ଛତିଶଗଡ଼ ସୁକମାରେ ସୁରକ୍ଷାବାହିନୀର ଏନକାଉଣ୍ଟର, ୨ ନକ୍ସଲ ମୃତ

ରାୟପୁର : ଛତିଶଗଡ଼ର ବିଜେପୁରରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୭ ନକ୍ସଲ ନିହତ ହେବାର ଦିନକ ପରେ ଆଉ ଏକ ଏନକାଉଣ୍ଟର କରିଛି ସୁରକ୍ଷାବାହିନୀ । ଆଜି ସୁକମା ଜିଲ୍ଲାରେ ସୁରକ୍ଷାବଳ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହେବାରୁ ଜଣ ମହିଳା ନକ୍ସଲ ସହ ମୋଟ ଦୁଇଜଣ ନିହତ ହୋଇଥିବା ସଂଦେହ କରାଯାଉଛି । ତେବେ ଏହି ଏନକାଉଣ୍ଟରରେ ଆହୁରି ଅନେକ ନକ୍ସଲ ମରିଥିବା ସଂଦେହ କରାଯାଉଛି । କେତେକ ସୁତ୍ରରୁ ଜଣାପଡିଛି ଯେ ମୃତ୍ୟୁ ସଂଖ୍ୟା ୧୧କୁ ବଢିବାର ସମ୍ଭାବନା ରହିଛି । ଏହି ଏନକାଉଣ୍ଟରଟି ସୁକମା ଜିଲ୍ଲାର ବର୍କପାଲ ଅଂଚଳର ମେଟାଗୁଦମ ଗ୍ରାମ ନିକଟରେ ଥିବା ଘଞ୍ଚ ଜଙ୍ଗଲର ହୋଇଥିଲା ବୋଲି ଦକ୍ଷିଣ ବସ୍ତର ରେଞ୍ଜର ଡିଆଇଜି ସୁନ୍ଦରରାଜ୍‌ ପି. କହିଛନ୍ତି । ସେ କହିଛନ୍ତି ଯେ ଆଜି ସକାଳେ ସ୍ପେଶାଲ ଟାସ୍କ ଫୋର୍ସ ଓ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ତରଫରୁ ଉକ୍ତ ଜଙ୍ଗଲରେ ମିଳିତଭାବେ କମ୍ବି ଅପରେସନ କରାଯାଉଥିବାବେଳେ ନକ୍ସଲମାନେ ଗୁଳି ଚଳାଇଥିଲେ । ସୁରକ୍ଷାବାହିନୀ ତରଫରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା, ଫଳରେ ଘଟଣା ସ୍ଥଳରେ ଅତି କମରେ ଦୁଇଜଣ ନକ୍ସଲ ଟଳିପଡିଥିଲେ ଓ ଅନେକ ନକ୍ସଲ ଆହତ ହୋଇ ପଳାୟନ କରିଥିଲେ । ମୃତ ନକ୍ସଲଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ଘଟଣାସ୍ଥଳରୁ ଅନେକ ନକ୍ସଲ ପଳାୟନ କରିଥିବାରୁ ସୁରକ୍ଷା ବାହିନୀ ତରଫରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ସମ୍ବନ୍ଧିତ ଖବର