ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି: ରାଜସ୍ଥାନ ପାଇଁ ୫୦ ଲକ୍ଷ ନିଯୁକ୍ତି

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେପି ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ଦଳ ନିର୍ବାଚନୀ ଇସ୍ତାହାରରେ ଅନେକ ମହତ୍ତ୍ବପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛି। ରାଜ୍ୟର ଯୁବପିଢ଼ିଙ୍କ ପାଇଁ ଘ‌ରୋଇ କ୍ଷେତ୍ରରେ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ଲକ୍ଷ ନିଯୁକ୍ତି ସୃଷ୍ଟି‌ ହେବ। ସେହିଭଳି ବର୍ଷକୁ ସରକାରୀ କ୍ଷେତ୍ରରେ ୩୦,୦୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି ଏଥିରେ ଦର୍ଶାଯାଇଛି। ଏ ବାବଦରେ ଦଳ ପକ୍ଷରୁ କୁହାଯାଇଛି ‌ଯେ ରାଜ୍ୟରେ ବିଜେପି ନେତୃତ୍ବାଧୀନ ସରକାର ୨୦୧୩ରେ ରଖିଥିବା ପ୍ରତିଶ୍ରୁତିରୁ ୯୫ ପ୍ରତିଶତ ପୂରଣ କରିଛି। ବିଜେପି ସରକାର ୬୬୫ ପ୍ରତିଶ୍ରୁତି ମଧ୍ୟରୁ ୬୩୦ଟି ପୂରଣ କରିଛି। ଫଳରେ ୨୦୧୩ ନିର୍ବାଚନୀ ଇସ୍ତାହାରରେ ଦଳ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯାଇଛି।
କାର୍ଯ୍ୟକ୍ରମରେ ବିଜେପି ‌ନେତ୍ରୀ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଛନ୍ତି, ଗତ ୫ ବର୍ଷ ଧରି ବିକାଶମୂଳକ କାର୍ଯ୍ୟ ଓ ଜନମଙ୍ଗଳ ସ୍କିମ୍‌ କାର୍ଯ୍ୟକାରୀ ଉପରେ ଗୁରୁତ୍ବ ଦିଆଯାଇଛି। ଆଗାମୀ ୫ ବର୍ଷ ପାଇଁ ମଧ୍ୟ ଏହି ଧାରା ଅବ୍ୟାହତ ରହିବ। ସଭାରେ ଉପସ୍ଥିତ ଥିବା ବିଜେପି ନେତା ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ପାଇଁ ସରକାରଙ୍କର ସମାନ ଦୃଷ୍ଟିକୋଣ ରହିଛି। ଇସ୍ତାହାର ମୁତାବକ ରାଜ୍ୟରୁ ବେକାରି ହାର ଦୂର ପାଇଁ ଅଭିନବ ସ୍କିମ୍‌ କାର୍ଯ୍ୟକାରୀ ହେବ। ‌ନିଯୁକ୍ତି ପାଇପାରୁନଥିବା ଯୁବକଯୁବତୀଙ୍କୁ ମାସକୁ ୫,୦୦୦ ଟଙ୍କା ଦିଆଯିବ।

