ପାକ୍‌ ସେନାମୁଖ୍ୟ ବାଜଓ୍ଵାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢିଲା

ଇସ୍ଲାମାବାଦ : ପାକିସ୍ତାନ ସରକାର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କ କାର୍ଯ୍ୟକାଳକୁ ଆଉ ୩ ବର୍ଷ ପାଇଁ ବଢାଇଦେଇଛନ୍ତି । କଶ୍ମୀରକୁ ନେଇ ଭାରତ ସହିତ ପାକିସ୍ତାନର ସଂପର୍କ ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ନିଜେ ଇମ୍ରାନ ଖାଁ ସ୍ୱାକ୍ଷର କରିଛନ୍ତି ।

ଆଞ୍ଚଳିକ ସ୍ତରରେ ସୁରକ୍ଷା ସ୍ଥିତିକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । ଜେନେରାଲ ବାଜଓ୍ଵା ୨୦୧୬ରେ ପାକିସ୍ତାନ ସେନାମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତତକାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଏହି ନିଯୁକ୍ତି ଦେଇଥିଲେ । ଭାରତ କଶ୍ମୀରରୁ ଧାରା ୩୭୦ ଉଠାଇଦେବା ପରେ ଦୁଇଦେଶ ମଧ୍ୟରେ ସଂପର୍କ ଅଧିକ ଖରାପ ହୋଇଛି । ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢାଇବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଖୋଲାଖୋଲି ଧମକ ଦେଇଛନ୍ତି । ଏ ପରିସ୍ଥିତିରେ ବାଜଓ୍ଵାଙ୍କ କାର୍ଯ୍ୟକାଳ ବୃଦ୍ଧି ଗୁରୁତ୍ୱବହନ କରୁଛି ।

ସମ୍ବନ୍ଧିତ ଖବର