କୋଭିଡ-୧୯ ନିରାକରଣ ପାଇଁ କେନ୍ଦ୍ର ଜାରି କଲା ସଂଶୋଧିତ ନିର୍ଦ୍ଦେଶାବଳୀ: ରାଜ୍ୟ ସହ ସମନ୍ୱୟ ଲାଗି ୩୦ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ନିରାକରଣ ଓ ନିବାରଣ ଲାଗି ଆଜି ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ଅଧିକାରୀମାନଙ୍କୁ ନେଇ କ୍ୟାବିନେଟ ସଚିବ ଏକ ଜରୁରୀ ବୈଠକ ଆୟୋଜନ କରିଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ସମାବେଶ ନିଷେଧ ଲାଗି ଜାରି ହୋଇଥିବା ନିର୍ଦ୍ଦେଶକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସାମାଜିକ ଦୂରତା ରକ୍ଷା କରିବା ଦ୍ୱାରା ରୋଗ ସଂକ୍ରମଣକୁ ନିବାରଣ କରିହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ସେହିପରି ବିଭିନ୍ନ ରାଜ୍ୟରେ ପୃଥକୀକରଣ ସୁବିଧା, ଡାକ୍ତରଖାନା ପରିଚାଳନା ଓ ସଚେତନତା ଅଭିଯାନର ସେ ସମୀକ୍ଷା କରିଥିଲେ ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ୩୦ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଭାରତ ସରକାରଙ୍କ ଠାରୁ ରାଜ୍ୟଗୁଡିକ କୌଣସି ପ୍ରକାର ସହାୟତା ଆବଶ୍ୟକ କରୁଥିଲେ ଯୁଗ୍ମ ସଚିବ ସ୍ତରର ଏହି ଅଧିକାରୀମାନେ ପ୍ରଭାବୀ ଓ ବାଧାମୁକ୍ତ ସମନ୍ୱୟ ରକ୍ଷା କରିବେ । ଏମାନେ ବିଭିନ୍ନ ରାଜ୍ୟରେ ନିୟୋଜିତ ରହିବା ସହିତ କରୋନା ଭୂତାଣୂ ସଂକ୍ରମଣର ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପରେ ରାଜ୍ୟ କର୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବେ । ଏ ସମସ୍ତ ଅଧିକାରୀଙ୍କ ସହିତ ଆସନ୍ତାକାଲି ଏକ ବୈଠକ ଆୟୋଜନ କରାଯିବ । ଏଥିରେ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବ ।

ସେହିପରି ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶୀକା ଓ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପତ୍ର ଲେଖିଛନ୍ତି । ସମସ୍ତ ନିର୍ଦ୍ଦେଶନାମାକୁ ମନ୍ତ୍ରାଳୟ ଓ ବିଭାଗ ଅଧିନରେ ଥିବା ସମସ୍ତ ପ୍ରତିଷ୍ଠାନରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର