ରାହୁଲଙ୍କ ବିରୋଧରେ ବର୍ଷିଲା ବିଜେପି

ନୂଆଦିଲ୍ଲୀ : କରୋନା ଭୂତାଣୁ ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆଜି ବିଜେପି କଡ଼ା ଜବାବ ଦେଇଛି। କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ରାହୁଲଙ୍କ ପ୍ରତ୍ୟେକଟି ସମାଲୋଚନାର ଜବାବ ଦେଇଛନ୍ତି। ରାହୁଲ ଚୀନ୍‌ ଓ ନେପାଳ ମାମଲାରେ କେନ୍ଦ୍ର ସରାକାରଙ୍କୁ ସ୍ଥିତି ସ୍ପଷ୍ଟ କରିବାକୁ କହିଥିବାରୁ ଆଜି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ‘ନରେନ୍ଦ୍ର ମୋଦୀଙ୍କ ଭାରତକୁ କେହି ଆଖି ଦେଖାଇ ପାରିବ ନାହିଁ।’ କଂଗ୍ରେସ ନେତା ରାହୁଲ ଗାନ୍ଧି କରୋନା ବିରୋଧରେ ଦେଶର ଲଢ଼େଇକୁ ଦୁର୍ବଳ କରିବା ସହ ଏଥିରୁ ରାଜନୈତିକ ଫାଇଦା ନେବାକୁ ପ୍ରୟାସ କରୁଥିବା ରବିଶଙ୍କର କହିଛନ୍ତି। କଂଗ୍ରେସ ଶାସିତ ପଂଜାବ ଓ ରାଜସ୍ଥାନ ପ୍ରଥମେ ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରିଥିଲେ, ଏହା ରାହୁଲ ଭୁଲିଯିବା ଅନୁଚିତ। ଦେଶର ଲଢ଼େଇକୁ ସେ ସମ୍ମାନ ଦିଅନ୍ତୁ ଏବଂ ଦାୟିତ୍ବବୋଧରୁ ହଟି ନଯାଆନ୍ତୁ ବୋଲି ସେ କହିଛନ୍ତି। ଭାରତ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଆରମ୍ଭରୁ କରୋନାରୁ ମୁକାବିଲା କରି ଆସୁଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଦେଶରେ କମ୍‌ ମୃତ୍ୟୁ ହେଉଥିବା ବେଳେ ଆରୋଗ୍ୟ ହାର ସମଗ୍ର ବିଶ୍ବରେ ଅଧିକ ରହିଛି। ବିଶ୍ବର ସର୍ବାଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ଅଛି ଏବଂ ଠିକ୍‌ ସମୟରେ ଲକ୍‌ଡାଉନ୍‌ର ସୁଫଳ ଦେଶକୁ ମିଳିଛି। କରୋନାଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଲୋକଙ୍କୁ ବିଭ୍ରାନ୍ତି କରିବା ହିଁ କଂଗ୍ରେସ ନେତାଙ୍କ କାମ ପାଲଟିଛି। କରୋନା ବିରୋଧରେ ଦେଶ ଏକଜୁଟ ହୋଇ ଲଢ଼େଇ କରିବା ଏକ ବଡ଼ ଉପଲବ୍ଧି।

ସମ୍ବନ୍ଧିତ ଖବର