କଂଗ୍ରେସ ଇସ୍ତାହାର: ମୁସ୍‌ଲିମ୍‌ ଭୋଟର୍‌ଙ୍କ ପାଇଁ ୭ ସ୍କିମ୍‌
ହାଇଦ୍ରାବାଦ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଏଥିରେ ରାଜ୍ୟ କଂଗ୍ରେସ ମୁଖ୍ୟ କମଳନାଥ ଦଳର କର୍ମକର୍ତ୍ତାଙ୍କୁ ମୁସ୍‌ଲିମ୍‌ ବହୁଳ କ୍ଷେତ୍ର‌ରେ ୯୦ ପ୍ରତିଶତ ଭୋଟିଂ କରାଇବା ପାଇଁ କହୁଥିଲେ। ଏହା ନହେଲେ ଦଳ ବହୁତ ବଡ଼ କ୍ଷତିର ସମ୍ମୁଖୀନ ହେବ ବୋଲି ସେ ଦର୍ଶାଇଥିଲେ। ଏହି ବୟାନ ପରେ କଂଗ୍ରେସ ପକ୍ଷରୁ ତେଲେଙ୍ଗାନା ପାଇଁ ଏକ ବଡ଼ ଘୋଷଣା କରାଯାଇଛି। ଦଳ ଏଥର ମୁସ୍‌ଲିମ୍‌ ସମ୍ପ୍ରଦାୟ ଭୋଟର୍‌ଙ୍କୁ ଆଖିରେ ରଖି ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଚର୍ଚ୍ଚ ଓ ମସ୍‌ଜିଦ୍‌କୁ ମାଗଣାରେ ବିଜୁଳି, ମୁସ୍‌ଲିମ୍‌ ଯୁବକଙ୍କୁ ସରକାରୀ ଠିକା କାମରେ ଅଧିକ ମାତ୍ରାରେ ସାମିଲ, ଗରିବ ମୁସ୍‌ଲିମ୍‌ ଛାତ୍ରଛାତ୍ରୀଙ୍କୁ ୨୦ ଲକ୍ଷ ଟଙ୍କାର ସହାୟତା, ମୁସ୍‌ଲିମ୍‌ଙ୍କ ପାଇଁ ଅଧିକ ବିଦ୍ୟାଳୟ, ସଂଖ୍ୟାଲଘୁଙ୍କ ପାଇଁ ଡାକ୍ତରଖାନା ଆଦି ଯୋଗାଇଦେବାକୁ ଏଥିରେ ଦଳ ପ୍ରତିଶ୍ରୁତି ଦେଇଛି। କଂଗ୍ରେସର ଏଭଳି ଅଫରକୁ ବିଜେପି ସମାଲୋଚନା କରିଛି।

ଆଜି ମତଦାନ: ମଧ୍ୟପ୍ରଦେଶରେ ୨,୯୦୭ ପ୍ରାର୍ଥୀ O ମି‌ଜୋରାମ୍‌ରେ ୨୦୯ ପ୍ରାର୍ଥୀ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ଓ ମିଜୋରାମ୍‌ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ହେବ। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଦୁଇରାଜ୍ୟର ନାଗରିକ ନିଜ ପସନ୍ଦିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ସମସ୍ତ ଦଳରୁ ମୋଟ ୨,୯୦୭ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଶାସକ ବିଜେପି ପକ୍ଷରୁ ୨୩୦ ପ୍ରାର୍ଥୀ ଦିଆଯାଇଛି। କିନ୍ତୁ କଂଗ୍ରେସ ଏହାର ୨୨୯ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି। ପୂର୍ବ ବିଧାନସଭା ନିର୍ବା‌ଚନରେ ବିଜେପି ସର୍ବାଧିକ ୧୬୫ ଆସନ (୨୦୦୮ ତୁଳନାରେ ୨୨ ଅଧିକ) ହାସଲ କରିଥିଲା ବେଳେ କଂଗ୍ରେସ ୫୮ ଆସନ (୨୦୦୮ ତୁଳନାରେ ୧୩ କମ୍‌) ଅକ୍ତିଆର କରିଥିଲା। ମିଜୋରାମ୍‌ର ୪୦ ଆସନବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଦଳଗୁଡ଼ିକ ମୋଟ ୨୦୯ ପ୍ରାର୍ଥୀ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କଂଗ୍ରେସର ୪୦ ପ୍ରାର୍ଥୀ ରହିଥିବା ବେଳେ ବିଜେପି ୩୯ ଓ ଏମ୍‌ଏନ୍‌ଏଫ୍‌ ୪୦ ପ୍ରାର୍ଥୀ ଛିଡ଼ା କରାଇଛି।

କଂଗ୍ରେସ ପ୍ରାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ
ହାଇଦ୍ରାବାଦ୍‌ : ତେଲେଙ୍ଗାନାର ଜଣେ କଂଗ୍ରେସ ପ୍ରାର୍ଥୀ ତାଙ୍କ ବାସଭବନରେ ପୁଲିସ ଚଢ଼ଉକୁ ଏଡ଼ାଇବା ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଭାଣ୍ଟେରୁ ପ୍ରତାପ ରେଡ୍ଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ତେବେ ଭୋଟରଙ୍କ ଉଦ୍ଦେଶ୍ୟରେ କିଛି ଟଙ୍କା ତାଙ୍କ ବାସଭବନରେ ଜମା ହୋଇଛି ବୋଲି ଖବର ପାଇ ପୁଲିସ ଗତକାଲି ରାତିରେ ରେଡ୍ଡିଙ୍କ ବାସଭବନରେ ଚଢ଼ଉ କରିଥିଲା। କିନ୍ତୁ ରେଡ୍ଡି ପୁଲିସ ଚଢ଼ଉରେ ବାଧା ସୃଷ୍ଟି ପାଇଁ ଏହି ସମୟରେ ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ଆଇପିସିର ଗୁରୁତ୍ବପୂର୍ଣ୍ଣ ଧାରା ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

