ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ବାୟୁସେନା ଅଧିକାରୀ ସମେତ ୭ ମୃତ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଦୁର୍ଗମ ପାହାଡ଼ୀ ଅଞ୍ଚଳକୁ ଅତ୍ୟାବଶ୍ୟକ କିରାସିନି ନେଇ ଯାଉଥିବା ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ଏକ ହେଲିକପ୍ଟର ଆଜି ତାଓ୍ଵଙ୍ଗ ନିକଟରେ ଆଜି ଜଳିଯାଇଛି। ଏଥିରେ ଥିବା ସମସ୍ତ ୫ ଜଣ ବାୟୁସେନା ଅଧିକାରୀ ଏବଂ ଦୁଇ ଜଣ ସ୍ଥଳ ସେନା ଅଧିକାରୀଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ, ଆଇଏଏଫ୍‌ର ଏହି ଏମଆଇ-୧୭ ଭିଫାଇଭ୍‌ ବିମାନଟି ଏକ ଏୟାର ମେଣ୍ଟେନାନ୍ସ ମିସନ୍‌ରେ ଉଡ଼ାଣ କରୁଥିବାବେଳେ ଚୀନ୍‌ ସୀମାନ୍ତରେ ତାଓ୍ଵଙ୍ଗ ସେକ୍ଟରରେ ସକାଳ ୬ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଇଏଏଫ ଦୁର୍ଘଟଣାର କାରଣ ଜାଣିବାପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛିି। ଚଳିତ ବର୍ଷ ମେ’ ମାସରେ ମଧ୍ୟ ଆସାମ-ଅରୁଣାଚଳ ସୀମାରେ ଏକ ସୁଖୋଇ-୩୦ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଆଇଏଏଫ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିଲା।

ଏହାପୂର୍ବରୁ ୨୦୧୩ ଜୁନ୍‌ରେ ଏକ ଏମଆଇ-୧୭ ଭିଫାଇଭ୍‌ ବିମାନ ମଧ୍ୟ ଉତ୍ତରାଖଣ୍ଡ ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ବଜାୟ ରଖିଥିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ୨୦ରୁ ଊର୍ଦ୍ଧ୍ୱଙ୍କ ପ୍ରାଣହାନୀ ହୋଇଥିଲା। ଏମଆଇ୧୭-ଭିଫାଇଭ୍‌ ବିଶ୍ୱର ସବୁଠୁ ଉନ୍ନତ ସୈନ୍ୟ ପରିବହନ ବିମାନ (ମିଲିଟାରି ଟ୍ରାନ୍ସପୋର୍ଟ ହେଲିକପ୍ଟର)। ଏହା ରୁଷ୍‌ ନିର୍ମିତ ଏକ ସୈନ୍ୟ ପରିବହନ ବିମାନ। ରୁଷ୍‌ ଗତବର୍ଷ ଜୁଲାଇରେ ଭାରତକୁ ୩ଟି ଏମଆଇ-୧୭ ଭିଫାଇଭ୍‌ ସୈନ୍ୟ ପରିବହନ ବିମାନ ଯୋଗାଇଦେଇଥିଲା। ଆଇଏଏଫ ସମସ୍ତ ମୃତ ସେନାମାନଙ୍କୁ ଚିହ୍ନଟ କରିଛି ଏବଂ ସେମାନେ ହେଉଛନ୍ତି ଆଇଏଏଫର ଓ୍ଵିଙ୍ଗ୍‌ କମାଣ୍ଡର ବିକ୍ରମ ଉପାଧ୍ୟାୟ, ସ୍କ୍ଵାଡ୍ରନ୍‌ ଲିଡର ଏସ ତିଓ୍ଵାରି, ଏମଡବ୍ଲ୍ୟୁଓ ଏକେ ସିଂହ, ସର୍ଜେଣ୍ଟ୍‌ ଗୌତମ ଏବଂ ସତୀଶ କୁମାର। ସ୍ଥଳ ସେନାବାହିନୀର ସିପାହୀ ଇ ବାଲାଜି ଏବଂ ସିପାହୀ ଏଚଏନ ଡେକାଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର