ଉତ୍ତର ଭାରତରେ ଝଡ଼ ତୋଫାନ: ୧୧୦ ମୃତ, ବ୍ୟାପକ କ୍ଷୟକ୍ଷତି

ନୂଆଦିଲ୍ଲୀ: ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଝଡ଼ତୋଫାନ ଯୋଗୁଁ ୧୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଶହରୁ ଅଧିକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡରେ ଘୂର୍ଣ୍ଣିଝଡ଼ ଓ ବର୍ଷାର ତାଣ୍ଡବ ପ୍ରଳୟଙ୍କରୀ କ୍ଷତି ଘଟାଇଥିବା ରିପୋର୍ଟ ମିଳିଛି। ପ୍ରାୟ ୧ ହଜାରରୁ ଅଧିକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତାରେ ଗଛ ମଧ୍ୟ ଗଛ ଭାଙ୍ଗି ପଡ଼ିବାରୁ ଅନେକ ଲୋକଙ୍କ ପ୍ରାଣହାନି ଘଟିଛି। ଉତ୍ତରପ୍ରଦେଶର ୧୪ଟି ଜିଲ୍ଲାରେ ୭୦ ଜଣଙ୍କ ଜୀବନ ଯାଇଛି। ଆଗ୍ରାରେ ସର୍ବାଧିକ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରାଜସ୍ଥାନରେ ମଧ୍ୟ ଘୂର୍ଣ୍ଣିଝଡ଼ ବିତ୍ପାତ ସୃଷ୍ଟି କରିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ରାଜସ୍ଥାନର ଅଲଓ୍ଵର, ଭରତପୁର ଏବଂ ଢୋଲପୁର ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଥିବା ଜଣାପଡ଼ିଛି। କେବଳ ଭରତପୁରରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଢୋଲପୁରରେ ୯ ଜଙ୍କର ମୃତ୍ୟୁ ହୋଇଥିବାବେଳେ ଅଲଓ୍ଵରରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଝୁନ୍‌ଝୁନୁ ଓ ବିକାନେର୍‌ରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସରକାରମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ ଏନ୍‌୍‌ଡିଆର୍‌ଏଫ୍‌୍‌ ଏବଂ ଏସ୍‌୍‌ଡିଆର୍‌୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। ଆଗ୍ରାରେ ଗତରାତି ୮.୪୫ରୁ ୧୧.୩୦ ମଧ୍ୟରେ ୪୮.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ଅଂଚଳରେ ଶତାଧିକ ଘର ଭୁଶୁଡ଼ିଥିବା ବେଳେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସେହିପରି ଉତ୍ତରାଖଣ୍ଡର ବିଭିନ୍ନ ଅଂଶରେ ଝଡ଼ ତୋଫାନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଗତକାଲି ଧୁଳି ଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ମଧ୍ୟପ୍ରଦେଶରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପଞ୍ଜାବ୍‌ ଏବଂ ହରିୟାଣାରେ ମଧ୍ୟ ଅଚାନକ ଝଡ଼ ତୋଫାନ ଯୋଗୁଁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ୟୁପିରେ ୪ଟି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି। ଗୁରୁତର ଆହତମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବା ସହ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ରାଜସ୍ଥାନ ସରକାର ମଧ୍ୟ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚଳାଇଛନ୍ତି।

ସମ୍ବନ୍ଧିତ ଖବର