ବିବାହ ଉତ୍ସବକୁ ଉପହାର ନେଇ ଆସିଥିବା ୭୦୦ ଅତିଥିଙ୍କୁ ଅଙ୍ଗଦାନ କରିବାର ପ୍ରତିଶ୍ରୁତି ମାଗିଲେ ନବଦମ୍ପତି

ନାସିକ୍‌ : ନିଜ ବିବାହ ଦିନକୁ କିପରି ସ୍ମରଣୀୟ କରିବେ ସେ ନେଇ ସମସ୍ତେ କିଛି ନୂଆ କରିଥାଆନ୍ତି । କିଛି ଲୋକ ଦେଶ ବାହାରକୁ ଯାଇ ବିବାହ କରୁଥିବା ବେଳେ କିଛି ଲୋକ ସମୁଦ୍ର ମଧ୍ୟରେ ବିବାହ କରୁଛନ୍ତି । କିନ୍ତୁ ଏ ସବୁଠାରୁ ଟିକେ ଭିନ୍ନ କରିଥିଲେ ନାସିକ୍‌ରେ ବିବାହ କରିଥିବା ନବଦମ୍ପତି । ନିଜ ବିବାହ ଦିନଟିକୁ ସମସ୍ତଙ୍କଠାରୁ ଅଲଗା କରିବା ପାଇଁ ଆସିଥିବା ଅତିଥିମାନଙ୍କ ମଧ୍ୟରେ ଅଙ୍ଗଦାନକୁ ନେଇ ସଚେତନତା ସୃଷ୍ଟି କରିଥିଲେ ।
ଏହା ସହ ଉପହାର ବଦଳରେ ସେମାନେ ଅଙ୍ଗଦାନ କରିବାର ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସେମାନେ ସେମାନଙ୍କ ଅତିଥିମାନଙ୍କୁ କହିଥିଲେ । ଏହି ଅବସରରେ ପ୍ରାୟ ୬୨ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି ବୋଲି ମଧ୍ୟ ଜଣା ପଡ଼ିଛି । ସମସ୍ତେ ନବଦମ୍ପତିଙ୍କ ଏହି କାମକୁ ପ୍ରଶଂସା କରିବା ସହ ଏହି ଖବର ଚାରି ଆଡ଼େ ଚର୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ରବିବାର ବିବାହ କରିଥିଲେ ନାସିକ୍‌ର ଆସିଷ୍ଟାଣ୍ଟ ପ୍ରୋଭିଡ଼େଣ୍ଟ ଫଣ୍ଡ କମିଶନର ବର୍ଷା ପାଗର ଏବଂ ଆସିଷ୍ଟାଣ୍ଟ କମିଶନର ସ୍ୱପ୍ନିଲ୍‌ କୋଠାଓ୍ଵାଡ଼େ । ନିଜ ବିବାହ ଦିନରେ ବ୍ୟାଣ୍ଡ ବାଜା ବାରାତ୍‌ ନେଇ ବିବାହ କରିବା ଅପେକ୍ଷା ସେମାନେ ପରିବେଶ ଏବଂ ସମାଜ ବିଷୟରେ ଭାବିଥିଲେ ।
ବର୍ଷାଙ୍କ କହିବା ଅନୁଯାୟୀ, “ମୁଁ ଏବଂ ମୋ ସ୍ୱାମୀ ନିଜର ଅଙ୍ଗ ଦାନ କରିବାକୁ ଇଚ୍ଛା ରଖିଛୁା କିନ୍ତୁ ଆଜିକାଲି ଲୋକମାନଙ୍କର ଭୁଲ ଧାରଣା ହେତୁ ସେମାନେ ନିଜ ନିଜର ଅଙ୍ଗ ଦାନ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଯାହା ଫଳରେ ବହୁ ଲୋକଙ୍କର ମୃତ୍ୟୁ ହେଉଛି । ଏସବୁ ଜିନିଷକୁ ଆଖି ଆଗରେ ରଖି ମୁଁ ଏବଂ ମୋ ସ୍ୱାମୀ ଏଭଳି ପଦକ୍ଷପ ନେଇଥିଲୁ । ଏବଂ ଆମର ଏହି ପଦକ୍ଷପ କିଛି ଅଂଶରେ ସଫଳ ମଧ୍ୟ ହୋଇଛି । ପ୍ରାୟ ୬୨ୟୁନିଟ୍‌ ରକ୍ତ ଆମ ବିବାହ ଭୋଜିରୁ ସଂଗ୍ରହ ହୋଇଛି।”

ସମ୍ବନ୍ଧିତ ଖବର