ଆତଙ୍କବାଦୀ ସଂଗଠନ ଜେଇଏମ୍ ସହ ସଂପୃକ୍ତି ଥିବା ସନ୍ଦେହରେ ଓଡ଼ିଶାର ୫ ଛାତ୍ରଙ୍କୁ ଅଟକ ରଖି ଜେରା କରୁଛି ୟୁପି ଏଟିଏସ୍
ଲକ୍ଷ୍ନୌ/ ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ଥିବା ସନ୍ଦେହରେ ଓଡ଼ିଶାର ୫ ଜଣ ଛାତ୍ରଙ୍କୁ ଅଟକ ରଖି ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କ୍ଵାର୍ଡ (ଏଟିଏସ୍) ଆଜି ଜେରା ଚଳାଇଥିବା ସୂଚନା ମିଳବା ପରେ ଏ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ, ଓଡ଼ିଶାର ଏହି ୫ ଜଣ ଛାତ୍ର କେଉଁ ଅଞ୍ଚଳର ଓ ସେମାନଙ୍କୁ ଉତ୍ତରପ୍ରଦେଶ ଏଟିଏସ୍ କେଉଁଠାରୁ ଧରିଲା ସେ ସଂପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ପ୍ରାଥମିକ ସ୍ତରରେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗତକାଲି (ଶୁକ୍ରବାର) ସକାଳେ ଉତ୍ତରପ୍ରଦେଶରୁ ଗିରଫ ହୋଇଥିବା ଜୈସ-ଇ-ମହମ୍ମଦ (ଜେଇଏମ୍)ର ୨ ଆତଙ୍କବାଦୀଙ୍କ ସୂଚନାକୁ ଆଧାର କରି ଉତ୍ତରପ୍ରଦେଶ ଏଟିଏସ୍ ଓଡ଼ିଶାର ଏହି ୫ ଜଣ ଛାତ୍ରଙ୍କୁ ଅଟକ ରଖି ଜେରା କରୁଛି।
ଉଲ୍ଲେଖଯୋଗ୍ୟ, ଗତକାଲି ଉତ୍ତରପ୍ରଦେଶ ଏଟିଏସ୍ ଶାହାରନପୁର ଅଞ୍ଚଳରେ ଲୁଚି ରହିଥିବା ୨ ଜଣ ଜେଇଏମ୍ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଏଟିଏସ୍ ହାତରେ ଗିରଫ ହୋଇଥିବା ୨ ଆତଙ୍କବାଦୀ ଥିଲେ ଆକିବ୍ ଅହମ୍ମଦ ମଲିକ୍ ଓ ଶାହନୱାଜ୍ ତେଲି। ଉଭୟେ କଶ୍ମୀର କୁଲଗାମ୍ ଇଲାକାର ହୋଇଥିବା ବେଳେ ଆତଙ୍କବାଦୀ ହାମ୍ଲା କରିବାକୁ ୟୁପିରେ ଆତ୍ମଗୋପନ କରିରହିଥିଲେ।
ଏହି ଦୁଇ ଆତଙ୍କବାଦୀଙ୍କ ନିକଟରୁ ଏଟିଏସ୍ ବହୁ ପରିମାଣର ଜିହାଦୀ ପୁସ୍ତକ ଓ ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା। ଗୁଇନ୍ଦା ସୂଚନା ଆଧାରରେ ସେମାନଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ଫୋନ୍ କଲ୍ ଡିଟେସ୍କୁ ଯାଞ୍ଚ କରାଯାଇ ସେମାନଙ୍କର ଜୈସ-ଇ- ମହମ୍ମଦ ସଙ୍ଗଠନ ସହ ସଂପୃକ୍ତି ଥିବାର ପ୍ରମାଣ ମିଳିଥିଲା। ପରେ ଗିରଫ ଆତଙ୍କବାଦୀଙ୍କୁ ଅଧିକ ପଚରାଉଚରା ଚଳାଇ ୟୁପି ଏଟିଏସ୍ ସେମାନଙ୍କ ଠାରୁ ତଥ୍ୟ ଆଦାୟ କରିବା ପରେ ଏହି ୫ ଜଣ ଓଡ଼ିଆ ଛାତ୍ରଙ୍କୁ ଏବେ ଅଟକ ରଖି ପଚରା ଉଚରା କରୁଛି। ଏଟିଏସ୍ କେଉଁ ଅଭିଯୋଗ ଆଧାରରେ ସେମାନଙ୍କୁ ପଚାରା ଉଚରା କରୁଛି, ଏ ନେଇ ଅଧିକ ସୂଚନା ମିଳି ପାରିନାହିଁ।