ରାବଣ ପୋଡ଼ି ବେଳେ ଟ୍ରେନ୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧିି, ଆହୁରି ବଢ଼ିପାରେ

ଆଜି ପଞ୍ଜାବର ସମସ୍ତ ସରକାରୀ ଅନୁଷ୍ଠାନ ସହିତ ସ୍କୁଲ ବନ୍ଦ

ଅମୃତସର: ଗତକାଲି ରାତିରେ ପଞ୍ଜାବର ଅମୃତସର ଠାରେ ରାବଣ ପୋଡି ହେଉଥିବା ବେଳେ ଟ୍ରେନ୍‌ ଲାଇନରେ ଏହାକୁ ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ଚଢ଼ିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬୧ ହୋଇଛି ।ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଜି ଏହି ଘଟରା ପାଇଁ ଅମୃତସରର ସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ପଞ୍ଜାବ ସରକାର ଘୋଷଣାା କରିଛନ୍ତି।


ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ଅମୃତସରର ଯୋଡ଼ା ରେଳବାଇ ଫାଟକ ନିକଟରେ ରେଲେଓ୍ଵ ଟ୍ରାକକୁ ଲାଗି ଏକ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହି ସମୟରେ ରାବଣରେ ଅଗ୍ନିସଂଯୋଗ ହେବା ପରେ ଏଥିରେ ଖଞ୍ଜା ଯାଇଥିିବା ବାଣ ବିସ୍ଫୋରଣରୁ ରକ୍ଷା ପାଇବା ପାଇଁ ଆୟୋଜକମାନେ ଦର୍ଶକମାନଙ୍କୁ ଘଟଣାସ୍ଥଳରୁ ୧୦୦ ଫୁଟ ପଛକୁ ଫେରିଯିବାକୁ କହିଥିଲେ। ତେଣୁ ଲୋକେ ରେଲେଓ୍ଵ ଟ୍ରାକ୍‌ ଉପରକୁ ଆସିଯାଇଥଲେ। ଏହି ସମୟରେ ପ୍ରବଳ ଶବ୍ଦ କରି ବାଣ ଫୁଟୁଥିବା ବେଳେ ଏଥିରେ ମସଗୁଲ ଥିଲେ ଲୋକେ। ଠିକ୍‌୍‌ ସେତିକିବେଳେ ଆସୁଥିବା ପଠାନକୋଟ୍‌ -ଅମୃତସର ଟ୍ରେନ୍‌ଟିର ହ୍ଵିସଲକୁ ବାଣ ଶବ୍ଦରେ କେହି ଶୁଣି ପାରି ନ ଥିଲେ। ତେଣୁ ମିନିଟିକ ମଧ୍ୟରେ ରାବଣ ପୋଡିର ଉତ୍ସାହ ଏକ ବିୟୋଗାନ୍ତକ ଦୃଶ୍ୟରେ ପରିଣତ ହୋଇଥିଲା। ମିନିଟିକ ମଧ୍ୟରେ ଶହଶହ ଲୋକ ଟ୍ରେନ୍‌ ଚକାତଳେ ପଡ଼ି ମୃତାହତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୬୧ ଜଣ ଙ୍କର ମୃତ୍ୟୁଘଟି ଥିବା ଅମୃତସର ପୁଲିସ କମିସନର ଏସଏସ ଶ୍ରୀବାସ୍ତବ କହିଛନ୍ତି।। ୧ଶହରୁ ଊର୍ଧ୍ୱ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସିତ ହେଉଥିବା ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲିି ଆଶଙ୍କା କରାଯାଉଛି।

ପଞ୍ଜାବ ସରକାରଙ୍କ ମନ୍ତ୍ରୀ ଓପି ସୋନୀ, ଗୃହ ସଚିବ ଏନଏସ କାଲସୀ, ସ୍ୱାସ୍ଥ୍ୟ ସଚିବ ସତୀଶ ଚନ୍ଦ୍ର, ପୁଲିସ ଏଡିଜି ହରଦୀପ ସିଂହ ଧିଲନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ମୃତକମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିବା ସହିତ ନିଜେ ଆଜି ଅମୃତସର ଯାଇ ପରିସ୍ଥିତି ଅନୁଧୃାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର