ଜୟପୁର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରା ଏବଂ ତାଙ୍କ ମା’ ମୌରିନ୍ ଆଜି ବିକାନେର ଜମି ଦୁର୍ନୀତି ମାମଲାରେ ଜୟପୁର ସ୍ଥିତ ଇଡି ଅଫିସ୍ରେ ହାଜର ହୋଇଥିଲେ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଆଜି ତାଙ୍କ ସ୍ବାମୀ ରବର୍ଟ ଓ ଶାଶୂଙ୍କୁ ଇଡି ଅଫିସ୍ ନିକଟରେ ଛାଡ଼ିଥିଲେ। ହାଜର ହେବାର ମାତ୍ର କିଛି ସମୟ ପରେ ଭଦ୍ରାଙ୍କ ମା’ଙ୍କୁ ଛାଡ଼ି ଦିଆଯାଇଥିଲା। କିନ୍ତୁ ରବର୍ଟ ଭଦ୍ରାଙ୍କୁ ମଧ୍ୟାହ୍ନ ଭୋଜନ ପରେ ପୁଣି ଥରେ ଜେରା ହୋଇଥିଲା।ଆଜି ଭଦ୍ରା ଚତୁର୍ଥ ଥର ପାଇଁ ଇଡିରେ ହାଜର ହୋଇଛନ୍ତି। ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ସେ ୩ ଥର ଦିଲ୍ଲୀ ସ୍ଥିତ ଇଡି ଦପ୍ତରରେ ହାଜର ହୋଇଥିଲେ। ତେବେ ବିକାନେର ଜମି ଦୁର୍ନୀତି ମାମଲାରେ ଭଦ୍ରା ଆଜି ପ୍ରଥମ ଥର ପାଇଁ ଜୟପୁର ସ୍ଥିତ ଇଡି ଅଫିସ୍ରେ ହାଜର ହୋଇଛନ୍ତି। ପୂର୍ବରୁ ବିକାନେର ଜମି ଦୁର୍ନୀତି ମାମଲାରେ ଭଦ୍ରାଙ୍କୁ ୩ ଥର ସମନ୍ କରାଯାଇଥିଲେ ମଧ୍ୟ ସେ ହାଜର ହେବାରେ ବିଫଳ ହୋଇଥିଲେ। ତେବେ ରାଜସ୍ଥାନ ହାଇକୋର୍ଟ ଉଭୟ ଭଦ୍ରା ଏବଂ ତାଙ୍କ ମା’ଙ୍କୁ ଇଡି ତଦନ୍ତରେ ସହଯୋଗ କରିବାପାଇଁ ନିର୍ଦ୍ଦେଶ ଦେବାପରେ ଉଭୟ ଆଜି ଇଡିରେ ହାଜର ହୋଇଛନ୍ତି।