କଂଗ୍ରେସ ରାସ୍ତାରେ ଟିଆର୍‌ଏସ୍‌:ପରିବାର ଶାସିତ ସରକାର ଚାଲୁଛି
ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳୁଛି କଂଗ୍ରେସ
ନିଜାମବାଦ: ଆସନ୍ତା ମାସ ୭ ତାରିଖରେ ରାଜସ୍ଥାନ ଓ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଥିବା ବେଳେ ଦଳଗୁଡ଼ିକ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି। ଆଜି ତେଲେଙ୍ଗାନାର ନିଜାମବାଦ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନିର୍ବାଚନୀ ପ୍ରଚାରରେ ଯୋଗଦେଇ ଶାସକ ଟିଆର୍‌ଏସ୍‌ ଓ କଂଗ୍ରେସକୁ ଆକ୍ରମଣ କରିଛନ୍ତି। ମୋଦୀ କହିଛନ୍ତି, ରାଜ୍ୟରେ ଟିଆର୍‌ଏସ୍‌ ଦଳ କଂ‌ଗ୍ରେସ ରାସ୍ତା‌‌ରେ ଚାଲିବା ଆରମ୍ଭ କରିଛି। କଂଗ୍ରେସ ଯେମିତି ‘ପରିବାର-ଶାସିତ’ ସରକାର ଚଳାଇ ଆସୁଥିଲା ଟିଆର୍‌ଏସ୍‌ (‌ତେଲେଙ୍ଗାନା ରାଷ୍ଟ୍ର ସମିତି) ମଧ୍ୟ ସେମିତି କାର୍ଯ୍ୟ କରୁଛି। ରାଜ୍ୟରେ ଦୁଇ ଦଳ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳି ଲୋକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି।
ରାଜ୍ୟରେ ନିଜ ପ୍ରଥମ ନିର୍ବାଚନୀ ପ୍ରଚାରରେ ଲୋକଙ୍କୁ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଭୋଟ୍‌ ବ୍ୟାଙ୍କ ରାଜନୀତି ରାଜ୍ୟ ତଥା ଦେଶର ବିକାଶରେ ବାଧା ସୃଷ୍ଟି କରୁଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବୁଛନ୍ତି କଂଗ୍ରେସ ଭଳି ଲୋକମାନଙ୍କ ପାଇଁ କିଛି ନକରି ନିର୍ବାଚନ ଜିତିଚାଲିବ। ୫୦-୫୨ ବର୍ଷ ଧରି ଦେଶ ପାଇଁ କିଛି କରିନଥିବା କଂଗ୍ରେସର ନୀତି ଅବଲମ୍ବନ କରୁଛନ୍ତି ସେ। କିନ୍ତୁ ଏବେ ତାହା ଆଉ ଘଟିବ ନାହିଁ। ଲୋକମାନେ ସେମାନଙ୍କୁ ଜବାବ ଦେବେ। ଦୁଇଦଳ ଏବେ ପରିବାର ଶାସିତ ଦଳ ଭାବେ ତେଲେଙ୍ଗାନା ନିର୍ବାଚନରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ ଚାହୁଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କର କୌଣସି ପ୍ରତିଶ୍ରୁତି ପାଳନ କରିନାହାନ୍ତି। ନିଜାମବାଦକୁ ଲଣ୍ଡନ ଭଳି ସ୍ମାର୍ଟ ସିଟିରେ ପରିଣତ କରିବେ ବୋଲି ସେ କହିଥିଲେ। କିନ୍ତୁ ଏବେ ବି ନିଜାମବାଦ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇଁ ଚିତ୍କାର କରୁଛନ୍ତି। ଏଠାରେ ଉପଯୁକ୍ତ ବିଜୁଳି ଓ ସଡ଼କ ବ୍ୟବସ୍ଥା ନାହିଁ।
କେନ୍ଦ୍ର ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ବୀମା ସ୍କିମ୍‌ ଆୟୁଷ୍ମାନ ଭାରତ ଆରମ୍ଭ କରିଥିଲା। କିନ୍ତୁ ରାଓ ନିଜକୁ ଅସୁରକ୍ଷିତ ମଣି ଏହି ସ୍କିମ୍‌ରେ ସାମିଲ ହୋଇନାହାନ୍ତି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର