ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ: ଲକ୍ଷ୍ୟ ବଡ଼ ବିଜୟ

ଆଜି ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ, ଏଥର ‘ଅଜେୟ ବିଜେପି’ ସ୍ଲୋଗାନ୍‌

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ସରକାର ଇତିମଧ୍ୟରେ ୫ ବର୍ଷ ପୂରା କରିବାକୁ ଯାଉଥିବା ବେଳେ ଆଗାମୀ ୫ ବର୍ଷ ପାଇଁ ପୁଣି କ୍ଷମତାସୀନ ହେବାକୁ ରଣନୀତି ଆରମ୍ଭ କରିଦେଇଛି। ମୋଦୀ ସରକାରଙ୍କ ଦ୍ୱାରା ହାସଲ ହୋଇଥିବା ସଫଳତାକୁ ମୁଖ୍ୟ ଅସ୍ତ୍ର କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ୨୦୧୪ ତୁଳନାରେ ଆହୁରି ବଡ଼ ସଫଳତା ହାସଲ କରି ଶାସନ କ୍ଷମତାକୁ ହାତମୁଠାକୁ ନେବା ପାଇଁ ସଂକଳ୍ପ ନେଇଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଆଜି ଦଳୀୟ ନେତାମାନଙ୍କୁ ଏହି ସଂକଳ୍ପ ରଖି ଦାୟିତ୍ୱ ନିର୍ବାହ କରିବା ପାଇଁ ଆହ୍ଵାନ ଦେଇଛନ୍ତି। ଶନିବାର ଠାରୁ ଆରମ୍ଭ ହୋଇଥିବା ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ୨୦୧୯ ନିର୍ବାଚନ ପାଇଁ ଦଳ ପକ୍ଷରୁ ‘ଅଜେୟ ବିଜେପି’ ଶୀର୍ଷକ ସ୍ଲୋଗାନ୍‌ ଚୂଡ଼ାନ୍ତ କରାଯାଇଛି। ସାଧାରଣ ନିର୍ବାଚନ ନିମନ୍ତେ ଏହି ସ୍ଲୋଗାନ୍‌ ରଖି କାର୍ଯ୍ୟ କରିବାକୁ ଶାହ ନେତାମାନଙ୍କୁ ଆହ୍ଵାନ ଦେଇଛନ୍ତି। ତେବେ ଏହା ପୂର୍ବରୁ ତେଲେଙ୍ଗାନା ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଦଳକୁ ବିଜୟୀ କରାଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବାକୁ ଶାହ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଅପରାହ୍ନରେ ଦଳୀୟ ନେତାଙ୍କୁ ଉଦ୍‌ବୋଧନ ଦେବେ ବୋଲି ସୂଚନା ମିଳିଛି। ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି, ମୋଦୀ ସରକାର ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ଦେଶରେ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ସହାୟକ ହୋଇଛି। କିନ୍ତୁ କଂଗ୍ରେସ ଏହି ସଂସ୍କାରମୂଳକ ପଦକ୍ଷେପ ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ଦଳର ଭାବମୂର୍ତ୍ତିକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ମୋଦୀ ସରକାର ଦେଶର ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ନେଇ ‘ମେକ୍‌ ଇନ୍‌ ଇଣ୍ଡିଆ’ ଭଳି ପଦକ୍ଷେପ ନେଇଥିଲେ। କିନ୍ତୁ କଂଗ୍ରେସ ଏବେ ‘ବ୍ରେକ୍‌ ଇନ୍‌ ଇଣ୍ଡିଆ’ରେ ବ୍ୟସ୍ତ। ଅର୍ଥାତ୍‌ ଦେଶକୁ ଭାଂଗିବା ପାଇଁ କଂଗ୍ରେସ ଏଭଳି ପ୍ରୟାସ କରୁଛି। ତେଣୁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଅଧିକ ଆସନରେ ବିଜୟୀ ହୋଇ ବିଜେପି ତାହାର ଜବାବ ଦେବ ବୋଲି ଶାହ କହିଛନ୍ତି।

ଏତଦ୍‌ବ୍ୟତୀତ ବିଜେପି ଅଧ୍ୟକ୍ଷ ଶାହ ବିରୋଧୀମାନଙ୍କ ସମ୍ଭାବ୍ୟ ମହାମେଣ୍ଟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏହି ମହାମେଣ୍ଟ କେବଳ ମିଥ୍ୟା ଓ ବିଭ୍ରାନ୍ତି ଉପରେ ଆଧାରିତ। ଏଥିପାଇଁ କୌଣସି ପ୍ରକାର ଭୟ ନାହିଁ। କାରଣ ଏହି ଦଳଗୁଡ଼ିକୁ ବିଜେପି ପୂର୍ବରୁ ହରାଇଛି। ବିରୋଧୀ ମେଣ୍ଟର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ନାହିଁ। ଶାହ କହିଛନ୍ତି, ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ମହତ୍ତ୍ୱକୁ ଦୃଷ୍ଟିରେ କରି ଦେଶରେ ‘ସୌର୍ଯ୍ୟ ଦିବସ’ ପାଳନ କରାଯିବ।

ଓଡ଼ିଶା ରଣନୀତି ନେଇ ସମୀକ୍ଷା
ନୂଆଦିଲ୍ଲୀ: ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ସଂପର୍କିତ ରଣନୀତି ଏବଂ ଟାର୍ଗେଟ୍‌ ନେଇ ସମୀକ୍ଷା କରାଯାଇଥିଲା। ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ବିଧାୟକ କେ.ଭି. ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ମାନସ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କୌଣସି କାରଣବଶତଃ ଅନୁପସ୍ଥିତ ଥିଲେ। ଅନ୍ୟପକ୍ଷରେ ଦଳର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା।

ସମ୍ବନ୍ଧିତ ଖବର