ଥାନା ଭିତରେ ଯୌନ କର୍ମୀଙ୍କୁ ପିଟିବା ମହଙ୍ଗା ପଡ଼ିଲା; ଫଟୋ ଭାଇରାଲ ହେବା ପରେ ନିଲମ୍ବିତ ହେଲେ ହେଡ୍‌ କନେଷ୍ଟବଲ

ଗୁଣ୍ଟୁର (ଆନ୍ଧ୍ରପ୍ରଦେଶ): ଜନୈକା ଯୌନ କର୍ମୀଙ୍କୁ ମଦ୍ୟପାନ କରି ଚପଲ ଓ ରବର ହଣ୍ଟରରେ ନିର୍ଘାତ ପିଟିବା ଘଟଣା ମହଙ୍ଗା ସାବ୍ୟସ୍ତ ହୋଇଛି ଜନୈକ ହେଡ୍‌ କନେଷ୍ଟବଳଙ୍କ ପାଇଁ। ଏହି ଘଟଣାର ଫଟୋଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ସଂପୃକ୍ତ ହେଡ୍‌ କନେଷ୍ଟବଳଙ୍କୁ ଚକିରିରୁ ନିଲମ୍ବିତ କରିଥିବା ଜାଣିବାକୁ ମିଳିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଅଧୀନସ୍ଥ ନଗରମ୍‌ପାଲେମ୍‌ ଥାନାର ହେଡ୍‌ କନେଷ୍ଟବଲ ଭେଙ୍କଟେଶ୍ୱର ରାଓଙ୍କର ଗତ ରବିବାର ରାତିରେ ଡ୍ୟୁଟିରେ ନଥିବା ସତ୍ତ୍ୱେ ସଂପୃକ୍ତ ଥାନା ଅଞ୍ଚଳରେ ଥିବା ଏକ ରେଡ୍‌ ଲାଇଟ୍‌ ଏରିଆ ଉପରେ ଚଢ଼ାଉ କରିବା ସହ ସେଠାରୁ ୬ ଜଣ ଯୌନ କର୍ମୀଙ୍କୁ ଧରି ଆଣି ଥାନାର ଲକ୍‌ଅପ୍‌ ଭିତରେ ବନ୍ଦ କରି ରଖି ଦେଇଥିଲେ। ପରେ ବିଳମ୍ବିତ ରାତ୍ରରେ ହେଡ୍‌ କନେଷ୍ଟବଲ ଭେଙ୍କଟେଶ୍ୱର ପ୍ରଚୁର ମଦ୍ୟପାନ କରି ଥାନାକୁ ଆଉଥରେ ଆସିବା ସହ ଧରି ଆଣିଥିବା ଯୌନ କର୍ମୀଙ୍କୁ ପଚରାଉଚୁରା କରୁଥିଲେ।

ଏହି ସମୟରେ ଜନୈକା ଯୌନକର୍ମୀଙ୍କ ସହ ହେଡ୍‌ କନେଷ୍ଟବଲ ଭେଙ୍କଟେଶ୍ୱରଙ୍କର ଯୁକ୍ତତର୍କ ଆରମ୍ଭ ହୋଇ ଯାଇଥିଲା। ଏହି ଘଟଣାରେ ଉତ୍ୟକ୍ତ ହୋଇ ହେଡ୍‌ କନେଷ୍ଟବଲ ଭେଙ୍କଟେଶ୍ୱର ପ୍ରଥମେ ନିଜ ଚପଲ ଖୋଲି ସେଥିରେ ସଂପୃକ୍ତା ଯୌନ କର୍ମୀଙ୍କୁ ପିଟିଥିଲେ। ହେଲେ, ଏଥିରେ ତାଙ୍କର ମନ ଶାନ୍ତ ନହେବାରୁ ସେ ଥାନାରେ ଥିବା ଏକ ରବର ହଣ୍ଟର ଆଣି ସେଥିରେ ନିର୍ଘାତ ପିଟିବାକୁ ଆରମ୍ଭ କରିଥିଲେ। ସେହି ସମୟରେ ଥାନାରେ ଉପସ୍ଥିତ ଅନ୍ୟ ପୁଲିସ୍‌ କର୍ମଚାରୀମାନେ ହେଡ୍‌ କନେଷ୍ଟବଲ ଭେଙ୍କଟେଶ୍ୱରଙ୍କୁ ଏଥିରୁ କ୍ଷାନ୍ତ କରାଇବାକୁ ଅନେକ ଚେଷ୍ଟା କରାଇଥିଲେ ମଧ୍ୟ ସେ କାହାରି କଥା ଶୁଣି ନଥିଲେ।

ତେବେ, ଏହି ଘଟଣାର ଫଟୋଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗୁଣ୍ଟୁର ଏସ୍‌ପି ବିଜୟ ରାଓ ଏହି ଘଟଣାର ତଦନ୍ତ କରି ହେଡ୍‌ କନେଷ୍ଟବଲ ଭେଙ୍କଟେଶ୍ୱର ରାଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର