ନୂଆଦିଲ୍ଲୀ: ରେଳବାଇ ଅଧୀନ ଆଇଆର୍ସିଟିସିର ରାଞ୍ଚି ଓ ପୁରୀସ୍ଥିତ ହୋଟେଲ ମରାମତିର ଠିକା କାର୍ଯ୍ୟ ପ୍ରଦାନକୁ ନେଇ ହୋଇଥିବା ଅନିୟମିତତା ମାମଲାରେ ସିବିଆଇ ଆଜି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ ସମେତ ୧୪ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି। ଏହା ପୂର୍ବରୁ ସିବିଆଇ ଗତ ସପ୍ତାହରେ ଲାଲୁଙ୍କ ପତ୍ନୀ ରାବ୍ରି ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ବୟାନ୍ ରେକର୍ଡ କରିଥିଲା। ଏହି ହୋଟେଲ ମରାମତି ଟେଣ୍ଡର ଦୁର୍ନୀତିରେ ସିବିଆଇ ଗତ ବର୍ଷ ମାମଲା ରୁଜୁ କରିଥିଲା। ଲାଲୁ ରେଳମନ୍ତ୍ରୀ ଥିବା ସମୟରେ ଏହି ହୋଟେଲ ଦୁଇଟିର ମରାମତି ପାଇଁ ଠିକା କାମ ପାଟନାର ସୁଜାତା ହୋଟେଲ୍ସକୁ ଦିଆଯାଇଥିଲା। ସିବିଆଇର ଏଫ୍ଆଇଆର୍ରେ ଥିବା ୮ ଜଣଙ୍କ ସମେତ ଆଉ ୬ ଜଣଙ୍କ ନାମ ଚାର୍ଜସିଟ୍ରେ ରହିଛି। ଏହି ମାମଲାର ଅନ୍ୟ ଅଭିଯୁକ୍ତ ମାନେ ହେଲେ ପ୍ରେମଚାନ୍ଦ ଗୁପ୍ତା, ସରଳା ଗୁପ୍ତା, ସୁଜାତା ହୋଟେଲ୍ସ ମାଲିକ ବିନୟ ଓ ବିଜୟ କୋଚ୍ଚର, ଲାରା ପ୍ରୋଜେକ୍ସସ୍,ଆଇଆର୍ସିଟିସିର ପୂର୍ବତନ ଏମ୍ଡି ପି. କେ. ଗୋୟଲ ଓ ଡିଲାଇଟ କମ୍ପାନି।