ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ରବିବାର ଅପରାହ୍ଣ ୩ଟା ୧୭ରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ରାଷ୍ଟ୍ରୀୟ ସମ୍ମାନ ସହ ଜେଟଲୀଙ୍କ ପାର୍ଥିବ ଶରୀରର ଶେଷ କୃତ୍ୟ ସଂପନ୍ନ ହୋଇଛି। ଜଣେ ଭଲ ବକ୍ତା, ଆଇନଜୀବୀ, ରଣନୀତିକାର ଜେଟଲୀଙ୍କୁ ନିଗମବୋଧ ଘାଟରେ ଉପସ୍ଥିତ ନେତା-ଜନତା ଅଶ୍ରୁଳ ବିଦାୟ ଦେଇଛନ୍ତି। ଜେଟଲୀଙ୍କ ପାର୍ଥିବ ଶରୀରରେ ତାଙ୍କ ପୁଅ ରୋହନ ମୁଖାଗ୍ନି ଦେଇଛନ୍ତି। ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ହେବା ପୂର୍ବରୁ ପାର୍ଥିବ ଶରୀରକୁ କୈଳାଶ କଲୋନିସ୍ଥିତ ତାଙ୍କ ନିବାସରୁ ପୂର୍ବାହ୍ଣ ୧୦ଟା ୩୦ରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ କାର୍ଯ୍ୟଳୟକୁ ଅନ୍ତିମ ଦର୍ଶନ ପାଇଁ ନିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ସୁସଜ୍ଜିତ ଗାଡ଼ିରେ ଜେଟଲୀଙ୍କ ପାର୍ଥିବ ଶରୀର ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକ ତଥା ସାଧାରଣ ଜନତା ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ଅନେକ ଗୁଡ଼ିଏ ନେତା, ମନ୍ତ୍ରୀ, କର୍ମକର୍ତ୍ତା, ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାନୀ, ରାମ ବିଲାସ ପାସଓ୍ଵାନ, ଜେପି ନଡ୍ଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ବାବା ରାମଦେବ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ବିଜେପିର ସଙ୍କଟମୋଚକ କୁହାଯାଉଥିବା ଅରୁଣ ଜେଟଲୀ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଅଗଷ୍ଟ ୯ ତାରିଖରୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଜେଟଲୀ ୬୬ ବର୍ଷ ବୟସରେ ଶନିବାର ମଧ୍ୟାହ୍ଣ ୧୨ଟା ୭ରେ ଶେଷ ନିଃଶ୍ୱାସ ନେଇଥିଲେ।