କେରଳ ପରେ ଆନ୍ଧ୍ରରେ ସାପ ଆତଙ୍କ; ସର୍ପ କୋପରୁ ବଞ୍ଚାଇବା ପାଇଁ ଜିଲ୍ଲାପାଳ ଆୟୋଜନ କଲେ ‘ସର୍ପ ଶାନ୍ତି ଯଜ୍ଞ’

ତିରୁବନନ୍ତପୁରମ୍‌: ଗତ କିଛି ଦିନ ହେବ କେରଳରେ ବନ୍ୟା ଛାଡ଼ି ପରିସ୍ଥିିତି ଆୟତ୍ତକୁ ଆସିବା ପରେ ଲୋକମାନେ ନିଜ ବାସସ୍ଥାନ ମୁହାଁ ହୋଇଥିଲେ। ମାତ୍ର ସେଠାରେ ବି ବିପଦ ପିଛା ଛାଡ଼ିନଥିଲା। ନିଜ ବାସସ୍ଥାନରେ ପହଞ୍ଚିବା ପରେ ରହିବା ବନ୍ଦୋବସ୍ତ କରିବା ପୂର୍ବରୁ ସାମ୍ନାରେ ଖେଳୁଥିଲେ ମେଞ୍ଚେ ମେଞ୍ଚ ସାପ ଓ କୁମ୍ଭୀର। ଗତ କିଛି ଦିନ ହେବ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ସାପ ପ୍ରବଳ ମାତ୍ରାରେ ଦେଖିବାକୁ ମିଳୁଛନ୍ତି। ସାପ ଭୟରେ ହସ୍ପିଟାଲ୍‌ଗୁଡ଼ିକ ମଧ୍ୟ ସତର୍କତା  ସ୍ବରୂପ ସାପ କାମୁଡ଼ା ଔଷଧ ସହ ଚିକିତ୍ସା ପାଇଁ ପ୍ରସ୍ତୁତ ରହୁଛନ୍ତି।

ଇଏ ତ ଗଲା କେରଳ କଥା। ସାପ ଆତଙ୍କଟି କେବଳ କେରଳରେ ସୀମିତ ନୁହେଁ। ଏହା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ମଧ୍ୟ ପ୍ରଭାବିତ କରୁଛି ବୋଲି ଏବେ ଜାଣିବାକୁ ମିଳୁଛି। ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ପାଖାପାଖି ୧୪୪ ଲୋକଙ୍କୁ ସାପ କାମୁଡ଼ି ଥିବା ରିପୋର୍ଟ ହୋଇଛି। ଦୁଃଖର କଥା ହେଉଛି ସପା କଟାରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଉଥିବା ସମସ୍ତ ପୀଡ଼ିତ ଜଣେ ଜଣେ ଚାଷୀ।

ଏମାନଙ୍କ ମଧ୍ୟରୁ ୨ ଜଣ ଚାଷୀଙ୍କର ମୃତ୍ୟୁ ହୋଇଛି। ବାକି ଅନ୍ୟମାନେ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପ୍ରବଳରୁ ଅତିପ୍ରବଳ ବର୍ଷା ହେତୁ ସାପମାନେ ତାଙ୍କ ଗାତରୁ ବାହାରି ପଡ଼ିଆରେ ଖେଳବୁଲା କରୁଥିବା ସମୟରେ ଏହି ଅଘଟଣ ସବୁ ଘଟୁଛି।

ଏହି ପରିସ୍ଥିତିକୁ ଆୟତ୍ତ କରିବା ପାଇଁ କ୍ରିଷ୍ଣା ଜିଲ୍ଲାର ଜିଲ୍ଲାପାଳ ତାଙ୍କ ଜିଲ୍ଲାରେ ଏକ ‘ସର୍ପ ଶାନ୍ତି ଯଜ୍ଞ’ର ଆୟୋଜନ କରିଛନ୍ତି। ଆସନ୍ତାକାଲି ସୁବ୍ରମଣ୍ୟମ ସ୍ୱାମୀଙ୍କ ମନ୍ଦିରରେ ଏହି ପୂଜା କରାଯିବ। ଜିଲ୍ଲାକୁ ସାପମାନଙ୍କ କୋପ ଦୃଷ୍ଟିରୁ ରକ୍ଷା କରିବା ପାଇଁ ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର