ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୁଖୋଇରୁ ପରୀକ୍ଷା ହେବ ବ୍ରହ୍ମୋସ କ୍ଷେପଣାସ୍ତ୍ର

ଭୁବନେଶ୍ୱର: ଭାରତ ଶବ୍ଦ ଠାରୁ ତିନିଗୁଣ ଅଧିକ ଗତିେରେ  ଯାଇପାରୁଥିବା ତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାରଣାସ୍ତ୍ର (କ୍ଷେପଣାସ୍ତ୍ର) ବ୍ରହ୍ମୋସ୍‌  ସୁପରସୋନିକ କ୍ରୁଇଜ୍‌ ମିସାଇଲକୁ ସୁଖୋଇ ୩୦ଏମ କେ ଆଇ  ଲଢ଼ୁଆ ବିମାନରୁ ଆସନ୍ତା ସପ୍ତାହରେ ପରୀକ୍ଷଣ କରିବ। ଯାହାଫଳରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ମାରକ କ୍ଷମତା ବହୁଗୁଣ ବୃଦ୍ଧି ପାଇବ ବୋଲି  ପ୍ରତିରକ୍ଷା ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି।ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇପାରିଲେ  ଭାରତ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବାରେ ଅଧିକ ସଫଳତା ପାଇପାରିବ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ଶତ୍ରୁପକ୍ଷରୁ ଅଣ୍ଡରଗ୍ରାଉଣ୍ଡ ଆଣବିକ  ବଙ୍କର, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, , ଗଭୀର ସମୁଦ୍ରରେ ଏୟାରକ୍ରାଫ୍ଟ କ୍ୟାରିଆରକୁ ମଧ୍ୟ ଏହା ଲକ୍ଷ୍ୟ ଭେଦ କରି ଶତ୍ରୁପକ୍ଷରୁ ପ୍ରଭୂତ କ୍ଷତି ଘଟାଇ ପାରିବ ବୋଲି  କୁହାଯାଉଛି। ଭାରତ  ୨୯୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ  ସ୍ଥଳଭାଗ ଓ ଯୁଦ୍ଧଜାହାଜରୁ ଏହାର ବ୍ୟବହାର ଉପଯୋଗୀ ବିକଶିତ  କ୍ଷେପଣାସ୍ଥ ପ୍ରସ୍ତୁତ କରି ସୈନ୍ୟବାହିନୀରେ ସାମିଲ କରି ସାରିଛି।ଏଥିପାଇଁ ୨୭ହଜାର ୧୫୦ କୋଟି ଟଙ୍କା ବ୍ୟୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରସ୍ତୁତି ପାଇଁ ଅର୍ଡର ଦେଇ ଭାରତର ସ୍ଥଳସେନା, ନୌସେନା ଓ ବାୟୁସେନା ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରତି ସେମାନଙ୍କ ଭରଷା ଦର୍ଶାଇ ସାରିଛନ୍ତି। ୨୦୧୬ ମସିହା ଜୁନ ମାସରେ ଭାରତ ୩୪ ଦେଶୀୟ ଏମଟିସିଆରରେ ଯୋଗ ଦେବା ପରେ  ମଧ୍ୟ ତାର ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକାଶ ଜାରି ରଖିଛି ଓ ଏହାକୁ ୪୫୦ କିଲୋମିଟର ଦୂରତାରୁ ଲକ୍ଷ୍ୟଭେଦ ପାଇଁ ବିକଶିତ କରୁଛି। ସେହିପରି ବ୍ରହ୍ମୋସ କ୍ଷେପଣାସ୍ତ୍ର ଯେପରି ସୁଖୋଇ ବିମାନରୁ ବ୍ୟବହାର କରାଯାଇ ପାରିବ ସେଥିପାଇଁ  ପ୍ରାଥମିକ ପ୍ରସ୍ତୁତି ଶେଷ ହୋଇଛି। କେବଳ ସେତିକି କୁହେଁ, ବ୍ରହ୍ମୋସ କ୍ଷେପଣାସ୍ତ୍ରର  ହାଇପରସୋନିକ ଭର୍ସନର ବିକାଶ ପାଇଁ ମଧ୍ୟ ଭାରତ ତାର ଉଦ୍ୟମ ଆରମ୍ଭ କରିଦେଇଛି।ଏହି ହାଇପର ସୋନିକ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଓଜନ ୨.୪ ଟନ୍‌କୁ ହ୍ରାସ କରାଯିବା ସହିତ ଏହା ସେକେଣ୍ଡ ପ୍ରତି୧୭୧୫ ମିଟର  ଗତିର ଲକ୍ଷ୍ୟ ଭେଦ କରିପାରବ। ଏହି କ୍ଷେପଣାସ୍ତ୍ରକୁ  ଦୁଇ ଇଞ୍ଜିନ ବିଶିଷ୍ଟ ସୁଖୋଇ   ଲଢ଼ୁଆ ବିମାନ ଦ୍ୱାର କିପରି ପ୍ରକ୍ଷେପିତ କରାଯିବ ତାର ପରୀକ୍ଷା ଆସନ୍ତା ସପ୍ତାହରେ  ବଙ୍ଗୋପ ସାଗରରେ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଥିବା  ପ୍ରତିରକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର