କୋର୍ଟରେ ହାଜର ହେବାକୁ ଆସିଥିବା ଆଶାରାମଙ୍କ ପାଦସ୍ପର୍ଶ କଲେ ପୂର୍ବତନ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅପରାଧରେ ଜେଲରେ ବନ୍ଦୀଜୀବନ କାଟୁଥିବା ଆଶାରାମ ବାପୁଙ୍କ ପାଦଛୁଇଁବା ପାଇଁ ଉଚ୍ଚନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ତଥା ପୂର୍ବତନ ରାଜ୍ୟପାଳ ଯୋଦ୍ଧପୁର କୋର୍ଟ ପହଞ୍ଚିଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ଯୋଦ୍ଧପୁର କୋର୍ଟରେ ଆଶାରାମଙ୍କ ମାମଲାର ପ୍ରତିଦିନ ଶୁଣାଣି ହୋଇଥାଏ। ଏଥିପାଇଁ ପ୍ରତିଦିନ ଆଶାରାମଙ୍କୁ କଡା ସୁରକ୍ଷାବ୍ୟବସ୍ଥା ମଧ୍ୟରେ କୋର୍ଟରେ ହାଜର ହେବାକୁ ପଡ଼ିଥାଏ।

ଶନିବାର ଆଇଟି ଆକ୍ଟ ଓ ଦୁଷ୍କର୍ମ ଦୁଇଟି ଭିନ୍ନଭିନ୍ନ ମାମଲାର ଶୁଣାଣି ଚାଲିଥିବାରୁ ଆଶାରାମଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ସିକ୍କିମର ପୂର୍ବତନ ମୁଖ୍ୟବିଚାରପତି ତଥା ପୂର୍ବତନ ରାଜ୍ୟପାଳ ସୁନ୍ଦର ନାଥ ଭାର୍ଗବ ତାଙ୍କର ଦୁଇଜଣ ଗାର୍ଡଙ୍କୁ ଧରି କୋର୍ଟରେ ପହଞ୍ଚି ଯାଇଥିଲେ ଆଶାରାମଙ୍କୁ ଭେଟିବା ପାଇଁ। ଯେମତି ହିଁ ପୂର୍ବତନ ମୁଖ୍ୟ ବିଚାରପତି ସୁନ୍ଦର ନାଥଆଶାରାମଙ୍କୁ ଦେଖିଥିଲେ ତତ୍‌କ୍ଷଣାତ୍‌ ତାଙ୍କ ପାଦତଳେ ଲୋଟି ପଡ଼ିଥିଲେ। କେବଳ ଏତିକି ନୁହେଁ ଭାର୍ଗବଙ୍କ ସହିତ ଆସିଥିବା ତାଙ୍କର ଦୁଇଜଣ ସରକାରୀ ଗାର୍ଡ ବି ଆଶାରାମଙ୍କ ପାଦସ୍ପର୍ଶ କରି ଆର୍ଶୀବାଦ ନେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟ ବିଚାରପତି ସୁନ୍ଦର ନାଥ ଭାର୍ଗବ କହିଛନ୍ତି, ‘ଏକ ଘରୋଇ ସମାରୋହରେ ଯୋଗ ଦେବା ପାଇଁ ମୁଁ ଯୋଦ୍ଧପୁର ଆସିଥିଲି। ସେତେବେଳେ ମୁଁ ଜାଣିଲି ଆଶାରାମ କୋର୍ଟରେ ହାଜର ହେବାକୁ ଆସିବେ। ମୁଁ ତାଙ୍କ ଦର୍ଶନ ପାଇଁ ମନସ୍ଥିର କରିଥିଲି ଓ କୋର୍ଟ ଚାଲି ଆସିଥିଲି।’

ଶୁଣାଣି ପରେ ଯେତେବେଳେ ଆଶାରାମ କୋର୍ଟରୁ ବାହାରକୁ ବାହାରିଲେ ଗଣମାଧ୍ୟମ ତାଙ୍କୁ ଏନେଇ ପ୍ରଶ୍ନ ମଧ୍ୟ କରିଥିଲେ। ତେବେ ଗଣାମଧ୍ୟମକୁ ଆଶାରାମ କହିଥିଲେ, ‘ଭାର୍ଗବ ମୋର ପୁରୁଣା ଭକ୍ତ, ଅନେକ ଦିନ ହେବ ମୁଁ ତାଙ୍କୁ ଜାଣିଛି। ତାଙ୍କର ମୋ ସହିତ ଦେଖା କରିବାକୁ ଇଚ୍ଛା ହେଲା ଓ ସେ ମୋ ପାଖକୁ ଚାଲି ଆସିଲେ।’

ଉଲ୍ଲେଖଯୋଗ୍ୟ, ୨୦୧୩ ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ପୀଡିତାଙ୍କ ଏହି ଅଭିଯୋଗ କ୍ରମେ ପୁଲିସ ଆଶାରାମ ବାପୁଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାକୁ ଯୋଦ୍ଧପୁର ସ୍ଥାନାନ୍ତର କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର