କଥା ଦେଇ କଥା ନ ରଖିବାରୁ ବାପା ବିରୋଧରେ ଅଭିଯୋଗ କରିବାକୁ ଥାନାରେ ପହଞ୍ଚିଲା ୭ବର୍ଷୀୟା ଝିଅ, ଜାଣନ୍ତୁ କ’ଣ ଥିଲା ସେହି କଥା…

ରାମେଶ୍ୱରମ୍‌: ତାମିଲନାଡ଼ୁର ରାମେଶ୍ୱରମରେ ଏକ ଅଜବ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଦେଇଥିବା କଥାକୁ ବାପା ନ ରଖିବାରୁ ଝିଅ ଅଭିଯୋଗ କରିବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲା । ସ୍କୁଲ ପୋଷାକରେ ୭ବର୍ଷୀୟ ନାବାଳିକାକୁ ଦେଖି ମହିଳା ପୁଲିସକର୍ମୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ କାରଣ ପଚାରିବା ପରେ ବାପା ମୋତେ ଘରେ ଶୌଚାଳୟ ତିଆରି କରିବା ପାଇଁ କହି ଏ ପର୍ଯ୍ୟନ୍ତ ତିଆରି କରି ନାହାନ୍ତି। ସେଥିପାଇଁ ମୁଁ ତାଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଚାହୁଁଛି ବୋଲି ନାବାଳିକା କହିବା ପରେ ମହିଳା ପୁଲିସକର୍ମୀ ଭି ବଳରାମଥି ପୂରା ମାମଲା ବୁଝି ପାରିଥିଲେ । ଯାହା ପରେ ମାମଲାଟି ଅମ୍ବଟ ନଗର ପାଳିକା ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା । ପୂରା ମାମଲା ବିଷୟରେ ଜାଣିବା ପରେ ସେମାନେ ନାବାଳିକାର ପରିବାର ପାଇଁ ଶୌଚାଳୟ ତିଆରି କରିବାର ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଘରେ ଶୌଚାଳୟ ନଥିବାରୁ ବାପାଙ୍କୁ ବାରମ୍ବାର ଶୌଚାଳୟ ନିର୍ମାଣ କରିବା ପାଇଁ କହି ଚାଲିଥିଲେ ନାବାଳିକା । ଝିଅର ଜିଦ୍‌ ଦେଖି ବାପା ପରୀକ୍ଷାରେ ଭଲ ମାର୍କ ଆଣିଲେ ଶୌଚାଳୟ ନିର୍ମାଣ ହେବ ବୋଲି କହିଥିଲେ । ପରେ ନାବାଳିକା ଦିନ ରାତି ପାଠ ପଢ଼ି ଭଲ ମାର୍କ ଆଣିବା ସତ୍ତ୍ୱେ ମଧ୍ୟ ତା ବାପା ଶୌଚାଳୟ ତିଆରି କରି ନଥିଲେ । ଏତେ ଥର ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ନିଜ ବାପାଙ୍କ ବିରୋଧରେ ଅଭିଯୋଗ କରିବା କଥା ଭାବିଥିଲେ ନାବାଳିକା ।

ସମ୍ବନ୍ଧିତ ଖବର