋଭିନ୍‌ସରେ ଗାନ୍ଧୀଙ୍କର ୬ଟି ପ୍ରତିମୂର୍ତ୍ତି ରହିଛି। ଏହି ଅବସରରେ ଗାନ୍ଧିବାଦକୁ ନେଇ ଆଲୋଚନାଚକ୍ର ଓ ପୁରସ୍କାର ବିତରଣ ସାଙ୍ଗକୁ ସ୍ଥାନୀୟ କଳାକାରଙ୍କୁ ନେଇ ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜା ରାମ’ ଗାୟନର କାର୍ଯ୍ୟକ୍ରମ ରହିଛି ବୋଲି ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀ ସୂଚନା ଦେଇଛନ୍ତି। ଜାଫ୍‌ନା ସହର ସହ ଗାନ୍ଧୀଙ୍କର ଭାବଗତ ସମ୍ପର୍କ ରହିଛି। ୧୯୨୭ ମସିହା ନଭେମ୍ବର ମାସରେ ଗାନ୍ଧୀ ଏହି ସହର ଗସ୍ତ କରିଥିଲେ। ଶ୍ରୀଲଙ୍କାର ବାଟିକାଲୋଆ ସହରରେ ଥିବା ପାର୍କରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର